ଲିଖିତ ପ୍ରତୃଶୃତି ପରେ ୭ଦିନରେ ଆମରଣ ଅନଶନ ପ୍ରତ୍ୟାହୃତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କଂଟୁଣିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଅଭିଭାବକ ଭବାନୀ ଶଙ୍କର ମିଶ୍ର ୩ ଦଫା ଦାବି ନେଇ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ଅକ୍ଟୋବର ୧୮ରେ ଆମରଣ ଅନଶନରେ ବସି ରହିଥିଲେ । ଅନଶନ ପ୍ରତ୍ୟାହୃତ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ନିରଂଜନ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପରେଶ ପାତ୍ର, ବ୍ଳକ ଶିକ୍ଷାଧିକାରୀ ମନୋରମା ରାଉତ ଆଦି ବାରମ୍ବାର ଆଲୋଚନା କରିଥିଲେ ମଧ୍ୟ ଅନଶନ ପ୍ରତ୍ୟାହୃତ ହୋଇ ନଥିଲା । ଦୀର୍ଘ ୭ଦିନ ବସିବା ପରେ ଅକ୍ଟୋବର ୨୪ତାରିଖ ସଂଧ୍ୟାରେ ଲିଖିତ ପ୍ରତିଶୃତି ପାଇବା ପରେ ନାଉଗାଁ ତହସିଲଦାର ଏସ.କେ. ସାଗିରଙ୍କ ଉପସ୍ଥିରେ ମିଶ୍ର ଅନଶନ ପ୍ରତ୍ୟାହୃତ କରିଛନ୍ତି । ଯଦି ୩୦ଦିନ ମଧ୍ୟରେ ଲିଖିତ ପ୍ରତିଶୃତି କାର୍ଯ୍ୟକାରୀ ନହୁଏ ତେବେ ୩୦ଦିନ ପରେ ପୁନର୍ବାର ଆମରଣ ଅନଶନ କରିବେ ବୋଲି ଲିଖିତ ଭାବେ ଜିଲ୍ଲା ଶିକ୍ଷାଧିକାରୀ, ଥାନାଧିକାରି ନାଉଗାଁ, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ଳକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ନିରଂଜନ ବେହେରାଙ୍କ ଲିଖିତ ପ୍ରତିଶୃତି ଅନୁସାରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ତାଙ୍କ ଠାରୁ ଉକ୍ତ ନୋଟିସର ଲିଖିତ ଜବାବ ପାଇ ସାରିବା ପରେ ତାହାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟକୁ ପ୍ରେରଣ କରାଯିବ । ତାହା ଉପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଦର୍ଶାଯାଇଛି । ସେହିପରି ବ୍ଳକ ଶିକ୍ଷାଧିକାରୀ ମନୋରମା ରାଉତ ସିଆରସିସିଙ୍କ ନିକଟକୁ ପଠାଯାଇଥିବା କାରଣ ଦର୍ଶାଅ ନୋଟିସର ଉତର ପାଇ ସାରିବା ପରେ ୩୦ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ପ୍ରତିଶୃତି ଦେଇଛନ୍ତି । ନାଉଗାଁ ତହସିଲଦାର ଏସ.କେ.ସାଗିରଙ୍କ ଉପସ୍ଥିତିରେ ପ୍ରତିଶୃତି ପାଇବା ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନଇଚ୍ଛା କାର୍ଯ୍ୟ କରୁଥିବା ମିଶ୍ର ଲିଖିତ ଭାବେ ଜିଲ୍ଲା ଶିକ୍ଷାଧିକାରୀ ଜଗତସିଂହପୁର,ବ୍ଳକ ଶିକ୍ଷାଧିକାରୀ ନାଉଗାଁଙ୍କୁ ଜଣାଇଥିଲେ । ମିଶ୍ରଙ୍କ ଅଭିଯୋଗ ମୁତାବକ କଂଟୁଣିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ୨୦୨୩ ଜୁଲାଇ ୧୨ରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ଉପସଭାପତି ଚୟନ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଜୁଲାଇ ୨୦ରେ ଏକ ୧୨ଜଣିଆ କମିଟି ଗଠନ କରାଯାଇଥିଲା ।ଜୁଲାଇ ୨୩ରେ ପ୍ରଧାନ ଶିକ୍ଷକଙ୍କ ନୋଟିସ ମୁତାବକ ସରକାରଙ୍କ ନିୟମାନୁସାରେ ଜୁଲାଇ ୨୫ରେ ନିର୍ବାଚନ କରାଯାଇ ସଭାପତି ଓ ଉପସଭାପତି ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।କିନ୍ତୁ ଦୀର୍ଘ ୨ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଶଙ୍କର ସାହୁ ଉକ୍ତ କମିଟିକୁ କାର୍ଯ୍ୟକ୍ଷମ କରୁନାହାନ୍ତି ।ହେଲେ ବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମନଇଚ୍ଛା କରାଯାଉଛି । ଯାହାକୁ ନବନିର୍ବାଚିତ ସଦସ୍ୟମାନେ ପ୍ରଧାନ ଶିକ୍ଷକଙ୍କ ମନଇଚ୍ଛା କାର୍ଯ୍ୟକୁ ବିରୋଧ କରିଥିଲେ । ଏହାସହିତ ଭବାନୀ ଶଙ୍କର ମିଶ୍ର କଂଟୁଣିଆ ନୋଡାଲ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବହିଷ୍କାର,ସିଆରସିସିଙ୍କୁ ନିଲମ୍ବିତ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ଉପ ସଭାପତିଙ୍କୁ କ୍ଷମତା ପ୍ରଦାନ କରିବା ଦାବିରେ ଆମରଣ ଅନଶନରେ ବସିରହିଥିଲେ ।