ଚାକିରୀ ନାମରେ ଠକେଇ
ବାଲେଶ୍ଵର, (ସରୋଜ ପଣ୍ଡା):ବିଭିନ୍ନ ସରକାରୀ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଶିକ୍ଷିତ ଯୁବ ଗୋଷ୍ଠୀଙ୍କୁ ଠକୁ ଥିବା ଏକ ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବାଲେଶ୍ଵର ପୋଲିସ।ରବିବାର ଏହି ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରିବା ସହ ଠକେଇରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରିଥିବା ବାଲେଶ୍ଵର ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।ଏସପି ନାଥଙ୍କ ସୂଚନା ମୁତାବକ ଏହି ଗ୍ୟାଙ୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ ଶିକ୍ଷିତ ଯୁବ ଗୋଷ୍ଠୀଙ୍କୁ ଚାକିରୀ ଦେବା ଆଳରେ ଠକିଛନ୍ତି। OJEE ମେନ୍ସ,SSC ର CGL ଭଳି ବିଭିନ୍ନ ସରକାରୀ ଚାକିରୀ ପାଇଁ ୧୦ ରୁ ୧୬ ଲକ୍ଷ ଟଙ୍କା ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଆଦାୟ କରିଛନ୍ତି।ଏହି ବେଆଇନ କାମ ବାଲେଶ୍ଵର ସୀମାନ୍ତବର୍ତ୍ତି ଦିଘାରେ ଚାଲିଥିଲା।ଏହି ସୂଚନା ମିଳିବା ପରେ ପୋଲିସ ଏକ ଟିମ୍ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ବାରୁଣୀ ପୋଲ ପାଖରେ ତାଙ୍କର ଗାଡି ଅଟକାଇ କିଛି ଅଭିଯୁକ୍ତଙ୍କୁ ଧରିଥିଲେ।ସେଠାରୁ ଅଧିକ ସୂଚନା ମିଳିବା ପରେ ଅନ୍ୟମାନଙ୍କୁ ଦୀଘା ରୁ ଗିରଫ କରାଯାଇଥିଲା। ଏ ନେଇ ସହଦେବ ଖୁଣ୍ଟା ପୋଲିସ ପକ୍ଷରୁ କେସ ନମ୍ବର ୩୦୩/୨୩ମୂଳେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗିରଫ ବ୍ୟକ୍ତିଙ୍କ ଠାରୁ ୧୫ ଟି ମୋବାଇଲ,୩ଟି ବ୍ଲାଙ୍କ ଚେକ୍ ,ଗୋଟିଏ ବସ,ଗୋଟିଏ ସ୍କ୍ରପିଓ, ଟ୍ରାଭେଲାର,କାର,ଅସଲି ଶିକ୍ଷାଗତ ପ୍ରମାଣ ପାତ୍ର,ନଗଦ ୨୨ହଜାର ୫୦୦ ଟଙ୍କା,ATM ଆଦି ଜବତ କରାଯାଇଛି।ତେବେ ଏହି ଗ୍ୟାଙ୍ଗ ରେ ଓଡ଼ିଶା ସମେତ ଆନ୍ଧ୍ର,ବିହାର ଆଦି ରାଜ୍ୟ ର ସଦସ୍ୟ ରହିଛନ୍ତି ବୋଲି ଏସପି ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ସହଦେବ ଖୁଣ୍ଟା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ,ସଦର ଆଇଆଇସି ଜୟନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


