୧୧ତମ ଓଡ଼ିଶୀ ରାଗ ମହୋତ୍ସବ ଏବଂ ସମ୍ମାନ ପ୍ରଦାନ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୁୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀର ୧୧ତମ ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ପ୍ରଦାନ ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା । ଆବହନୀ ସଙ୍ଗୀତ ସହିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ବିଶିଷ୍ଟ ସଂସ୍କୃତିବିତ୍ ତଥା ପୂର୍ବତନ ଦୂରଦର୍ଶନର ଅଧ୍ୟକ୍ଷ ‘ଡକ୍ଟର ଶାନ୍ତନୁ ରଥ’ । ଭାରତ ସରକାର ପରିଚାଳିତ ଶାସ୍ତ୍ରୀୟ ଓଡ଼ିଆ କେନ୍ଦ୍ରର ନିର୍ଦ୍ଦେଶକ ‘ଡକ୍ଟର ବସନ୍ତ ପଣ୍ଡା’, ବିଶିଷ୍ଟ ଲେଖକ ତଥା ଆବାହକ ଇନ୍ ଇଣ୍ଟାଚ୍, ‘ଅନିଲ ଧିର୍’ ଓ ଏକାଡ଼େମୀର ଉପାଧ୍ୟକ୍ଷ ଡକ୍ଟର ଶାନ୍ତନୁ କୁମାର ଆଚାର୍ଯ୍ୟ । ପରେ ପରେ ଅତିଥିଙ୍କ ଦ୍ୱାରା ସମ୍ମାନ ପ୍ରଦାନ ଉତ୍ସବ ସମ୍ପାଦିତ ହୋଇଥିଲା । ଏବର୍ଷର ଓଡ଼ିଶୀ ନୃତ୍ୟ ସଙ୍ଗୀତ ବାଦ୍ୟ ପାଇଁ ଉଦ୍ଦିଷ୍ଟ ବିଶିଷ୍ଟ ଓଡ଼ିଶୀ ବାଣୀ ବାଦକ ତଥା ଗବେଷକ ‘ଗୁରୁ କେ ରାମାରାଓ ପାତ୍ର’ ତାଙ୍କ ଜୀବନବ୍ୟାପୀ ସାଧନା ନିମନ୍ତେ ଗୁରୁ ସିଂହାରୀ ସମ୍ମାନ ଗ୍ରହଣ କରିଥିଲେ । ନାରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ‘ସ୍ୱର୍ଗତ ଭଗବତୀ ପଣ୍ଡା’ଙ୍କ ନାମରେ ନାମିତ ଭଗବତୀ ସ୍ମୃତି ସମ୍ମାନ ଗ୍ରହଣ କରିଥିଲେ ବିଶିଷ୍ଟ ନୃତ୍ୟବିଦ୍ ‘ଶ୍ରୀମତୀ ସିକତା ଦାସ’ ଓ ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ ଗ୍ରହଣ କରିଥିଲେ ଲୋକପ୍ରିୟ ଯୁବଶିଳ୍ପୀ ‘ଶ୍ରୀ ମାତୃପ୍ରସାଦ ଦାଶ’ । ସମସ୍ତ ସମ୍ମାନିତ କଳାକାରମାନଙ୍କୁ ନାମପତ୍ର, ଉତ୍ତରୀୟ ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ଦୁଇଦିନର ସମସ୍ତ ପ୍ରସ୍ତୁତି ଓଡ଼ିଶୀ ନିଜସ୍ୱ ରାଗ ରାଗିଣୀକୁ ଗୁରୁ୍ତ୍ୱ ବହନ କରି ଉତ୍ସବର ନାମକୁ ନିଶ୍ଚିତ ଭାବେ ସଫଳତା ଦେଇଛି, ଏଥିରେ ସନ୍ଦେହ ନାହିଁ । ଏହା ହିଁ ଥିଲା ସମସ୍ତ ଉପସ୍ଥିତ ଅତିଥିଙ୍କର ମତ ।ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଗୁରୁ ଗୋପାଳ ପଣ୍ଡା ଏକାଡ଼େମୀର ଅନନ୍ୟ ଓ ସ୍ୱତନ୍ତ୍ର ପ୍ରସ୍ତୁତି ‘ ଦି କ୍ଲାସିକାଲ ଟ୍ରଏ’ । ଏହି କାର୍ଯ୍ୟକ୍ରମରେ ପ୍ରତିବର୍ଷ ଭଳି ଏଥର କର୍ଣ୍ଣାଟକୀ ସଙ୍ଗୀତ ପାଇଁ ଆସିଥିଲେ ଚେନ୍ନାଇରୁ ବିଶିଷ୍ଟ କଣ୍ଠଶିଳ୍ପୀ ‘ବିଦୂଷୀ ବିଦ୍ୟା ହରେକୃଷ୍ଣନ’ ଓ ସାଥୀ । ହିନ୍ଦୁସ୍ତାନୀ ସଙ୍ଗୀତରେ ଥିଣେ ଜଣାଶୁଣା କଣ୍ଠଶିଳ୍ପୀ ‘କୁମାରୀ ଲକ୍ଷ୍ମୀପ୍ରିୟା ନାୟକ’ ଓ ସାଥୀ । ଓଡ଼ିଶୀ ସଙ୍ଗୀତ ପ୍ରସ୍ତୁତିରେ ଥିଲେ ଏକାଡ଼େମୀର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ବିଶିଷ୍ଟ ଗାୟିକା ‘ବିଦୂଷୀ ସଙ୍ଗୀତା ପଣ୍ଡା’ ଓ ସାଥୀ । ଗୋଟିଏ ରାଗ ଭିନ୍ନ ଭିନ୍ନ ନାମରେ ଯଥାକ୍ରମେ ମଧୁବନ୍ତୀ, ପୁନ୍ନାଗ ବରାଡ଼ି, ଓ ପାନ୍ତୁଳ ବରାଡ଼ି ନାମରେ ନାମିତ ହୋଇ ତିନୋଟି ଶାସ୍ତ୍ରୀୟ ଧାରାରେ ପ୍ରଦର୍ଶିତ ହୋଇଥିଲା । ଏହା ଅତି ଉଚ୍ଚମାନର ହେବା ସହ ଓଡ଼ିଶୀ ସଙ୍ଗୀତକୁ ଅନ୍ୟ ଦୁଇ ଶାସ୍ତ୍ରୀୟ ସଙ୍ଗୀତର ସମକକ୍ଷ ଭାବେ ଉପସ୍ଥାପନା କରିବା ଯଥାର୍ଥତା କରିପାରିଥିଲେ । ଦର୍ଶକମଣ୍ଡଳୀ ଏହାକୁ ଉପଭୋଗ କରିବା ସହିତ ଏ ପ୍ରକାର କାର୍ଯ୍ୟକ୍ରମ ପାଇଁ ଏକଡ଼େମୀକୁ ସାଧୁବାଦ ମଧ୍ୟ ଜଣାଇଥିଲେ । ପରେ ତିନିଜଣ ଗାୟିକାଙ୍କ ଦ୍ୱାରା ‘ସ୍ତୁତି ମଞ୍ଜରି’ ପରିବେଷଣ କରାଯାଇଥିଲା ଯାହା ଥିଲା ଓଡ଼ିଶୀ ରାଗ କମୋଦ ଉପରେ ପର୍ଯ୍ୟବେସିତ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଡକ୍ଟର ମୃତ୍ୟୁଞ୍ଜ ରଥ ପରିଚାଳନା କରିଥିଲେ ।