ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତୀ ଅନିର୍ଦ୍ଦିଷ୍ଟକାଳ ଆନ୍ଦୋଳନରେ ସାମିଲ ହେବେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀସଂଘ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ବାଲେଶ୍ୱର ଜିଲ୍ଲା କମିଟି ବୈଠକ ଜିଲ୍ଲା ସଭାପତି ପ୍ରତିଭା ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଜାତୀୟ ଶିକ୍ଷାନୀତି ପ୍ରଣୟନ ଆଳରେ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରୁ ନେଇ ବିଦ୍ୟାଳୟରେ ସାମିଲ କରାଇବା ଷଡ଼ଯନ୍ତ୍ର କରାଯାଉଥିବାବେଳେ ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତୀମାନଙ୍କୁ ପ୍ରାଥମିକ ଶିକ୍ଷୟିତ୍ରୀ ପଦବୀକୁ ପଦୋନ୍ନତି ଦେବେକି ନାହିଁ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ହୋଇନଥିବାରୁ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରତ୍ୟାହାର, ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତୀମାନଙ୍କୁ ୱାର୍କର ମାନ୍ୟତା ପ୍ରଦାନ, ୬୨ବର୍ଷ ବୟସରେ ଅବସରବେଳେ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ, ପେନ୍ସନ୍ ପ୍ରଦାନ, ମାସିକ ସର୍ବନିମ୍ନ ମଜୁରୀ ୨୬ହଜାର ଟଙ୍କା ପ୍ରଦାନ, ଏସ୍.ଏନ୍.ପି. ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଅନୁସାରେ ଦର ସଂଶୋଧନ, ଅଙ୍ଗନୱାଡ଼ି କେନ୍ଦ୍ରର ବିଦ୍ୟୁତ୍ ଦେୟ ପୈଠ, ଜାଳେଣି ଗ୍ୟାସ୍ ବାବଦକୁ ସିଲିଣ୍ଡର ପିଛା ଆସିଥିବା ଅନୁଦାନ ୧୨୧୧ ଟଙ୍କା ହାରରେ ବାର୍ଷିକ ୫ଟି ସିଲିଣ୍ଡରର ଅର୍ଥ ପ୍ରଦାନ, ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତୀଙ୍କ ବରିଷ୍ଠତା ଇନ୍ସେଣ୍ଟିଭ୍ ପ୍ରଦାନ, ପୋଷଣ ବାବଦୀୟ ଇନ୍ସେଣ୍ଟିଭ୍ ପ୍ରଦାନ, ବକେୟା ଗସ୍ତଖର୍ଚ୍ଚ ପ୍ରଦାନ, ପଦୋନ୍ନତି ପାଇଁ ଗ୍ରେଡେସନ୍ ବ୍ୟବସ୍ଥା, ସରକାରଙ୍କ ତରଫରୁ କୌଣସି ନିଦ୍ଦିଷ୍ଟ ନିର୍ଦ୍ଦେଶ ନଥାଇ ଅଙ୍ଗନୱାଡ଼ି ୱାର୍କର ଓ ହେଲପରଙ୍କ ଖାଦ୍ୟ ବାବଦୀୟ ଅର୍ଥ ଭତ୍ତାରୁ କାଟ କରିବାର କୁତ୍ସିତ ବ୍ୟବସ୍ଥା ବନ୍ଦ ସମେତ ଅଙ୍ଗନୱାଡ଼ି କେନ୍ଦ୍ରର ଯୁଗ୍ମ ବ୍ୟାଙ୍କ୍ ଖାତାକୁ ଆସୁଥିବା ଶିଶୁ ଖେଳନା ବାବଦୀୟ ଅର୍ଥ, ପ୍ରାକ୍ ବିଦ୍ୟାଳୟ ଶିଶୁ ପୋଷାକ, ସ୍ୱେଟର, ଜୋତା ଓ ମୋଜା, ଔଷଧ କିଟ୍, କଣ୍ଟିଜେଣ୍ଟ ଖର୍ଚ୍ଚ ଇତ୍ୟାଦି ବାବଦରେ ସରକାରଙ୍କ ତରଫରୁ ଆସିଥିବା ଅର୍ଥକୁ ଜମାଖାତାରୁ ପ୍ରତ୍ୟାହାର କରି ଅଧିକାରୀମାନଙ୍କୁ ଦେଇଦେବା ପାଇଁ ଧମକ ଦେବା ସହ ନିମ୍ନ ମାନର ସାମଗ୍ରୀ ଯୋଗାଣ ବନ୍ଦ କରିବା ଇତ୍ୟାଦି ଦାବି ନେଇ ଜୁଲାଇ ମାସ ମଧ୍ୟରେ ପ୍ରକଳ୍ପ ସ୍ତରରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ, ଏହି ଶୋଷଣ ବନ୍ଦ ନହେଲେ ଏକ ସପ୍ତାହ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ପାଇଁ ସର୍ବସମ୍ମତ ନିଷ୍ପତ୍ତି କରାଯାଇଛି । ସେହିଭଳି କେନ୍ଦ୍ରୀୟ ଟ୍ରେଡ଼୍ ୟୁନିୟନ୍ ସମନ୍ୱୟ କମିଟି ଆହ୍ୱାନରେ ଆସନ୍ତା ୯ ଅଗଷ୍ଟ ଦେଶବ୍ୟାପୀ ଆନ୍ଦୋଳନ ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ସ୍ତରରେ ବିଶାଳ ସମାବେଶକୁ ସଫଳ କରିବାପାଇଁ ନିଷ୍ପତ୍ତି ହୋଇଅଛି । ବୈଠକ ଆରମ୍ଭରେ ଜିଲ୍ଲା ସଂପାଦକ ଲକ୍ଷ୍ମୀପ୍ରିୟା ଦାସ ବିବରଣୀ ଉପସ୍ଥାପନ କରିଥିବାବେଳେ ଏଆଇଟିୟୁସି ରାଜ୍ୟ ସଂପାଦକ ଜୟନ୍ତ ଦାସ ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତୀଙ୍କ ଉପରେ ଚାଲିଥିବା ବହୁମୁଖୀ ଶୋଷଣ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଏହା ଅବିଳମ୍ବେ ବନ୍ଦ କରିବା ପାଇଁ ସରକାର ହସ୍ତକ୍ଷେପ କରିବାକୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପରୁ ନିର୍ବାସିନୀ ପ୍ରଧାନ, ସଂଯୁକ୍ତା ସିଂ, ନଳିନୀ ନାୟକ, ନୀଳିମା ଜେନା, ନାରାୟଣୀ ବେହେରା, ସାମ୍ରିନ୍ କାଦ୍ରି, ରିଙ୍କି ହାଲଦାର, ସୁଷମା ପାତ୍ର, ମାନିନୀ ଆଚାର୍ଯ୍ୟ, ଅନୁପମା ଗିରି, ନିଶାମଣି ନାୟକ, ବାସନ୍ତୀ ବିନ୍ଧାଣୀ, ଲକ୍ଷ୍ମୀପ୍ରିୟା ମହାପାତ୍ର, ପୂର୍ଣ୍ଣିମା ଦେ, ରାଜଶ୍ରୀ ସାହୁ, ମମତା ଦାସମହାପାତ୍ର, ତୃପ୍ତିରାଣୀ ମହାନ୍ତି, ପ୍ରତିଭା ନାୟକ, ଭାରତୀ ନାୟକ, ରଶ୍ମି ବେହେରା ଓ ଦୀପାନ୍ୱିତା ପଟ୍ଟନାୟକ ପ୍ରମୁଖ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ଶକ୍ତିଶାଳୀ ଆନ୍ଦୋଳନ ପାଇଁ ସଂକଳ୍ପ ନେଇଥିଲେ ।