କେନ୍ଦ୍ରାପଡା ଫଟୋଗ୍ରାଫର ସଙ୍ଘ ସଭାପତିଙ୍କୁ ଗୁଳିମାଡ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଫଟୋ ଏବଂ ଭିଡିଓଗ୍ରାଫର ସଙ୍ଘର ସଭାପତି ସୁଶାନ୍ତ କୁମାର ଦାସଙ୍କୁ ଗୁଳିମାରି ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଫଟୋ ଏବଂ ଭିଡିଓଗ୍ରାଫର ସଙ୍ଘର ସଭାପତି ସୁସାନ୍ତ ଓରଫ ରବି କେନ୍ଦ୍ରାପଡା ସହରରୁ ନିକିରାଇ ଯାଉଥିବା ବେଳେ ରବିବାର ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ କେନ୍ଦ୍ରାପଡା- ଇନ୍ଦୁପୁର ରାସ୍ତାର ନିକିରାଇ ଥାନା ଅନ୍ତର୍ଗତ କହୁଣିଆ ଡିହ ପୋଲ ନିକଟରେ ସମ୍ମୁଖ ଭାଗରୁ ୨ଟି ବାଇକରେ ଆସୁଥିବା ୪ଜଣ ଦୁର୍ବୁତଙ୍କ ମଧ୍ୟରୁ ଜଣେ ବନ୍ଧୁକରୁ ସୁଶାନ୍ତଙ୍କ ଉପରକୁ ଗୁଳି ଚଳାଇଥିଲା । ସୈାଭାଗ୍ୟ ବଶତଃ ସୁଶାନ୍ତ ଏସମ୍ପର୍କରେ ଜାଣିପାରି ହଠାତ ବାଇକ ଉପରୁ ତଳକୁ ନଇଁ ପଡିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ । ଦୁଇଟି ବାଇକ ମଧ୍ୟରୁ ଗୋଟିଏ ବାଇକର ସମ୍ମୁଖ ଭାଗରେ ହରିଓମ ଲେଖାଯାଇଥିବା ବେଳେ ଅନ୍ୟ ବାଇକଟିର ସମ୍ମୁଖରେ ଜୟ ଜଗନ୍ନାଥ ବୋଲି ଲେଖାଥିବା ସୁଶାନ୍ତ କହିଛନ୍ତି । ଅନ୍ଧାର ଭିତରେ ବାଇକ ଦୁଇଟିର ନମ୍ବର ସୁଶାନ୍ତ ଜାଣିପାରି ନାହାନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ରବିବାର କେନ୍ଦ୍ରାପଡା ସହରରେ ଗଜଲକ୍ଷ୍ମୀ ଭଷାଣୀ ଉତ୍ସବ ପାଳିତ ହେଉଥିବା ବେଳେ ଇନ୍ଦୁପୁର- କେନ୍ଦ୍ରାପଡା ରାସ୍ତାରେ ଏଭଳି ଘଟନା ଘଟିଥିବା ସୂଚନା ମିଳିଛି । ଏହି ଘଟଣା ପରେ ସୁଶାନ୍ତଙ୍କ ମାନସିକ ସ୍ଥିତି ଭଲ ନଥିବା ଜଣାପଡିଛି । ଏସମ୍ପର୍କରେ ସୋସିଆଲ ମିଡିଆରେ ଅର୍ଥାତ ଫେସବୁକରେ ତ୍ରିନାଥ ମଲ୍ଲିକ ନାମକ ବ୍ୟକ୍ତି ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ନିକିରାଇ ଥାନା ଅଧିକାରୀ ଜ୍ୟୋତିମର୍ୟୀ ସେଠୀଙ୍କୁ ପଚାରିବାରେ ସେ କହିଲେ ଯେ ଆମେ କାଲି କେନ୍ଦ୍ରାପଡା ଗଜଲକ୍ଷ୍ମୀ ଭଷାଣୀରେ ଡ୍ୟୁଟି କରୁଥିଲୁ । ଆମ ପାଖରେ ଏସମ୍ପର୍କରେ କୈାଣସି ଅଭିଯୋଗ ହୋଇନାହିଁ । ଅଭିଯୋଗ ହେଲେ ଆମେ ତଦନ୍ତ କରିବୁ । ଏକ ଗୁଳିକାଣ୍ଡ ଘଟଣାକୁ ଅତ୍ୟନ୍ତ ହାଲୁକା ଭାବରେ ନେଇଛନ୍ତି ନିକିରାଇ ଥାନା ଅଧିକାରୀ ଶ୍ରୀମତୀ ସେଠୀ । ଏସମ୍ପର୍କରେ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲେବି ସେ ଫୋନ ଉଠାଇନଥିଲେ ।


