ଜାତୀୟ ପୁରସ୍କାର ପାଇବେ ଶିକ୍ଷକ ଶଶୀଶେଖର କରଶର୍ମା
ବନ୍ତ, (ଚାନ୍ଦିନୀ ମହାନ୍ତି):ବ୍ଲକ୍ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଶୀଶେଖର କରଶର୍ମା ଚଳିତ ଶିକ୍ଷାବର୍ଷ ପାଇଁ ଜାତୀୟ ପୁରସ୍କାର ପାଇବା ନେଇ ମନୋନୀତ ହୋଇଛନ୍ତି । ବନ୍ତ ବ୍ଲକ୍ କେନ୍ଦୁଆପଦା ପଞ୍ଚାୟତ ଆମ୍ପୋର ଗ୍ରାମର ଶିକ୍ଷକ ଶ୍ରୀବତ୍ସ କରଶର୍ମା ଓ ମାତା ମେନକା ଦେବୀଙ୍କ ଏକମାତ୍ର ପୁଅ ଶଶୀଶେଖର କରଶର୍ମା ୧୯୮୩ ମସିହାରେ କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍ ପରେ ଯାଜପୁରସ୍ଥିତ ଏନ୍ସି କଲେଜରୁ ୧୯୮୫ ମସିହାରେ +୨ ଓ ୧୯୮୮ ମସିହାରେ +୩ ପାସ୍ କରିଥିଲେ । ୧୯୯୨ ମସିହାରେ ବିଇଡି ପାସ୍ କରିବା ପରେ ଭଣ୍ଡାରିପୋଖରୀ ବ୍ଲକ୍ ସରସଦା ଉଚ୍ଚ ବିଦ୍ୟାଳୟରେ ୧୯୯୪ ମସିହାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ୧୯୯୭ ମସିହାରେ ବାପାଙ୍କ ପରାମର୍ଶକ୍ରମେ କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟରେ ଖାଲି ଥିବା ସହକାରୀ ବିଜ୍ଞାନ ଶିକ୍ଷକ ପଦବୀରେ ୧୯ ବର୍ଷ କାର୍ଯ୍ୟ କରିବା ପରେ ଗତ ୪ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ରୀ କରଶର୍ମା ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଏନ୍ସିସିର ଫାଷ୍ଟ ଅଫିସର୍, ବ୍ଲକ୍ ବିଜ୍ଞାନ ସଂଯୋଜକ ଓ ଓଷ୍ଟାର ବ୍ଲକ୍ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ୨୦୧୪ ମସିହାରେ ରାଜ୍ୟପାଳ ପୁରସ୍କାର, ୨୦୧୫ ମସିହାରେ ପ୍ରକୃତି ବନ୍ଧୁ, ୨୦୨୧ ମସିହାରେ ପ୍ରକୃତି ମିତ୍ର ପୁରସ୍କାର ପାଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେହିପରି ଶ୍ରୀ କରଶର୍ମା ନିୟମିତ ଭାବେ ରକ୍ତଦାନ ଶିବିର, ବୃକ୍ଷରୋପଣ, ସାହିତ୍ୟ ଚର୍ଚ୍ଚା, ବନ୍ୟା ପ୍ରପିଡିତ ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ସହ ବହୁ ସମୟରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ସଂମ୍ପୃକ୍ତ ରହି ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି । ପିଲାବେଳୁ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ କରଶର୍ମା ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଆଦର୍ଶ ଛାତ୍ର ଗଢି ତୋଳିବା ଲକ୍ଷ୍ୟରେ ନିୟମିତ ୟୁ-ଟୁବ୍ କ୍ଲାସ୍, ଦୁରଦର୍ଶନ, ଏଡୁସାଟ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଜାରି ରଖିବା ସହ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ସହାୟତା କରୁଥିବା କହିଛନ୍ତି । ସୁନାମଧନ୍ୟ ଶିକ୍ଷକ, ବ୍ଲକ୍ ଓଷ୍ଟା ସମ୍ପାଦକ, ବ୍ଲକ୍ ବିଜ୍ଞାନ ସଂଯୋଜକ ତଥା ଯୁବ ସମାଜସେବୀ ଶଶୀଶେଖର କରଶର୍ମାଙ୍କୁ ଏନେଇ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।


