ସଦଭବନା ସଭା ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ସମୀକ୍ଷା
ବାଲେଶ୍ବର, (ସରୋଜ ପଣ୍ଡା):ଆଜି ଦିନିକିଆ ବାଲେଶ୍ଵର ଗସ୍ତରେ ଆସି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସୁଚାରୁ ବଳ ଏବଂ ବାଲେଶ୍ବର ଓ ନୀଳଗିରି ଉପଜିଲ୍ଲାପାଳ, ଜଳସମ୍ପଦ ବିଭାଗର ଅଧିକାରୀ, ବିଭିନ୍ନ ବ୍ଲକର ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ରାଜସ୍ବ ବିଭାଗର ପ୍ରଦର୍ଶନକୁ ନେଇ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ସନ୍ତୋଷ ପ୍ରକାଶ କରିଥିବା ବେଳେ ସମସ୍ତ ତହସିଲ କାର୍ଯ୍ୟାଳୟ ଏବଂ ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଖୁବ୍ ଭଲ କାମ ହେଉଥିବା ପ୍ରଶଂସା କରିଥିଲେ। ସମସ୍ତ ତହସିଲଦାରମାନେ ଉତ୍ତମ ସେବା ପ୍ରଦାନ କରୁଥିବା ବେଳେ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ବିକାଶ କାର୍ଯ୍ୟ ଜାରି ରହିଥିବା ସେ କହିଥିଲେ। ପରେ ଜିଲ୍ଲାରେ ଲଘୁଖଣିଜ ଲୁଟ୍ ଏବଂ ସରକାରୀ ଜାଗା ଜବରଦଖଲ ସମ୍ପର୍କରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମନ୍ତ୍ରୀ ଅବଗତ ହୋଇଥିଲେ। ଏହାପରେ ବର୍ଷା ସମ୍ପର୍କିତ ଆଲୋଚନା ହୋଇଥିଲା। ରାଜ୍ୟରେ ବର୍ଷା ନାହିଁ, ଚାଷ କାର୍ଯ୍ୟ ପାଇଁ ଆହୁରି ବର୍ଷାର ଆବଶ୍ୟକତା ଥିବା ବେଳେ ଅଧିକ ବର୍ଷା ହେଲେ ସମ୍ଭାବ୍ୟ ବନ୍ୟା ପାଇଁ ମୁକାବିଲା ପାଇଁ ରାଜସ୍ବ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମନ୍ତ୍ରୀ କହିଥିଲେ। ଜଳସମ୍ପଦ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଦୁର୍ବଳ ନଦୀବନ୍ଧଗୁଡ଼ିକର ମରାମତି ସରିଥିବା ବେଳେ ବାକି ଚିହ୍ନଟ ହୋଇଥିବା ନଦୀବନ୍ଧଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ସଜଡ଼ା ଯାଉଛି। ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏ ଦିଗରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଥିଲେ।


