ମରୁଡି ଘୋଷଣା ଦାବୀ ରେ ସ୍ମାରକପତ୍ର ପ୍ରଦାନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତର ଭୁଷୁଣ୍ଡା , ନନ୍ଦ ଗାଁ ଏବଂ ଭୀମଦେବପୁର ଗ୍ରାମ ରେ ପାଣି ଅଭାବରୁ ଧାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଏହି ଅଞ୍ଚଳକୁ ମରୁଡି ଘୋଷଣା କରାଯିବା ନେଇ ଦାବୀ ହୋଇଛି। ଗୁରୁବାର ବହୁସଂଖ୍ୟକ ଚାଷୀ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ମରୁଡି ଘୋଷଣା ଦାବୀ ରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଆବଶ୍ୟକ ବର୍ଷା ଅଭାବରୁ ନଦୀ , ନାଳ ଓ ଘୋଡାହାଡ଼ ଜଳଭଣ୍ଡାର ସମେତ ପୋଖରୀ ଗାଡିଆ ସବୁ ଶୁଖି ଯାଇଛି । ଏପରିକି ଜଳସେଚନ ଅଭାବରୁ ଚାଷଜମି ଫାଟି ଆଁ କରିବା ସହ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଛି । ଯାହାଫଳରେ ଚାଷୀମାନେ ମୁଣ୍ଡରେ ହାତ ରଖି ବସିଛନ୍ତି । ଏପରିକି ଚାଷୀଙ୍କ ଧାନ ଫସଲ ଚଳିତ ବର୍ଷ ଉଜୁଡି ଯିବା ସହ କ୍ଷତି ସହି ପରିବାର ପୋଷଣ କିପରି କରିବେ ତାହାକୁ ନେଇ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଏଥିସହ ଚକାତେନ୍ତୁଳି ଗ୍ରାମ ନିକଟରେ ରହିଥିବା ଘୋଡାହାଡ଼ କେନାଲ ପାଣିକୁ କିଛି ଗ୍ରାମବାସୀ ଅବରୋଧ କରିଥିବା ବେଳେ ଉକ୍ତ ପାଣିକୁ ଛଡ଼ାଯିବା ନିମନ୍ତେ ଚାଷୀ ବୃନ୍ଦ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଗୁରୁବାର ପଦ୍ମନାଭପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ନେତୃତ୍ବରେ ୩ ଟି ଗ୍ରାମର ବହୁ ସଂଖ୍ୟକ ଚାଷୀ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ସନାତନ ମହାଲିକଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ସମୟରେ ପୂର୍ବତନ ସମିତି ସଭ୍ୟ ସୁଶାନ୍ତ କୁମାର ସେଠୀ , ଦିଲିପ ପ୍ରଧାନ , କୃଷ୍ଣଚନ୍ଦ୍ର ସାସମଲ , ମୁନା ଗୈାଡ , ଶଙ୍କର ଦାଶ ଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ ।