ଶ୍ରୀ ଶ୍ରୀ ନୃସିଂହନାଥଜୀଉଙ୍କ ଝୁଲଣ ଯାତ୍ରା ସମ୍ପନ୍ନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥଜୀଉଙ୍କ ଝୁଲଣ ଯାତ୍ରା ଦୀର୍ଘ ୫ ଦିନ ଧରି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରାପଡାର ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇ ଶ୍ରୀଜୀଉଙ୍କ ଆର୍ଶୀବାଦ ଭିକ୍ଷା ପୂର୍ବକ ଆଗାମୀ ୧୫ ଦିନ ମଧ୍ୟରେ ଜୀଉଙ୍କ ଦୋଳବେଦୀର ପୁର୍ନବିନ୍ୟାସ କରାଯିବା ପାଇଁ ଏବଂ ଜୀଉଙ୍କ ମନ୍ଦିରର ପୁନରୁଦ୍ଧାର ଓ ସମ୍ପୂର୍ଣ୍ଣ ନବୀକରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଦର ଜାଲି ଓ ତାଙ୍କ ସହଧର୍ମିଣୀ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜିତ କୁମାର ସାହୁ, ପ୍ରାକ୍ତନ ଅର୍ବାନ ବ୍ୟାଙ୍କ ମୁଖ୍ୟ ସୁଶୀଲ କୁମାର ସାମଲ, ପ୍ରାକ୍ତନ ନଗରପାଳ ପ୍ରବୀର କୁମାର ମହାନ୍ତି, ପ୍ରାକ୍ତନ ଓ ବର୍ତ୍ତମାନ କାଉନସିଲର ଓ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ । ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଗୁଣନିଧି ଜଗତି, ଟ୍ରଷ୍ଟି ବ୍ରହ୍ମନନ୍ଦ ତ୍ରିପାଠୀ, ବିଶ୍ୱଜିତ୍ ରାୟ, ଜିତେନ୍ଦ୍ର ମହାନ୍ତି, ମୁରଲୀଧର ମହାନ୍ତି, ଶ୍ରୀଧର ନାଥ, ଶକ୍ତିକାନ୍ତ ବଳ, ସନ୍ତୋଷ ତ୍ରିପାଠୀ ଓ ମନୋରଞ୍ଜନ ମହାପାତ୍ର ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ବୋର୍ଡର ମୁଖ୍ୟ ଉପଦେଷ୍ଟା ଶରତ କୁମାର ବେହେରାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରେ ଶହ ଶହ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । କେନ୍ଦ୍ରାପଡାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ଦାରୁବ୍ରହ୍ମ କଳାକାରମାନଙ୍କ ଦ୍ୱାରା ଭଜନ ସଂଧ୍ୟା ପରିବେଷଣ କରାଯାଇଥିଲା ଏବଂ ଏହାକୁ ଶହ ଶହ ଶ୍ରଦ୍ଧାଳୁ ଉପଭୋଗ କରିଥିଲେ ।


