କେନ୍ଦ୍ରାପଡା କଲେଜରେ +୨ କଲେଜ ଅଧ୍ୟାପକଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ କରାଇବାକୁ ମସୁଧା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମହାବିଦ୍ୟାଳୟରେ ଅଧୁନା ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା ଗୋପାଳ ଚନ୍ଦ୍ର ବେହେରା ଆସନ୍ତା ନଭେମ୍ବରମାସ ୩୦ତାରିଖରେ ଅବସର ଗ୍ରହଣ କରିବେ । ଅଧ୍ୟକ୍ଷ ବେହେରାଙ୍କ ପରେ କେନ୍ଦ୍ରାପଡା ମହାବିଦ୍ୟାଳୟର ବରିଷ୍ଠତା ଭିତ୍ତିରେ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସଞ୍ଜୀବ କୁମାର ମହାନ୍ତିଙ୍କ ନାମ ପ୍ରଥମରେ ଥିବା ବେଳେ ଦ୍ୱିତୀୟ ବରିଷ୍ଠ ଭାବେ ଗଣିତ ବିଭାଗର ଅଧ୍ୟାପକ ଅଶୋକ କୁମାର ମିଶ୍ର, ତୃତୀୟ ବରିଷ୍ଠ ଭାବେ ପରିସଂଖ୍ୟାନ ବିଭାଗର ଅଧ୍ୟାପିକା ମିନତୀ ପ୍ରଭା ଜେନା ଓ ଚତୁର୍ଥ ବରିଷ୍ଠ ଭାବେ ସେହି ପରିସଂଖ୍ୟାନ ବିଭାଗର ଅଧ୍ୟାପିକା ପୂର୍ଣ୍ଣମାସୀ ପଣ୍ଡାଙ୍କ ନାମ ରହିଛି । କିନ୍ତୁ ବର୍ତ୍ତମାନର ଅଧ୍ୟକ୍ଷ ଶ୍ରୀ ବେହେରା ନିକିରାଇ ବୀର ହନୁମାନଜୀଉ +୨ ମହାବିଦ୍ୟାଳୟରୁ କେନ୍ଦ୍ରାପଡା ମହାବିଦ୍ୟାଳୟକୁ ବଦଳି ହୋଇ ଆସିଥିବା ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ଜ୍ଞାନୀନ୍ଦ୍ର ଦାଶ ଏବଂ ଅଡଶପୁର ମହାବିଦ୍ୟାଳୟରୁ କେନ୍ଦ୍ରାପଡା କଲେଜକୁ ବଦଳି ହୋଇ ଆସିଥିବା ଇଂରାଜୀ ବିଭାଗ ଅଧ୍ୟାପକ ମନୋରଞ୍ଜନ ମହାନ୍ତିଙ୍କ ନାମ ବେଆଇନ ଭାବେ ଉଚ୍ଚଶିକ୍ଷା ବିଭାଗକୁ ସୁପାରିଶ କରିବାକୁ ମସୁଧା ଚଳାଇଥିବା ଏକ ବିଶେଷ ସୁତ୍ରରୁ ଜଣାପଡିଛି । ଉଭୟ ଅଧ୍ୟାପକ ଶ୍ରୀ ଦାଶ ଓ ଅଧ୍ୟାପକ ଶ୍ରୀ ମହାନ୍ତି +୨ କଲେଜରୁ ଚାକିରୀ ଆରମ୍ଭ କରି ପରେ କେନ୍ଦ୍ରାପଡା କଲେଜକୁ ଆସିଥିବା ବେଳେ ସେମାନେ ୨୩୩ବର୍ଗର ଅଧ୍ୟାପକ ଅଟନ୍ତି । ଏଠାରେ ସୂଚନା ଯୋଗ୍ୟଯେ ଅର୍ଥଶାସ୍ତ୍ର ବିଭାଗ ଅଧ୍ୟାପକ ଶ୍ରୀ ଦାଶ ନିକିରାଇସ୍ଥିତ ବୀର ହନୁମାନଜୀଉ +୨ କଲେଜରେ ଗତ ତା ୪.୦୭.୧୯୮୮ମସିହାରେ ଯୋଗଦେଇଥିବା ବେଳେ ତାଙ୍କୁ ଗତ ତା ୦୧.୦୬.୧୯୮୮ମସିହାରୁ (୧/୩) ସରକାରୀ ଅନୁଦାନରେ ଦରମା ମିଳିଥିବା ଉଚ୍ଚଶିକ୍ଷା ବିଭାଗର ଜି.ଓ. ନମ୍ବର ୨୮୩୮୦ ତା ୦୧.୦୫.୧୯୯୧ କହୁଛି । ଏତଦବ୍ୟତିତ ଓଡିଶା ଉଚ୍ଚ ନ୍ୟାୟାଳୟ ଏକ ମାମଲାରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିଥିବା ନିର୍ଦେଶର ବିଚାର କରି ଉଚ୍ଚଶିକ୍ଷା ବିଭାଗ ଗତ ତା ୪.୦୮.୨୦୨୩ରିଖରେ ନିର୍ଦେଶନାମା ନମ୍ବର -୩୩୦୪୭/ଏଚଇ ରେ ଜୁନିଅର କଲେଜର ଅଧ୍ୟାପକ +୩ କଲେଜର ଅଧ୍ୟକ୍ଷ ହୋଇପାରିବେନି ବୋଲି ନିର୍ଦେଶନାମା ଜାରି କରିଛନ୍ତି । ଏହାବ୍ୟତିତ ସରକାରଙ୍କ ନିୟମ ଅନୁଯାୟୀ ଜଣେ କର୍ମଚାରୀ ଗୋଟିଏ ସ୍ଥାନରେ ୩ବର୍ଷ ପୁରଣ କରିଥିଲେ ସେଠାରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯିବା କଥା । କିନ୍ତୁ ଅଧ୍ୟାପକ ଶ୍ରୀ ଦାଶ କେନ୍ଦ୍ରାପଡା କଲେଜରେ ଦୀର୍ଘ ୧୮ବର୍ଷରୁ ଉର୍ଦ୍ଧ୍ୱ ରହି ଆସିଥିବା ବେଳେ ତାଙ୍କୁ ଏଠାରୁ କାହିଁକି ବଦଳି କରାଯାଇନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗତ କିଛି ବର୍ଷ ଧରି ହୋଇଥିବା ଅର୍ଥ ତୋଷରପାତ, ମହାଦୁର୍ନୀତି ଓ ଘୋଟାଲା ଗୁଡିକୁ ଚପାଇଦେବାକୁ ବର୍ତ୍ତମାନର କଲେଜ ଅଧ୍ୟକ୍ଷ ଏଭଳି ବେଆଇନ ଭାବେ +୨ କଲେଜର ୨ଜଣ ଅଧ୍ୟାପକଙ୍କ ନାମକୁ ଉଚ୍ଚଶିକ୍ଷା ବିଭାଗକୁ ସୁପାରିଶ କରିବାକୁ ମସୁଧା ଚଳାଇଥିବା ପୁରାତନ ଛାତ୍ର ପରମାନନ୍ଦ ମହାରଣା, ବାନାମ୍ବର ସାହୁ, ଦୈତାରୀ ସେଠୀ, ପ୍ରତାପ ମହାନ୍ତି ପ୍ରମୁଖ ଅଭିଯୋଗ କରିବା ସହିତ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।