ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବରେ ହିଞ୍ଜିଳି ସହର ଉତ୍ସବମୁଖର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଗ୍ରାମାଞ୍ଚଳ ଗୁଡ଼ିକ ଉତ୍ସବମୁଖର ହୋଇଉଠିଛି । ଗଜଲକ୍ଷ୍ମୀଙ୍କୁ ଅରାଧନା କରିବା ଲାଗି ସକାଳୁ ଅପରାହ୍ନ ଯାଏଁ ଅସ୍ଥାୟୀ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ପୁରୋହିତଙ୍କ ମନ୍ତ୍ର ଧ୍ୱନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହେଉଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଗ୍ରାମାଞ୍ଚଳର ଗ୍ରାମବାସୀ ଭକ୍ତି ଭାବନାର ଡ଼ୋରିରେ ବନ୍ଧା ହୋଇ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଆରାଧନାରେ ନିମଗ୍ନ ରହିଛନ୍ତି । ରଙ୍ଗ ବେରଙ୍ଗ ବାନା ସାଙ୍ଗକୁ ସୁସଜ୍ଜିତ କଳାକୁଞ୍ଜ ଏବଂ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଅସ୍ଥାୟୀ ପୂଜା ମଣ୍ଡପ । ହିଞ୍ଜିଳିକାଟୁ ପୌରାଞ୍ଚଳ ଘୋଡାହାଡ ନଦୀ ନିକଟସ୍ଥ ରାଧାକୃଷ୍ଣ ହୋଲସେଲ ପରିବା ବଜାର ସମେତ ବଇଁଚବଣିଆ ପୂଜା ମଣ୍ଡପ, ହିଞ୍ଜିଳି ମଠପଦର ସାହି ଅସ୍ଥାୟୀ ପୂଜା ମଣ୍ଡପ ଏବଂ ନିକଟବର୍ତ୍ତି ଗ୍ରାମରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା । ଚନ୍ଦ୍ର ଗ୍ରହଣ ଯୋଗୁଁ ପୂଜା ମଣ୍ଡପ ଗୁଡିକରେ ଅପରାହ୍ନ ୪ଘଣ୍ଟା ପରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ବନ୍ଦ ରହିଥିଲା । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ପୌରାଞ୍ଚଳ ରାଧାକୃଷ୍ଣ ପରିବା ବଜାର ସଂଘ ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଅବସରରେ ଶୁକ୍ରବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିଥିଲେ। ଶନିବାର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବା ସହ ଆସନ୍ତା ମଙ୍ଗଳବାର ଦିନ ଅଧିବାସ, ଜଳଯାତ୍ରା ଓ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ। ୩ ତାରିଖ ଶୁକ୍ରବାର ଦିନ ନାମଯଜ୍ଞ ପୂର୍ଣ୍ଣାହୁତି, ଦଧିହାଣ୍ଡି ଭଞ୍ଜନ, ନଗର ଭ୍ରମଣ, ଯମୁନା ସ୍ନାନ ଓ ମା’ ଗଜଲକ୍ଷ୍ମୀଙ୍କ ପୂର୍ଣ୍ଣାହୁତି ସହ ଅନ୍ନଯଜ୍ଞ ଅନୁଷ୍ଠିତ ହେବ ବୋଲି ସଂଘ ସମ୍ପାଦକ କୃଷ୍ଣ ଚନ୍ଦ୍ର ଗୌଡଙ୍କ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ