ଅଁରା ପଞ୍ଚାୟତରେ ଜାତୀୟ ଜନଜାତି କମିସନ ସଦସ୍ୟଙ୍କ ଅଭିଯୋଗ ଶୁଣାଣି
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି ହାଟଡିହି ବ୍ଲକର ଅଁରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜାତୀୟ ଅନୁସୁଚିତ ଜନଜାତି କମିସନ ସଦସ୍ୟଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣିରେ ଜାତୀୟ ଜନଜାତି କମିସନର ସଦସ୍ୟ ଅନନ୍ତ ନାୟକ ଉପସ୍ଥିତ ଥିବାବେଳେ ଏ ଅଞ୍ଚଳର ଆଦିବାସୀ ମାନେ ସେମାନଙ୍କ ସମସ୍ୟା ଗୁଡିକ କମିସନ ସଦସ୍ୟଙ୍କୁ ଜଣାଇଥିଲେ । ଏହି ପଞ୍ଚାୟତରେ ଅନେକ ଆଦିବାସୀ ବାସକରୁଥିବା ବେଳେ ଏହି ଅଞ୍ଚଳର ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି । ଅନେକ ବୃଦ୍ଧବୃଦ୍ଧା ମାନେ ଦୀର୍ଘମାସ ହେଲା ଭତ୍ତା ପାଇପାରୁ ନଥିବାବେଳେ ଅନେକ ବୃଦ୍ଧବୃଦ୍ଧା ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ନୁଆ ଭତ୍ତା ମିଳିପାରୁନି ବୋଲି ଅଭିଯୋଗ କରିଥିଲେ । ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନଙ୍କୁ ନିୟମିତ ରେସନ ସାମଗ୍ରୀ ଯୋଗାଇ ଦିଆଯାଉ ନାହିଁ ବୋଲି ମଧ୍ୟ ଅଭିଯୋଗ କରିଥିଲେ । ଅନେକ ଲୋକ ରୋସନକାର୍ଡରେ ସେମାନଙ୍କ ନାମ ଦରଜ କରିବାପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ସାମିଲ କରାଯାଉ ନଥିବାରୁ ରେସନ ସାମଗ୍ରୀରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ । ସେହିପରି ଅନେକ ଆଦିବାସୀ ଭୁମୀହୀନ ଲୋକ ଥିଲେବି ସେମାନଙ୍କୁ ଜମିପଟ୍ଟା ଦିଆଯାଉ ନଥିବାବେଳେ ଆଦିବାସୀ ବସ୍ତି ଗୁଡିକୁ ରାସ୍ତା ନିର୍ମାଣ କରାଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ ।ସମସ୍ତଙ୍କ ଅଭିଯୋଗ ଗୁଡିକୁ ଶୁଣିବା ସହ କିପରି ସେମାନଙ୍କ ସମସ୍ୟା ଗୁଡିକ ଦୁର ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ବିଡିଓ ବିନିତା ବିଜୟିନୀ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ବିଇଓ ଧନେଶ୍ୱର ଖଣ୍ଡେଇ, ଯୋଗାଣ ଅଧିକାରୀ ସନ୍ଦିପ ପରିଜାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।


