ଜିଲ୍ଲା ସ୍ତରୀୟ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ

ବାଲେଶ୍ବର, (ସରୋଜ ପଣ୍ଡା) : ବାଲେଶ୍ବର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୁଲ୍ୟରେ ତଥା ଜିଲ୍ଲା ଜରୁରୀକାଳିନ ବିଭାଗ ଆୟୋଜନାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ସମାରୋହ,୨୦୨୩ ଆଜି ବାଲେଶ୍ବର ସଦର ମହକୁମାରେ ପାଳିତ ହୋଇଯାଇଛି। ପ୍ରକାଶ ଥାଉକି ୧୯୯୯ ମହାବାତ୍ୟା ଘଟିଥିବା ଆଜିର ଦିନକୁ ଏହି ଦିବସ ରୂପେ ପ୍ରତିବର୍ଷ ପାଳନ କରାଯାଇ ଆସୁଛି। ଚଳିତ ବର୍ଷ ଦିବସର ବିଷୟ ରହିଛି “ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା”। ଏହି ପରିପ୍ରେକ୍ଷୀରେ ସକାଳ ୯ଘଟିକାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରୁ ଏକ ସଚେତନତା ରାଲୀ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା। ଏଠାରେ ଏନ୍.ଡି.ଆର୍.ଏଫ୍. ଏବଂ ଓ.ଡି.ଆର୍.ଏ.ଏଫ୍. କର୍ତ୍ତୃପକ୍ଷଙ୍କ ଦ୍ବାରା ମକ୍ ଡ୍ରିଲ, ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ସୁରକ୍ଷା ଯନ୍ତ୍ର ଓ ପ୍ରଣାଳୀର ପ୍ରଦର୍ଶନ କରାଯାଇଥିଲା। ତତ୍ ପରେ ସ୍ଥାନୀୟ ସଦଭାବନା ସଭା ଗୃହରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ୧୯୯୯ ମହାବାତ୍ୟା ଭୟାବହତାର ସ୍ମୃତିଚାରଣ କରିବା ସହ ଆଜିକାର ଉନ୍ନତ ପ୍ରସ୍ତୁତି ବିଷୟରେ ବକ୍ତବ୍ୟ ରଖିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ମୃତ୍ୟୁ ଲକ୍ଷ୍ୟରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଆନ୍ତର୍ଜାତୀୟ ସ୍ଥରରେ ପ୍ରଶଂସିତ ହେବା ସହ ସାରା ବିଶ୍ବ ପାଇଁ ଏକ ମଡେଲ ଭାବେ ଗ୍ରହଣୀୟ ହୋଇଛି ବୋଲି ସେ ବ୍ୟକ୍ତ କରିଥିଲେ।ଗୋଷ୍ଠୀ ସ୍ତରରେ ସଶକ୍ତିକରଣ ଏବଂ ସୁରକ୍ଷା ଯନ୍ତ୍ରର ବ୍ୟବହାରିକତା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ। ଅନ୍ୟତମ ଅତିଥିଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ ଗୋଷ୍ଠୀ ସ୍ତରରେ ସୁରକ୍ଷା ଜ୍ଞାନ କୌଶଳର ପ୍ରଶିକ୍ଷଣ ଉପରେ ଜୋର୍ ଦେଇଥିଲେ। ମଞ୍ଚାସୀନ ଏନ୍.ଡି.ଆର୍.ଏଫ୍.ର ଅଧିକାରୀ ଶ୍ରୀ ଅରୁଣ ଲାମ୍ବା, ଓ.ଡି.ଆର୍.ଏ.ଏଫ୍.ର ଅଧିକାରୀ ଶ୍ରୀ ଅଭୟ କୁମାର ଦଳେଇ, ଅଗ୍ନିଶମ ସେବା ବିଭାଗର ଅଧିକାରୀ ଶ୍ରୀ ଜମୁନା ପ୍ରସାଦ ମହାନ୍ତ ପ୍ରମୁଖ ମହାବାତ୍ୟାରୁ ଆଜି ପର୍ଯ୍ୟନ୍ତ ବିଗତ ୨୪ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ସଫଳତାର ଏକ ତୁଳନାତ୍ମକ ଚିତ୍ର ବର୍ଣ୍ଣନା କରିଥିଲେ। ମଞ୍ଚାସୀନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସ ମହାବାତ୍ୟା ବେଳର ଅନୁଭୂତି ବର୍ଣ୍ଣନା କରିବା ସହ ଉପସ୍ଥିତ ଏନ୍.ସି.ସି., ସ୍କାଉଟ୍ ଓ ଅନ୍ୟ ଛାତ୍ର ଛାତ୍ରୀ ତଥା ଆପଦା ମିତ୍ର ମାନଙ୍କୁ ସାହସ ଓ ଧୈର୍ଯ୍ୟର ସହ ବିପର୍ଯ୍ୟୟର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। ସଭା ପରିଚାଳନା କରି ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା ଜିଲ୍ଲା ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ବିବରଣୀ ରଖିବା ସହ ଗ୍ରାମ,ଗୋଷ୍ଠୀ ଓ ଜିଲ୍ଲା ସ୍ତରରେ ଚାଲୁଥିବା ବିପର୍ଯ୍ୟୟ ପରିଚାଳନା ଯୋଜନା ଉପରେ ଏକ ବିସ୍ତୃତ ବର୍ଣ୍ଣନା ରଖିଥିଲେ। ସଭା ଆରମ୍ଭରେ ମହାବାତ୍ୟାରେ ପ୍ରାଣ ହରାଇଥିବା ତଥା ନିକଟ ଅତୀତରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦିବଂଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବିପର୍ଯ୍ୟୟ ପରିଚାଳନା ଓ କର୍ତ୍ତବ୍ୟ ନିମନ୍ତେ ଏକ ଶପଥ ପାଠ କରାଯାଇଥିଲା। ବିପର୍ଯ୍ୟୟ ପ୍ରସ୍ତୁତି,ପରିଚାଳନା ଓ ହ୍ରାସ ବିଷୟକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ କରାଯାଇଥିବା ପ୍ରବନ୍ଧ,ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସଭାରେ ବିଭିନ୍ନ ବିଭାଗୀୟ ଅଧିକାରୀ,କର୍ମଚାରୀ, ଛାତ୍ର ଛାତ୍ରୀ,ସାଧାରଣ ଜନତା, ବୁଦ୍ଧଜୀବୀ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ମଞ୍ଚାସୀନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ