ଓରାଳି ଶାଳଣିଆଁ ରାସ୍ତାରୁ ଦୁଇଟି ବାଲିବୋଝେଇ ଟ୍ରାକ୍ଟରକୁ ଜବଦ କଲା ପୁଲିସ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଓରାଳି-ଶାଳଣିଆଁ ରାସ୍ତାର ଓରାଳି ଗାଁ ନିକଟରୁ ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବଦ କରିଛି ନନ୍ଦିପଦା ପୁଲିସ । ଗତକାଲି ରାତିରେ ନନ୍ଦିପଦା ପୁଲିସର ଏକ ପେଟ୍ରୋଲିଂ ଟିମ ଶାଳଣିଆଁ ଅଞ୍ଚଳରୁ ପେଟ୍ରୋଲିଂ ସାରି ଫେରୁଥିବାବେଳେ ମୁଦୁଲିପଦା ଗାଁ ନିକଟରେ ଦୁଇଟି ଟ୍ରାକ୍ଟର ବାଲିବୋଜେଇ କରି ଯାଉଥିବାବେଳେ ତାକୁ ଅଟକ ରଖି ବାଲିର କାଗଜପତ୍ର ମାଗିବାରୁ ଟ୍ରାକ୍ଟର ଚାଳକ ଦୁଇଜଣ କାଗଜପତ୍ର ଦେଖାଇବା ପରିବର୍ତ୍ତେ ଟ୍ରାକ୍ଟର ଛାଡି ଦୌଡି ପଳାଇଥିଲେ । ପୁଲିସ ଟ୍ରାକ୍ଟର ଦୁଇଟିକୁ ଜବଦକରି ଥାନାକୁ ନେଇ ଅଟକ ରଖିଛି । ଟ୍ରାକ୍ଟର ଦୁଇଟିର ନମ୍ବର ନଥିବାବେଳେ ଟ୍ରାକ୍ଟର ଡାଲାର ମଧ୍ୟ ନମ୍ବର ନାହିଁ । ଟ୍ରାକ୍ଟର ଦୁଇଟି ଆପଣ୍ଡା ଅଞ୍ଚଳର ବୋଲି ଜଣାଯାଇଛି । ଏହି ରାସ୍ତାରେ ଦୈନିକ ଶହଶହ ବେଆଇନ ବାଲିବୋଝେଇ ଟ୍ରାକ୍ଟର, ହଇୱା, ଟ୍ରକ ଯାତାୟତ କରୁଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।


