ରାଷ୍ଟ୍ରପତିଙ୍କ ସ୍ବୀକୃତି ଅପେକ୍ଷାରେ ନାଗରିକତ୍ୱ ସଂଶୋଧନ ବିଲ୍
ନୂଆଦିଲ୍ଲୀ : ପାର୍ଲାମେଣ୍ଟରେ ପାରିତ ହୋଇଛି ନାଗରିକତ୍ୱ ସଂଶୋଧନ ବିଲ୍ (ସିଏବି)। ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇସାରିଥବାବେଳେ ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହେବ। ଉକ୍ତ ବିଲ୍ ଅନୁସାରେ ପଡୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଭାରତରେ ଆସି ରହିଥିବା ଅଣମୁସଲମାନମାନଙ୍କୁ ଭାରତୀୟ ନାଗରିକତ୍ୱ ମିଳିବ।
ସୋମବାର ସିଏବି ଲୋକସଭାରେ ଗୃହୀତ ହୋଇଥିବାବେଳେ ବୁଧବାର ରାଜ୍ୟସଭାରେ ଦୀର୍ଘ ବିତର୍କ ପରେ ଧ୍ୱନି ଭୋଟରେ ପାରିତ ହୋଇଛି। ବିଲ୍ ସପକ୍ଷରେ ୧୨୬ ଏମ୍ପି ଭୋଟ ଦେଇଥିବାବେଳେ ବିପକ୍ଷରେ ୧୦୭ଟି ଭୋଟ ଯାଇଛି। ଶିବସେନା ଭୋଟଦାନ ପୂର୍ବରୁ କକ୍ଷତ୍ୟାଗ କରିଥିଲା। ବିଲ୍ ଉପରେ ତୃଣମୂଳ କଂଗ୍ରେସ ଆଣିଥିବା ୧୪ଟି ସଂଶୋଧନ ପ୍ରସ୍ତାବ ପୂର୍ବରୁ କାଟ୍ ଖାଇଯାଇଥିଲା। ବିଲ୍ ଗୃହୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଐତିହାସିକ ଦିନ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଇତିହାସରେ ଏହା ଏକ କଳାଦିବସ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। ବିଲ୍କୁ ନେଇ ଉତ୍ତରପୂର୍ବାଞ୍ଚଳ ସମେତ ସାରା ଦେଶରେ ବିରୋଧର ସ୍ବର ଜୋର୍ଦାର ହୋଇଛି। ଏହା ପଛରେ ସରକାରଙ୍କର କୌଣସି ରାଜନୈତିକ ଅଭିସନ୍ଧି ନ ଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଥିଲେ। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧର୍ମୀୟ ବିଦ୍ୱେଷର ସମ୍ମୁଖୀନ ହୋଇ ଭାରତରେ ଆସି ଶରଣାର୍ଥୀ ଭାବେ ରହିଥିବା ହିନ୍ଦୁ, ଖ୍ରୀଷ୍ଟିୟାନ, ପାର୍ସୀ, ଜୈନ, ବୌଦ୍ଧ ଓ ଶିଖ୍ ଧର୍ମାବଲମ୍ବୀମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ଲାଗି ବିଲ୍ରେ ପ୍ରସ୍ତାବ ରହିଛି। ଏହା ବିଭାଜନକାରୀ, ଭେଦଭାବପୂର୍ଣ୍ଣ ଏବଂ ଭାରତୀୟ ସମ୍ବିଧାନର ମୌଳିକତାର ବିରୋଧୀ ବୋଲି ଆନନ୍ଦ ଶର୍ମା କହିଥିଲେ। ସବୁ ଦଳ ନିଜସ୍ବ ଇସ୍ତାହାର ଆଣିବାର ଅଧିକାର ରହିଛି। ତେବେ ତାହା ସମ୍ବିଧାନର ଊର୍ଦ୍ଧ୍ୱରେ ରହିପାରିବ ନାହିଁ ବୋଲି ବିରୋଧୀ ଦଳ ଉପନେତା କହିଥିଲେ। ଏହି ବିଲ୍ ପାର୍ଲାମେଣ୍ଟ ଗାଲରେ ଚାପୁଡ଼ା ସଦୃଶ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ କହିଥିଲେ। ସେହିପରି ତୃଣମୂଳ କଂଗ୍ରେସ ଏମ୍ପି ଡେରେକ୍ ଓ’ବ୍ରାଏନ୍ ବିଲ୍କୁ ଅସାମ୍ବିଧାନିକ କହିବା ସହ ଏହା ବିରୋଧରେ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ସେ କହିଥିଲେ। ନାଗରିକତ୍ୱ ବିଲ୍ ଏବଂ ଜାତୀୟ ନାଗରିକ ପଞ୍ଜିକା ମାଧ୍ୟମରେ ଶାସକ ଦଳ ପ୍ରକୃତ ଭାରତୀୟଙ୍କୁ ସେମାନଙ୍କ ଦେଶରୁ ତଡ଼ିଦେବାକୁ ଉଦ୍ୟମ କରୁଛି ବୋଲି ଡେରେକ୍ ଅଭିଯୋଗ କରିଥିଲେ। ବିଲ୍ ମାଧ୍ୟମରେ ଭାଜପା ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ ସ୍ବପ୍ନକୁ ପୂରଣ କରୁଛି ବୋଲି ସମାଜବାଦୀ ପାର୍ଟି ଏମ୍ପି ଜାଭେଦ ଅଲି ଖାନ୍ କହିଥିଲେ। ତେବେ ବିଲ୍କୁ ବିଜେଡି ରାଜ୍ୟ ସଭାରେ ସମର୍ଥନ ଦେଇଛି। ଆଲୋଚନାରେ ଭାଗନେଇ ବିଜେଡି ସାଂସଦ ସମ୍ବିତ୍ ପାତ୍ର ସରକାରଙ୍କଠାରୁ ଏହା ଉପରେ ତିନୋଟି ସ୍ପଷ୍ଟୀକରଣ ଚାହିଁଥିଲେ। ବିଲ୍ରୁ ଶ୍ରୀଲଙ୍କାକୁ ବାଦ୍ ଦିଆଯିବାର କାରଣ କ’ଣ ବୋଲି ସେ ପଚାରିଥିଲେ। ଶ୍ରୀଲଙ୍କାରେ ବହୁସଂଖ୍ୟାରେ ହିନ୍ଦୁ ଓ ମୁସଲମାନ ଅତ୍ୟାଚାରିତ ହେଉଥିବାବେଳେ ଏହି ପଡୋଶୀ ଦେଶକୁ ବିଲ୍ ପରିସରଭୁକ୍ତ କରାଯିବା ଉଚିତ ବୋଲି କହିଥିଲେ।