ପଞ୍ଚରାସ ପାଇଁ ପ୍ରାଚୀ ତଟ ମଠ ମନ୍ଦିର ଉତ୍ସବ ମୁଖର
ନିମାପଡ଼ା, (ସନ୍ତୋଷ ଦାଶ):ଧର୍ମ ମାସ କାର୍ତ୍ତିକ ର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହାପଞ୍ଚକ,ବକପଞ୍ଚକ,ଭୀଷ୍ମପଞ୍ଚକ ବା ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି । ଏହି ପଞ୍ଚକ ରେ ବକମାନେ ମଧ୍ୟ ଆମିଷ ଭୋଜନ ରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ତେଣୁ ଏହାକୁ ‘ବକ ପଞ୍ଚକ’ ମଧ୍ୟ କୁହାଯାଇଥାଏ । ସାଧାରଣତଃ ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ବ୍ୟକ୍ତି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି ।ପ୍ରେତ ପୁରୁଷ ଓ ପିତୃ ପୁରୁଷଙ୍କୁ ପଥ ପ୍ରଦର୍ଶନ ତଥା ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମପଥକୁ ଉଜ୍ଜଳ କରିବା ସକାଶେ ପ୍ରତ୍ୟେକ ଗ୍ରାମରେ ଆକାଶଦୀପ ପ୍ରତିଷ୍ଠା କରାଯାଇଥାଏ ।ବିଧବା ମହିଳା ଓ ଧର୍ମ ପରାୟଣ ବ୍ୟକ୍ତି ମାନେ ମାସ ସାରା ରାଇ ଦାମୋଦର ପୂଜା ଚଉରା ମୂଳରେ କରିଥାଆନ୍ତି। ପଞ୍ଚୁକ ପାଞ୍ଚ ଦିନ ମଠ,ମନ୍ଦିର ମାନଙ୍କରେ ରାସ ଉତ୍ସବ ପାଳିତ ହୋଇଥାଏ। ସଂଧ୍ୟାରେ ପୂଜା ପାଉଥିବା ରାଧା କୃଷ୍ଣ ଙ୍କୁ ମନ୍ଦିର ରୁ ଶୋଭାଯାତ୍ରା ରେ ଅଣାଯାଇ ପୂର୍ବରୁ ପ୍ରସ୍ତୁତ କୁଞ୍ଜ ରେ ଉପବେସନ କରାଯାଏ। ତାଙ୍କ ସମ୍ମୁଖ ରେ ଶରଦ ରାସ ପୁସ୍ତକ ର ଗୋଟିଏ ଗୋଟିଏ ଅଧ୍ୟାୟ ସବୁଦିନ ପାଠ କରାଯାଇ ଥାଏ। ଶେଷରେ ବାଳ ଭୋଗ, ଆଳତୀ ଅନୁଷ୍ଠିତ ହୋଇ ଠାକୁର ମାନଙ୍କୁ କୁଞ୍ଜ ରୁ ସ୍ୱ ମନ୍ଦିର କୁ ନିଆଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ରାସ ଉତ୍ସବ ସମାପନ ହୋଇଥାଏ।ରାସ ଉତ୍ସବ ପାଇଁ ପ୍ରାଚୀ ଉପତ୍ୟକା ର ଅନ୍ତଃବେଦୀ ମଠ,ରାଧାକାନ୍ତ ମଠ,ଅର୍କ ମଠ, ସିଦ୍ଧ ମଠ,ଅହ୍ମୁଣିଆଁ ମଠ,ଗୋପାଳ ମଠ, ଗୁରୁଦେବ ମଠ, ରୋହିଣୀ କୁଣ୍ଡ ମଠ, ବିଶ୍ଵାମିତ୍ର ମଠ,ଚକିଆ ମଠ, ଦେଉଳି ମଠ, ଅତିବଡ଼ି ମଠ, ପଞ୍ଚବଟୀ ମଠ, ବନ୍ତ ମଠ, ଅପସରା ମଠ, ନୂଆମଠ ଓ ରାଧାକାନ୍ତ ମନ୍ଦିର ରେ ସ୍ଵତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହେଉଛି। ରାସ ଉତ୍ସବ ଦେଖିବାକୁ, ରାଧା କୃଷ୍ଣ ଙ୍କ ଆଶ୍ରିବାଦ ପାଇବାକୁ ମଠ ମନ୍ଦିର ମାନଙ୍କରେ ଭକ୍ତ, ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗୁଛି। ପଞ୍ଚରାସ ପାଇଁ ଉତ୍ସବ ମୁଖର ହୋଇ ପଡ଼ିଛି ପ୍ରାଚୀ ଉପତ୍ୟକା ର ମଠ ଓ ମନ୍ଦିର।


