ଶିକ୍ଷା ବିଭାଗ ୨ ଭାଇଙ୍କୁ ଆଶ୍ରମ ସ୍କୁଲରେ ଛାଡିଲା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ବାପା ଜେଲରେ, ମା ଛାଡି ପଳାଇଲା ଏପରି ଅବସ୍ଥାରେ ୪ଚାରିଜଣ ଶିଶୁ ଅନାଥ ହୋଇ ଅତି ଦୟନୀୟ ଅବସ୍ଥାରେ ପାଠ ପଢ଼ୁଥିବାବେଳେ ସାନ ଭଉଣୀ ପରଘରେ କାମ କରି ପିଲାମାନଙ୍କୁ ପାଠ ପଢ଼ାଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ପ୍ରଶାସନ ସହାୟତା ହାତ ବଢ଼ାଇଛି । ଆଜି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ହାଟଡିହି ବ୍ଲକ ଶିକ୍ଷା ବିଭାଗର ଅଧିକାରୀମାନେ ପହଞ୍ଚି ଦୁଇଜଣ ଛୋଟ ଛୋଟ ଶିଶୁଙ୍କୁ ଆଣି ନିକଟସ୍ଥ ବୈଦାଖିଆ ସେବାଶ୍ରମରେ ଛାତ୍ରାବାସରେ ରଖାଇ ଶିକ୍ଷାଦାନର ବ୍ୟବସ୍ଥା କରାଇଛି । ତନ୍ମଧ୍ୟରୁ ଜଣେ ଶିଶୁକନ୍ୟା ଚଳିତବର୍ଷ ୧୦ମ ଶ୍ରେଣୀ ପରୀକ୍ଷା ଦେବାର ଥିବାରୁ ସେ ଉକ୍ତ ସ୍କୁଲ ଛାଡି ଆସିନଥିବାବେଳେ ଅନ୍ୟତମ କନ୍ୟା ଜଣକ ଘରକାମ ଦାମ କରୁଥିବାରୁ ଆଉ ଶିକ୍ଷାଲାଭ କରିବାକୁ ଆଗ୍ରହ ଦେଖାଇ ନାହିଁ । ଏଠାରେ ସୁଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ଗ୍ରାମର ବିଣାପାଟିଆ ସାହିର ରବିମୁର୍ମୁ ଦୀର୍ଘ ୮ବର୍ଷ ହେଲା ଏକ ମାମଲାରେ ଜେଲରେ ଥିବାବେଳେ ସ୍ତ୍ରୀ ଚମ୍ପା ମୁର୍ମୁୁ ଚାରି ଛୁଆଙ୍କୁ ଘରେ ଛାଡିଦେଇ କେଉଁଆଡେ ପଳାଇଲେ ଯେ ଆଉ ଘରକୁ ଫେରିଲେ ନାହିଁ । ବଡ ଝିଅ ସରିତା ଏବେ ଦଶମ ଶ୍ରେଣୀର ଛାତ୍ରୀ । ମଝିଆଁ ଝିଅ ସୀତା ମୁର୍ମୁ ୫ମଶ୍ରେଣୀରୁ ପାଠ ଛାଡିଦେଇ ଘର ଦାୟିତ୍ୱ ସମ୍ଭାଳିଛନ୍ତି । ମଝିଆଁ ପୁଅ ମିଥୁନୁ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ସାନପୁଅ ରାହୁଲ ଏବେ ୩ୟ ଶ୍ରେଣୀରେ । ରହୁଥିବା ଘରଟିର ରକ୍ଷଣାବେକ୍ଷଣ ହୋଇ ନପାରିବାରୁ ତାହା ଭାଙ୍ଗିରୁଜି ନଷ୍ଟ ହୋଇଯିବାପରେ ସେମାନେ ଏବେ ପର ଘରେ ଆଶ୍ରୟ ନେଇଛନ୍ତି । ୪ବର୍ଷ ହେଲା ମା”ର ଦେଖା ନଥିବାରୁ ପାଠ ଛାଡିଥିବା ସୀତା ଏବେ ୩ଜଣ ଯାକ ଭାଇ ଭଉଣୀଙ୍କ ସମସ୍ତ ଦାୟିତ୍ୱ ନିଜ କାନ୍ଧ ଉପରକୁ ନେଇଛନ୍ତି । ପରଘରେ ପାଇଟି କରି ଯାହା ପାଉଛନ୍ତି ସେଇଥିରେ ଓଳିଏ ଖାଇଲେ ଓଳିଏ ଉପବାସରେ ଦିନ କାଟୁଛନ୍ତି । ନିଜ ଦାଦା ନିମ୍ବାଇ ମୁର୍ମୁ କେତେବେଳେ କିପରି ସହଯୋଗର ହାତ ବଢ଼ାଇ ସେମାନଙ୍କ ଭଲ ମନ୍ଦ ବୁଝା ସୁଝା କରୁଛନ୍ତି । ସରକାର ଗରିବ ଆଦିବାସୀ ମାନଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଥିଲେବି ସେମାନଙ୍କ ପାଇଁ ଯୋଜନା ସବୁ ସାତସପନ ହୋଇଯାଇଛି । ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ସେମାନଙ୍କ ଚଳିବାପାଇଁ କେବଳ ୩୦କିଲୋ ଚାଉଳ ହିଁ ପେଟକୁ ଦାନା ଦେଉଛି । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ବିସ୍ତୃତ ଖବର ପ୍ରକାଶିତ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦୁଝର ଜିଲ୍ଲା ଶିକ୍ଷାଅଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶରେ ବ୍ଲକ ସହ ଶିକ୍ଷାଅଧିକାରୀ ବିନୋଦ କୁମାର ରାଉତ, ସୁରଥ କୁମାର ସାହୁ ପ୍ରମୁଖ ସେମାନଙ୍କ ଘରେ ପହଞ୍ଚି ବୁଝାସୁଝା କରିବା ପରେ ମିଥୁନୁ ମୁର୍ମୁ ଓ ରାହୁଲ ମୁର୍ମୁଙ୍କୁ ଆଣି ବୈଦାଖିଆ ସେବ।ଶ୍ରମରେ ଛାଡିଛନ୍ତି । ସେମାନେ ଏଠାରେ ଛାତ୍ରବାସରେ ରହି ଶିକ୍ଷାଲାଭ କରିବେ । ଅନ୍ୟପକ୍ଷରେ ସରୀତା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବାରୁ ଆସିବାକୁ ନାରାଜ ହୋଇଥିଲା ବୋଲି ଏବିଇଓ ବିନୋଦ କୁମାର ରାଉତ ପ୍ରକାଶ କରିଛନ୍ତି । । ସେମାନଙ୍କର ରହିବାପାଇଁ କୌଣସି ଘରଦ୍ୱାର ନଥିବାରୁ ପ୍ରଶାସନ ପକ୍ଷରୁ ବାସଗୃହ ଖଣ୍ଡିଏ ଯୋଗାଇ ଦେବାକୁ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ପ୍ରଶାସନକୁ ନିବେଦନ କରିଛନ୍ତି ।


