ରାଜ୍ୟପାଳଙ୍କ କରକମଲରେ ଉନ୍ମୋଚିତ ହେଲା ‘ମାଟିର ମହାନାୟକ’
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରାଙ୍କ ଶିଶୁ ପୁସ୍ତକ ( ସ୍ୱାଧୀନତା ସଂଗ୍ରାମୀଙ୍କ ଆତ୍ମ ଜୀବନୀ) ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲ୍ଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଶ୍ରୀମତୀ ବେହେରାଙ୍କ ସ୍ୱାମୀ ତଥା ପୁସ୍ତକର ପ୍ରକାଶକ ଏବଂ ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ପୁତ୍ର ପାର୍ଥସାଇ ବେବର୍ତ୍ତା ଏବଂ ପିତା ବୈରାଗୀ ଚରଣ ବେହେରା ଉପସ୍ଥିତ ଥିଲେ । ଶ୍ରୀମତୀ ବେହେରାଙ୍କ ଏହା ପ୍ରଥମ ସଂକଳନ । ସେ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକ ଲେଖିଛନ୍ତି । ୫୬ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ଉପରେ ଆଧାରିତ ଏହି ପୁସ୍ତକଟି ସମସ୍ତ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ନିମେନ୍ତ ସହାୟକ ହେବ । ପ୍ରକାଶଥାଉକି ଶ୍ରୀମତୀ ବେହେରା ୭ମ ଶ୍ରେଣୀରେ ପଢ଼ୁଥିବା ସମୟରେ ପ୍ରଥମ ଥର କବିତା ଲେଖି ତାଙ୍କର ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁବାଳା ଦାସ ଠାରୁ ପ୍ରଶଂସା ପାଇବା ପରେ ତାଙ୍କର ଲେଖନୀ ଚାଳନା ଆଉ ବନ୍ଦ ହୋଇନାହିଁ । ବର୍ତ୍ତମାନ ସେ ମଳାସପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ ତଥା ଲୋହରାଖଣ୍ଡି ସାହିତ୍ୟ ସଂସଦର ପରିଚାଳନା ସମ୍ପାଦିକା, ଘୁମୁସର ଲେଖିକା ସଂସଦର ସାଂଗଠନିକ ସମ୍ପାଦିକା ସହିତ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଅଛନ୍ତି । ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର କବିତା, ପ୍ରବନ୍ଧ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ । ଶ୍ରୀମତୀ ବେହେରା ରାଜ୍ୟପାଳଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସାହିତ୍ୟିକ ତଥା ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ରକ୍ଷକ ନାୟକ ଏବଂ ପ୍ରକାଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।