ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସିଭିଲକୋର୍ଟ ପରିସରରେ ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହୋଇଯାଇଛି । ଜିଲ୍ଲା ଦୌରାଜଜ ବିଶ୍ୱଜିତ୍ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଅଦାଲତରେ ୩୫୪ଟି ମାମଲାର ବିଚାର କରାଯାଇ ଜୋରିମାନା ବାବଦକୁ ୧କୋଟି ୫୯ଲକ୍ଷ ୬୪ହଜାର ୮୧୮ଟଙ୍କା ଆଦାୟ କରାଯାଇଛି । ଏହା ବ୍ୟତୀତ ବ୍ୟାଙ୍କ ଋଣ ବାବଦ ୨୩୬ଟି ମାମଲାର ଫଇସଲା କରାଯାଇ ୩୭ଲକ୍ଷ ୩୯ହଜାର ୪୩୦ଟଙ୍କା ଆଦାୟ କରାଯାଇଛି । ୧୫ଟି ମନି ରିକଭରି ମାମଲାର ଫଇସଲା କରାଯାଇ ୩୬ଲକ୍ଷ ୩୮ହଜାର ୧୦୩ଟଙ୍କା ଆଦାୟ କରାଯାଇଥିବାବେଳେ ୨୪ଟି ମୋଟରଯାନ ମାମଲା ଫଇସଲା କରାଯାଇ ୧କୋଟି ୨୧ଲକ୍ଷ ୫୫ହଜାର ଟଙ୍କା ରାଜସ୍ୱ ଆଦାୟ କରାଯାଇଥିଲା । ସେହିପରି ୩ଟି ଖାଉଟି ମାମଲା ଫଇସଲା କରାଯାଇ ୧ଲକ୍ଷ ୭୧ହଜାର ୨୧୫ଟଙ୍କା ଆଦାୟ କରାଯାଇଥିଲା ଓ ୧୫ଟି ପାରିବାରିକ ମାମଲା ଏଇ ଅବସରରେ ଫଇସଲା କରାଯାଇଥିଲା । ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ବିଶ୍ୱଜିତ୍ ମହାନ୍ତି, ପରିବାର ଅଦାଲତ ଜଜ୍ ବିକାଶ ଚନ୍ଦ୍ର ଦେ, ଅତିରିକ୍ତ ଜିଲ୍ଲାଜଜ୍ ଅଜୟ କୁମାର ପ୍ରଧାନ, ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ପୂଜା ଷଡ଼ଙ୍ଗୀ, ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ପ୍ରମୁଖ ବିଭିନ୍ନ ଅଦାଲତରେ ମାମଲାଗୁଡ଼ିକ ବିଚାର କରିଥିଲେ । ସେହି ପରି ବରିଷ୍ଠ ସିଭିଲ୍ଜଜ୍ ଅନ୍ନପୂର୍ଣ୍ଣା ନାୟକ, ଆଲୋକମୟୀ ପ୍ରଧାନ, ଅତିରିକ୍ତ ବରିଷ୍ଠ ସିଭିଲ୍ଜଜ ୍ସ୍ନିଗ୍ଧା ପଣ୍ଡା, ସିଭିଲ୍ଜଜ୍ କୁମାର ସ୍ପନ୍ଦନ, ବିଚାର ବିଭାଗୀୟ ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ୍ ଅମିତ୍ କୁମାର ବେହେରା ପ୍ରମୁଖ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ମାମଲାର ବିଚାର କରିଥିଲେ । ସୂଚନାଯୋଗ୍ୟ ଯେ, ଦରିଦ୍ର, ନିଷ୍ପେସିତ, ଅବହେଳିତ ତଥା ଗ୍ରାମାଂଚଳରେ ଥିବା ଅଶିକ୍ଷିତ ଜନସାଧାରଣ ଏହି ଲୋକ ଅଦାଲତରୁ ବିନା ମୂଲ୍ୟରେ ନ୍ୟାୟ ପାଇପାରିଥାନ୍ତି ।


