ବରପଦା-ଆଗରପଡା ମଧ୍ୟରେ ୪ ଦିନ ହେବ ବସ୍ ଚଳାଚଳ ବନ୍ଦ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲ୍ଲା ଆଗରପଡ଼ା ବଜାରଟି ୩ଗୋଟି ଜିଲ୍ଲାର କେନ୍ଦ୍ରସ୍ଥଳ ହେତୁ ଯାତ୍ରୀ ଓ ମାଲ ପରିବହନ କ୍ଷେତ୍ରରେ ଏ ଅଞ୍ଚଳ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ବେଳେ ପ୍ରାୟତଃ ବଜାର ଅଞ୍ଚଳ ସଦା ସର୍ବଦା ଜନ ଗହଳି ପୂର୍ଣ୍ଣ ରହିଥାଏ । ଏପରି ସ୍ଥଳେ ଭଦ୍ରକରୁ ଆଗରପଡା ମଧ୍ୟରେ ଦୈନିକ ଶତାଧିକ ଗାଡି ମଟର ଯାଆଆସ କରୁଥିବା ବେଳେ ଭଦ୍ରକରୁ ଆଗରପଡା ଆସୁଥିବା ଯାତ୍ରୀବାହୀ ବସ ଗୁଡିକ ବହୁ ଦାବି ପରେ ମଧ୍ୟ ଷ୍ଟାଣ୍ଡକୁ ନଯିବା ନେଇ ଅସନ୍ତୋଷ ଦେଖା ଦେଇଛି । ରାଜ୍ୟ ସରକାର ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବ୍ଲକରେ ମୋ ବସଷ୍ଟାଣ୍ଡ ନିର୍ମାଣ ଯୋଜନା ହାତକୁ ନେଇଛନ୍ତି ଏବଂ ଆଗରପଡ଼ା ନୂତନ ବସଷ୍ଟାଣ୍ଡଟି ଏଥି ନିମନ୍ତେ ଯୋଗ୍ୟ ବୋଲି ବିବେଚିତ ହୋଇଛି । ଦୀର୍ଘ ୨ବର୍ଷରୁ ଉର୍ଦ୍ଧ୍ୱ ହେବ ବହୁ ଦାବି ପରେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ଉଦ୍ୟମରେ ଆଗରପଡ଼ା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ସ୍ଥାୟୀ ବସଷ୍ଟାଣ୍ଡ ନିମନ୍ତେ ଜମି ଚିହ୍ନଟ ହୋଇ ସାଂସଦଙ୍କ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଶିଳାନ୍ୟାସ କରାଯାଇ ଥିଲା । ଦୈନନ୍ଦିନ ଭଦ୍ରକ, କେନ୍ଦୁଝର, ବାଲେଶ୍ୱର ସଦର ମହକୁମାକୁ ଯିବାପାଇଁ ଶହଶହ ଲୋକ ଏହି ବଜାର ଉପରେ ନିର୍ଭରଶୀଳ ହେଉଥିଲେ ବି ସ୍ଥାୟୀ ବସଷ୍ଟାଣ୍ଡକୁ ଏ ଯାଏ ବସ ଯାଉ ନାହିଁ । ଯାତ୍ରୀବାହି ବସ ଗୁଡ଼ିକ ମୁଖ୍ୟ ବଜାର କୁପାରୀଛକ ଓ ଲକ୍ଷ୍ମୀବଜାର ଛକରୁ ଯାତ୍ରୀ ମାନଙ୍କୁ ଉହ୍ଲାଇ ଦେଉ ଥିବାରୁ ସାଧାରଣ ଜନତା ପୂର୍ବବତ ଯିବା ଆସିବାରେ ଅସୁବିଧା ଭୋଗ କରୁଛନ୍ତି । ତେବେ ଭଦ୍ରକରୁ ଓ ଆଗରପଡ଼ା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୨୪କି.ମି ପୂର୍ତ୍ତବିଭାଗ ରାସ୍ତା ନିମନ୍ତେ ଭଡ଼ା ଦେଇ ୨୨କି.ମିରେ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅଞ୍ଚଳବାସୀ । ଏନେଇ ପୂର୍ବରୁ ଏକାଧିକବାର ଅଞ୍ଚଳବାସୀ ଭଦ୍ରକ ବସ ସିଣ୍ଡିକେଟକୁ ନୂତନ ଷ୍ଟାଣ୍ଡକୁ ଯାତ୍ରୀବାହୀ ଗାଡ଼ି ଗୁଡ଼ିକୁ ନେବାକୁ ଅନୁରୋଧ କରାଯାଇଥିଲା । ବଜାର ସଲଗ୍ନ ନିର୍ବାଚିତ ଜନପ୍ରତିନିଧି ଓ ଅଞ୍ଚଳବାସୀ ବସ ଚାଳକଙ୍କୁ ଷ୍ଟାଣ୍ଡକୁ ଯିବା ପାଇଁ ଦାବୀ କରିବା ପରେ ସିଣ୍ଡିକେଟ ପକ୍ଷରୁ ୪ ଦିନ ଧରି ନୂତନ ଷ୍ଟାଣ୍ଡକୁ ବସ ଯିବା ଆସିବା କରୁଥିଲା । ତେବେ ବରପଦା-ଆଗରପଡ଼ା ରାସ୍ତା ଓ ଟ୍ରାଫିକ ଆଳ ଦେଖାଇ ହଠାତ ୪ଦିନ ଧରି ଗାଡ଼ି ମାଲିକମାନେ ଯାତ୍ରୀ ପରିବହନକୁ ବନ୍ଦ ରଖିଛନ୍ତି । ତେବେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପ୍ରତି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ କରାଯିବାକୁ ସରକାରୀ ନିର୍ଦ୍ଦେଶ ଥିଲେ ବି ବସ ମାଲିକମାନେ ଜିଦରେ ଅଟଳ ରହିବା ପଛରେ କାରଣ ବୁଝାପଡ଼ୁ ନାହିଁ । ଯାତ୍ରୀ ହନ୍ତସନ୍ତ ହେବା ସାର ହୋଇଛି । ଉପରୋକ୍ତ ସମସ୍ୟା ନେଇ ଅଞ୍ଚଳବାସୀ ରବିବାର ଏକତ୍ରୀତ ହୋଇ ଆଲୋଚନା କରିଥିଲେ । ସିଦ୍ଧାନ୍ତ ଅନୁଯାୟୀ ବସ ଚଳାଚଳ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଓ ଜିଲ୍ଲାପାଳ ଭଦ୍ରକଙ୍କୁ ଲିଖିତ ଅବଗତ କରାଇ ଅତିଶ୍ରିଘ୍ର ସମସ୍ୟାର ସମାଧାନ କରାଯିବାକୁ ଅନୁରୋଧ କରାଯାଇଛି । ଆଲୋଚନାରେ ଅଶୋକ କୁମାର ପରିଡ଼ା, ପ୍ରକାଶ ବିଶ୍ୱାଳ, ସପନ କୁମାର ସିଂହ, ଗୋପାଳକୃଷ୍ଣ ଦାଶ, ଶ୍ରୀରାମ ସ୍ୱରୂପ ମହାପାତ୍ର, ମାନସ ରାୟ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉପରୋକ୍ତ ସମସ୍ୟା ନେଇ ଅଞ୍ଚଳବାସୀ ଗୋପାଳ କୃଷ୍ଣ ଦାଶ କହନ୍ତି, ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ବସ ଗୁଡ଼ିକ ନୂତନ ଭାବେ ନିର୍ମିତ ବସଷ୍ଟାଣ୍ଡକୁ ଯିବା ଆମେ ଚାହୁଁଛୁ,ଏହି ଦେଢ କି.ମି ରାସ୍ତା ଯିବା ଆସିବାରେ ୧୦ମିନିଟ୍ ସମୟ ଲାଗିବ ଷ୍ଟାଣ୍ଡକୁ ଗାଡି ନଯିବାର କାରଣ କଣ ବୁଝା ପଡୁନାହିଁ । ବସ ମାଲିକ ପାର୍ଥ ସାରଥି ମହାପାତ୍ର କହନ୍ତି, ଡ଼୍ରାଇଭର ସଂଘ ପକ୍ଷରୁ ଆଗରପଡ଼ାର ଟ୍ରାଫିକ, ରାସ୍ତା ଓ ସମୟ ସାରିଣୀ ସମସ୍ୟା ଯୋଗୁଁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ହେତୁ ବସ୍ ଚଳାଚଳ ବନ୍ଦ ରହିଛି । ତେବେ ନୂତନ ଷ୍ଟାଣ୍ଡକୁ ବସ୍ ଯିବା ନେଇ ଗାଡି ମାଲିକଙ୍କ ମଧ୍ୟରେ ତାଳମେଳର ଅଭାବଥିବା ପରିଲକ୍ଷିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ