ପ୍ରାଚୀନ ନୌବାଣିଜ୍ୟର ପରମ୍ପରା ବଜାୟ ରଖିଲେ ଗ୍ରାମବାସୀ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଓ ଚାନ୍ଦବାଲି ବ୍ଲକର ମଧ୍ୟସ୍ଥଳରେ ରହିଛି ବାବା ରଘୁବର ଦାସଙ୍କ ପ୍ରାଚୀନ ମଠ । ଏଠାରେ ବିଜେ କରିଛନ୍ତି ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଦେବ ଓ ମାତା ସୁଭଦ୍ରା । ଉଭୟ ବ୍ଲକର ଦୁଇ ଗାଆଁ ସାହୁସାହି ଏବଂ ସୁନ୍ଦରପୁର ଗ୍ରାମର ମିଳିତ ଉଦ୍ୟମରେ ଏଠାରେ ପାଳିତ ହୋଇଯାଇଛି କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ମହୋତ୍ସବ । ରଘୁବର ଦାସ ମଠ ଉନ୍ନୟନ କମିଟି ଆନୁକୂଲ୍ଯରେ ୮ ଦିନ ଧରି ଏଠାରେ ଚାଲିଥିଲା ବିଭିନ୍ନ ସାଂସୃତିକ କାର୍ଯ୍ୟକ୍ରମ । ଉଦଯାପନୀ ଦିବସରେ ଆଜି ଆୟୋଜିତ ହୋଇଥିଲା ବୋଇତ ବନ୍ଦାଣ ମହୋତ୍ସବ । ଅତୀତର ପ୍ରାଚୀନ ପରମ୍ପରାକୁ ମନେପକାଇ ଉଭୟ ଗ୍ରାମ ହୋଇ ଉଠିଥିଲା ଚଳଚଞ୍ଚଳ । ଗ୍ରାମର ସାତଜଣ ଯୁବକ ସାଧବ ବେଶରେ ସଜ୍ଜିତ ହୋଇ ବାଣିଜ୍ୟ କରିବାକୁ ସୁସଜ୍ଜିତ ବୋଇତରେ ପଦାର୍ପଣ କରିଥିଲେ । ତାଙ୍କର ସହଧର୍ମିଣୀ ସାତ ସାଧବାଣୀ ସାଜି ତାଙ୍କୁ ବନ୍ଦାପନା କରିବା ସହିତ ମେଲାଣି ଦେଇଥିଲେ । ସେମାନଙ୍କ ଆକାଂକ୍ଷାର ପ୍ରତିଫଳନ ରୂପି ବୋଇତ ପୂଣ୍ୟତୋୟା ବୈତରଣୀରେ ଭାସମାନ ହୋଇ ବହୁଦୂର ଯାତ୍ରା କରିଥିଲା । ଏହି ବୋଇତ ବନ୍ଦାଣ ମହୋତ୍ସବର ଅନ୍ତିମ ଦିବସରେ ଅତିଥି ଭାବେ ଯୋଗ ଦେଇଥିଲେ ଧାମନଗର ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ ନାୟକ, ଭଦ୍ରକର ବରିଷ୍ଠ ରାଜନେତା ଅଜୟ ନାୟକ, ପାଳସାହି ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ସୁଶାନ୍ତ ନାୟକ, ଅନିଲ ଦାସ ଓ ସରପଞ୍ଚ କାଳନ୍ଦି ମଲିକ । ଆଖପାଖ ୪ ପଞ୍ଚାୟତର ଶହଶହ ଶ୍ରଦ୍ଧାଳୁ ଏହି ବୋଇତ ବନ୍ଦାଣ ମହୋତ୍ସବକୁ ଉପଭୋଗ କରିଥିଲେ । ସୁଚାରୁ ରୂପେ ବୋଇତ ବନ୍ଦାଣ ମହୋତ୍ସବ ପାଳିତ ହୋଇଥିବାରୁ ମଠ ଉନ୍ନୟନ କମିଟିର କର୍ମକର୍ତ୍ତା ଧନ୍ୟବାଦ ଅର୍ପଣ କରିଛନ୍ତି ।