ଜନ୍ମଦିନର ଯନ୍ତ୍ରଣା

ଛୋଟି, ଏ ଛୋଟି ବୋଲି ଡାକ ଶୁଭିଲାଣି । ଆଶ୍ରମ ଅଫିସ୍‌ରୁ ଡକରା ମାନେ ପୁଣି ଅନେକ ଦୀର୍ଘ ନିଶ୍ୱାସ । ତରବର ହୋଇ ବାହାରି ଆସିଲି, ମନୁ ଭାଇ ଆମ ଆଶ୍ରମର ଜଗୁଆଳିଙ୍କ ସହ ଅଫିସ୍ ଆଡେ ଚାଲିଲି । ମୁନୁ ଭାଇ କହୁଥାନ୍ତି ଆରେ ତମର ସବୁ ତ ଭାଗ୍ୟ ବଡ ଉଜ୍ୱଳ, ଏ ଅକ୍ଟୋବରର ପୁରା ଲଟେରି ତମର । ଗାନ୍ଧି ଜୟନ୍ତୀ, ଜନ୍ମଦିନ, ବାଳିକା ଦିବସ ପୁଣି ନବ ରାତ୍ର, ତମର ସବୁ ଭଲ ଖାଇବା ଆଉ କେତେ ପେପରରେ ନିଜ ନିଜ ଫଟୋ….. ମୁଁ କିନ୍ତୁ କିଛି ନ ଶୁଣିଲା ପରି ଚାଲିଥାଏ । କାରଣ ଏ ଆଶ୍ରମର ମୁଁ ସବୁଠାରୁ ପୁରୁଣା ଆଶ୍ରିତା ଆଉ ସମାଜ ଲାଗି ସବୁଠୁ ବେଶୀ ଅଲୋଡା ମଧ୍ୟ । ସତର ବର୍ଷରେ ବୋଧେ ଏ ସତୁରୀ କି ଅଧିକ ଥର ଧାଡିରେ ଠିଆ ହେଇଛି କାଳେ କେଉଁ ବାପା-ମାଙ୍କର ମୁଁ ପସନ୍ଦ ଆସିଯିବି ଆଉ ମତେ ସେମାନେ ପୌଷ୍ୟ ଭାବେ ନିଜ ଘରକୁ ନେଇଯିବେ । ହେଲେ ଏକ ତ ଝିଅ-ପୁଣି ଛୋଟି କାହାରି ସ୍ନେହ ପାଇବାର ଯୋଗ୍ୟତା ମୋର ନାହିଁ । ଆଉ ମୋ ପରେ ଅନେକ ଝିଅ ଆଶ୍ରମ ଆସି କୁଆଡେ ଭାଗ୍ୟ ଜୋର୍ ବୋଲି କାହା କାହା ନିଃସନ୍ତାନର କଷ୍ଟରୁ ଦୂର କରେଇଛନ୍ତି, ମୁଁ ଏବେ ଯେତେ ନୂଆ ଛୁଆ ଆସନ୍ତି ସେମାନଙ୍କର ଧାଇ ମା……ପାଠ ପଢ଼େଇ ଦିଏ, ଖେଳାଏ, ଗପ କହେ, ଆଉ ଏମିତି କାହା ଜନ୍ମଦିନ, ଶ୍ରାଦ୍ଧ ଦିବସ କି ମାନସିକ ପୁରଣ ବେଳେ ମତେ ଖୋଜା ପଡେ ଅଫିସ୍‌ରେ । ଆମ ପ୍ରିୟା ଦିଦି ମତେ ଖାଲି କହି ଦିଅନ୍ତି କେତେବେଳେ କାହାର ଆସିବାର ଅଛି, ଆଉ ମୁଁ ସମସ୍ତଙ୍କୁ ଆଗରୁ କହି କି କେମିତି ନମସ୍କାର କରିବେ, କାହା ପିଲା ଜନ୍ମଦିନ କେକ୍ ଦେଖି ଛଡା ଛଡି ହେବେନି, ଫଟୋ ଉଠାହେବ, କିଛି ଭାଷଣ ଶୁଣା ହେବ ଆଉ ତା’ ପରେ ଯାହା ଦେବେ ତାକୁ ଖାଇ, କଲମ-ଖାତା କି ଚକ୍‌ଲେଟ୍ ମିଳିଲେ ଧରି ପୁଣି ନିଜ ରୁମ୍‌କୁ ଯିବାକୁ । ଅଫିସ୍ ରୁମ୍‌ରେ ପ୍ରିୟା ଦିଦିଙ୍କ ସହିତ ତିନି ଚାରି ଜଣ ସ୍ତ୍ରୀ ଲୋକ ଆଉ ଜଣେ ଯୁବକ ବସିଥିଲେ । ମତେ ଦେଖୁ ଦେଖୁ ଦିଦି କହିଲେ ହେଇ ଛୋଟି ଆସିଲାଣି ସେ ଆପଣଙ୍କ ବରାଦ ମୁତାବକ ସବୁ ସଜାଡି ଦେବ । ସେ ମହିଳାଙ୍କ ମଧ୍ୟରୁ ଜଣେ ମତେ ଗୋଡରୁ ମୁଣ୍ଡ ଯାଏଁ ଚାହିଁ ପଚାରିଲେ ୟା ଗୋଡ କ’ଣ ଜନ୍ମରୁ ଏମିତି ବଙ୍କା? ଦିଦି ଉତ୍ତର ଦେଲେ ହଁ ଆଜ୍ଞା ବିଚାରିକୁ ପାଞ୍ଚ-ସାତ ଦିନ ହେଇଥିବ କେହି ଜଣେ ତାକୁ ଉଚ୍ଚ ନଈ ବନ୍ଧରୁ ତଳକୁ ଫୋପାଡି ଦେଇଥିଲା । ଆଉ ତା’ର ଗୋଡ ଭାଙ୍ଗି ବି ସେ ବଞ୍ଚିଗଲା ଆଜ୍ଞା, ଆଉ ପୋଲିସ୍ ଆଣି ଆମ ଆଶ୍ରମରେ ଛାଡିଲା । ଏ କଥା ମୁଁ ସବୁବେଳେ ଶୁଣେ ଆଉ ମନେ ମନେ କୁହେ କେହି ଜଣେ ନୁହେଁ, ମୋ ବାପା କି ମା’ ମତେ ଫିଙ୍ଗିଥିଲେ । ସେ ମାଡାମ୍ ମତେ ପାଖରେ ବସେଇ ମୁଣ୍ଡ ଆଉଁଷୁ ଥିଲେ, କହୁଥିଲେ ମା’ରେ ଏଇ ବାଳିକା ଦିବସ ଦିନ ଆମ କ୍ଲବ ସେକ୍ରେଟାରୀଙ୍କ ଝିଅ ଜନ୍ମଦିନ, ତ ଆମେ ଏଇଠି ପାଳିବୁ ଏ ବର୍ଷ । ବେଲୁନ୍‌, ଝାଲର ଆଜି ଦେଇଯିବୁ ତମେ ସବୁ ଯାହା ଇଛା ସଜେଇବ । ଆମେ ଏଗାର ତାରିଖ ଆସିଲା ବେଳେ କେକ୍‌, ଚକଲେଟ୍‌, ମିଠା ସବୁ ଆଣିବୁ, ଭଲ ମଧ୍ୟାହ୍ନ ଭୋଜନ ଲାଗି ପାଞ୍ଚ ହଜାର ଟଙ୍କା ବି ଦେଇଯିବୁ, ନା ଆଉ କିଛି ଇଛା ଅଛି କହ, ଆମେ ସବୁ ପୁରା କରିବୁ । ମୁଁ ଖାଲି ତଳକୁ ମୁଣ୍ଡ କରି ଆଜ୍ଞା ରେ ଉତ୍ତର ଦେଉଥାଏ । ସେମାନଙ୍କ ସାଥିରେ ଥିବା ଯୁବକ ଜଣକ ମୋବାଇଲ୍‌ରେ ଫଟୋ ଉଠାଇ ଚାଲିଥାନ୍ତି, ଅନ୍ୟ ମାଡାମ ମାନେ ବି ଆସି ଆମ ପାଖେ ଠିଆ ହେଇ ପଡିଲେ, କିଏ ମୁଣ୍ଡରେ ହାତ, ତ କିଏ ମୋ ହାତ ଧରି ପୋଜ୍ ଦେଉଥିଲେ । ଆଉ ମୁଁ ମନେ ମନେ ଭାବୁଥିଲି ଆମକୁ ଆପଣମାନଙ୍କ ସ୍ନେହ ସବୁଦିନ ଲାଗି ଦରକାର । ଆମକୁ ଏମିିତି ଦିନିକିଆ ପାଳନ ନ କରି ମା-ବାପା ଦରକାର, ପରିବାର ଆଉ ଟିକେ ସମ୍ମାନ ଦରକାର…. ମୋ ଭାବନାରେ ପୁର୍ଣ୍ଣଛେଦ ପକେଇ, ସେ ଯୁବକ କହିଲେ ଛୋଟ ଛୁଆଙ୍କ ସହ ଫଟୋ ଭଲ ଆସିବ, ଚାଳନ୍ତୁ ଆଶ୍ରମ ଯିବା । ମୁଁ କହିଲି ପିଲାମାନେ ସ୍କୁଲ ଯାଇଛନ୍ତି । ଆଉ ସମସ୍ତେ ପ୍ରିୟା ଦିଦିଙ୍କୁ କହିଲେ ଜନ୍ମ ଦିନ ଝିଅଟି ବାର ବର୍ଷର ତ ଛୋଟ ପିଲାଙ୍କୁ ବେଶୀ କେକ୍ କଟାରେ ରଖିବେ । ବଡଗୁଡା ଖାଆନ୍ତୁ, ଉପହାର ନିଅନ୍ତୁ କିନ୍ତୁ ସେମାନେ ଠିଆ ହେଲେ ଫଟୋଗୁଡାର ଡିମାଣ୍ଡ ରହିବନି । ମୋର ଆଉ କିଛି ଶୁଣିବାର କି କହିବାର ନଥିଲା ।ଏମିତି ଅନେକ ଥର ହେଇଛି ବଡ କେକ୍ ଧରି ଜନ୍ମଦିନ ଆମ ସହ ପାଳିବାକୁ ଆସନ୍ତି, ଆମେ ସମସ୍ତେ ଅଭ୍ୟସ୍ତ ଏକ ସଙ୍ଗେ ତାଳିବଜେଇ, ହାପି ବାର୍ଥଡେ… କହିବା ଲାଗି । ତିନି ବର୍ଷର ମୀରା ଠୁ ମୋ ଭଳି ଛୋଟି ସମସ୍ତଙ୍କ ଆତ୍ମାରୁ ଦୀର୍ଘ ଶ୍ୱାସ ବାହାରେ, ବିକଳ ହେଇ ସମସ୍ତେ ଅନେଇ ରହୁ, ଆଉ ଫଟୋ ଉଠାରେ ବ୍ୟସ୍ତ ବାବୁ-ବାବୁଆଣୀମାନେ ଯେତେବେଳେ କୁହନ୍ତି ଆରେ…. ଆରେ ସେମାନଙ୍କୁ ଆଗେ କେକ୍ ଦିଅ, କେତେ ବିକଳ ହେଇ ଚାହିଁଛନ୍ତି । ଭଗବାନ ଯେ କି ନିଷ୍ଠୁର, ଆମ ଭଳି ବାଦାନ୍ୟ ଲୋକ ନଥିଲେ ଏମାନଙ୍କ ଦୁନିଆ ତ ରଙ୍ଗହୀନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ