ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ନୂତନ ଶାଖା କମିଟି ଗଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ପୁରୁଣା ବାଲେଶ୍ୱର ଅଞ୍ଚଳର ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ, ସଦସ୍ୟାମାନଙ୍କୁ ନେଇ ଶୁକ୍ରବାର ଦିନ ପରମିଟ୍ ଘାଟ ନିକଟରେ ଏକ ବୈଠକ ଜତିନ୍ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ‘ଆମେ କେତେ ଜଣ’ ସଂଗଠନ ପକ୍ଷରୁ ଏହି ବୈଠକ ଆହ୍ୱାନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ କ୍ରିୟାନୁଷ୍ଠାନ କମିଟିର ସଭ୍ୟ/ସଭ୍ୟାମାନଙ୍କୁ ନେଇ ଐତିହାସିକ ସ୍ଥାନ ‘ପରମିଟ୍ ଘାଟ ଶାଖା କମିଟି’ନାମରେ ଏକ କମିଟି ଗଠନ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି । କ୍ରିୟାନୁଷ୍ଠାନ କମିଟିର ସଭ୍ୟସଂଖ୍ୟା ବୃଦ୍ଧି ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନୂତନ ଶାଖା କମିଟି ସଭାପତି ଭାବେ ଆଲୋକ ରଂଜନ ଦାସ, ଉପସଭାପତି ବସନ୍ତ କୁମାର ପଣ୍ଡା, ଶାଖା ସଂପାଦକ ବ୍ରଜମୋହନ ମାଝୀ, ସହ ସଂପାଦିକା ରଞ୍ଜିତା ମହାନ୍ତି ଓ କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ ବେହେରାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି । ଛଅଜଣଙ୍କୁ କାର୍ଯ୍ୟକାରୀ କମିଟିକୁ ମନୋନୀତ କରାଯାଇଛି ।କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସଭାପତି ନିରଞ୍ଜନ ପରିଡ଼ା, ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟଙ୍କ ସମେତ ଶ୍ୟାମସୁନ୍ଦର ଜେନା ଓ ବନ୍ଦନା ପାତ୍ର ପ୍ରମୁଖ ବାଲେଶ୍ୱରରେ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠାରେ ବାଲେଶ୍ୱରବାସୀଙ୍କ ଅବଦାନକୁ ସ୍ମରଣ କରାଇ ଏହାକୁ ପୂର୍ଣ୍ଣାଙ୍ଗ କରିବାରେ ଅଧିକ ସହଯୋଗର ଆବଶ୍ୟଖତା ସଂପର୍କରେ ସୂଚନା ଦେଇଥିଲେ । ଚଳିତ ଡିସେମ୍ବର ମାସ ୧୬ ତାରିଖ ଦିନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ନୂତନ ଶାଖା କମିଟିର ସଦସ୍ୟ, ସଦସ୍ୟାଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ଆସନ୍ତା ସମ୍ମିଳନୀରେ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ ବୋଲି ଜିଲ୍ଲା କର୍ମକର୍ତ୍ତା ସୂଚନା ଦେଇଥିଲେ ।ଏହି ବୈଠକରେ ସର୍ବଶ୍ରୀ ପ୍ରଶାନ୍ତ ମହାନ୍ତି, ପ୍ରହଲ୍ଲାଦ ବାରିକ, ଶିବଶଙ୍କର ବାରିକ, ରମେଶ ଚନ୍ଦ୍ର ବେହେରା ଓ ପ୍ରଦୀପ ଦତ୍ତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ତାପସ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।