ଅଖିଳ ଭାରତ କୃଷକ ସଭାପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଚାଷି ବର୍ଷ ତମାମ ମୁଣ୍ଡର ଝାଳ ତୁଣ୍ଡରେ ମାରି ଭଲ ଫସଲ ପାଇଁ ଅନାଇ ବସିଥିବା ବେଳେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସହ ଜଳ ସେଚନର ଅସୁବିଧା ସେମାନଙ୍କ ପାଇଁ ଅଭିଶାପ ପାଲଟିଛି । ଫଳରେ ବହୁ ଚାଷ ଜମି ଫାଟି ଆଁ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ବହୁ ଚାଷ ଜମି ରୁଆ ନହୋଇ ଏ ପର୍ଯ୍ୟନ୍ତ ପଡିଆ ପଡିଥିବା ଦେଖିବାକୁ ମିଳିଛି । ଚାଷୀ ମାନେ ବିଭିନ୍ନ ସୋସାଇଟି ଓ ମହାଜନ ମାନଙ୍କ ଠାରୁ ଚାଷ କାର୍ଯ୍ୟ ନିମନ୍ତେ ଋଣ ଆଣିଥିବା ବେଳେ ସେହି ଋଣ କେମିତି ସୁଝିବେ ଚିନ୍ତାରେ ଅଛନ୍ତି । ଏନେଇ ସେମାନେ ବହୁବାର ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଜଳସେଚନର ଉପଯୁକ୍ତ ସୁବିଧା କରାଯାଇନାହିଁ । ଯାହା ଫଳରେ ଛତ୍ରପୁର ବ୍ଲକର ବହୁ ଚାଷ ଜମି ଫାଟି ଆଁ କରି ରହିଛି । ଚାଷୀ ମାନେ ସେମାନଙ୍କ ଋଣ କିପରୀ ସୁଝିବେ ଏବଂ କିପରୀ ସେମାନଙ୍କ ପରିବାର ଚଳାଇବେ ଏଥି ନିମନ୍ତେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଋଣ ଭାର ସୁଝିବା ନିମନ୍ତେ ବହୁ ଚାଷୀ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ବାହାରକୁ ଯିବା ପାଇଁ ବାହାରିଲେଣି । ଏନେଇ ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଶୁକ୍ରବାର ଅଖିଳ ଭାରତ କୃଷକ ସଭା ଛତ୍ରପୁର ବ୍ଲକ କମିଟି ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରୁ ଏକ ଶୋଭାଯାତ୍ରାରେ ଅଖିଳ ଭାରତ କୃଷକ ସଭାର ବହୁ ନେତୃମଣ୍ଡଳୀ ଓ ଚାଷୀ ମାନେ ବାହାରି ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ ପହଂଚି କାର୍ଯ୍ୟାଳୟ ଘେରାଉ କରିବା ସହିତ ସେମାନଙ୍କ ୧୬ଦଫା ଦାବି ଗୁଡିକ ଯଥାଶୀଘ୍ର ପୂରଣ କରିବା ପାଇଁ ସେମାନେ ଦାବି କରିଥିଲେ । ଚାଷୀର ଫସଲ ଜନିତ ସମସ୍ତ କ୍ଷତିକୁ ଭରଣା କଲାଭଳି, ରାଜ୍ୟରେ ଫସଲ ବୀମା ଯୋଜନା ପ୍ରଣୟନ କରି ରାଷ୍ଟ୍ରାୟତ ବୀମା କମ୍ପାନୀ ଜରିଆରେ ସମସ୍ତ ଚାଷୀଙ୍କୁ ବୀମାଭୁକ୍ତ କରାଯିବା, ବୀମା ସମ୍ପର୍କିତ ସମସ୍ତ ଅଭିଯୋଗର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଅଭିଯୋଗ ସମାଧାନ ପ୍ରକୋଷ୍ଠ କରାଯିବା, ଚାଷି ଓ ଭାଗଚାଷୀ ମାନଙ୍କ ନାମ ପଞ୍ଜୀକରଣ କରାଇ ସମସ୍ତ ଚାଷୀଙ୍କ ଧାନ ମଣ୍ଡିରେ କ୍ରୟ କରାଇବା, କରାତଳି ତାମ୍ପରାର ପୁନରୁଦ୍ଧାର କରାଇ ଜଳ ସେଚନ ବ୍ୟବସ୍ଥା କରାଇବା, ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଉଠା ଜଳ ସେଚନ ଗୁଡିକ କାର୍ଯ୍ୟକ୍ଷମ କରାଯାଇ ଜଳସେଚନ କରିବା ସହିତ ସମସ୍ତ ବିଦ୍ୟୁତ ବିଲ ଛାଡ କରିବା ଏବଂ କେନାଲରେ ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଇବା ଭଳି ବିଭିନ୍ନ ଦାବି ସମ୍ପର୍କରେ ସେମାନେ ଏହି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ଜିଲ୍ଲା ସାଂଗଠନିକ ସମ୍ପାଦକ ନୀଳକଣ୍ଠ ଦାଶ, ଚାଷୀ ନେତା ସତ୍ୟ ନାରାୟଣ ରେଡ୍ଡୀ, ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ଗୁରୁନାଥ ପ୍ରଧାନ, ମଥୁରା ସୁବୁଦ୍ଧି, ମାଗୁଣି ବିଷୋୟୀ, ଏନ୍‌. ମୁନା ପାତ୍ର, ଏନ ଗିରିଜା ପ୍ରସାଦ ରେଡ୍ଡୀ, ରାଜେନ୍ଦ୍ର ନାହାକଙ୍କ ସମେତ ବହୁ ଚାଷି ମାନେ ଉପସ୍ଥିତ ଥିଲେ । ବ୍ଲକ କାର୍ଯ୍ୟାଳୟ ଠାରେ ଚାଷୀ ନେତା ଦୁର୍ଯ୍ୟୋଧନ ପରିଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ