ରେମୁଣା ବ୍ଲକ୍ ଭିତରେ ଆର.ଡି.ସି., ବାହାରେ ଚାଷୀଙ୍କ ବିକ୍ଷୋଭ…

ରେମୁଣା/ବାଲେଶ୍ୱର, (ସରୋଜ ପଣ୍ଡା):ସଂପ୍ରତି ‘ମିଗ୍‌ଜୋମ୍‌’ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ, ରେମୁଣା ସମେତ ସମସ୍ତ ବ୍ଲକ୍‌ରେ ତୁରନ୍ତ ଧାନମଣ୍ଡି ଖୋଲିବା, ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୫ ହଜାର ଟଙ୍କା ପ୍ରଦାନ କରିବା, ଧାନ କ୍ୱିଣ୍ଟାଲ୍ ପିଛା ୩୫୦୦/- ଧାର୍ଯ୍ୟ କରିବା, ଚାଷୀଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କରିବା, ଚାଷୀ ଓ ଚାଷର ହିତ ଦୃଷ୍ଟିରୁ ସ୍ୱାମୀନାଥନ୍ କମିଶନ୍ ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବା, ସମସ୍ତ ବ୍ଲକ୍‌ରେ ଅତିକମ୍‌ରେ ଗୋଟାଏ ଲେଖଏଁ ସରକାରୀ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ଚାଷୀଙ୍କଠୁଁ ଧାନକ୍ରୟ ସମୟରେ ଧାନ ଅଖା ଦାମ୍‌କୁ ମୂଲ୍ୟଯୁକ୍ତ କରିବା, ଧାନର ମାନ ନିର୍ଦ୍ଧାରଣରେ କଟ୍‌ନି-ଛଟନୀ ବନ୍ଦ କରିବା, ଟୋକନ୍ ବ୍ୟବସ୍ଥାକୁ ସରଳୀକରଣ କରିବା, ଜିଲ୍ଲାରେ ପ୍ରବାହିତ ନଦୀ ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ, ସୋଣ, କାଂଶବାଂଶ, ଗଂଗାହାର, ବାଉଁଶ, କଣ୍ଟିଆଚିରା, ପିତାକାଳିଆ ଆଦି ନଦୀବକ୍ଷରେ ବ୍ୟାରେଜ୍ ଓ ଛୋଟବଡ଼ ଚେକ୍‌ଡ୍ୟାମ୍‌ମାନ ନିର୍ମାଣ କରାଯାଇ କେନାଲ୍ ଜରିଆରେ ଚାଷୀଙ୍କ କ୍ଷେତକୁ ଜଳସେଚନର ସୁବନ୍ଦୋବସ୍ତ କରିବା, ବାଙ୍କତୀରା ଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଓଡ଼ିଶା କୋଷ୍ଟ୍ କେନାଲ୍‌ର ପୁନରୁଦ୍ଧାର ଆଦି ୭ଦଫା ଦାବିରେ ଆଜି ସକାଳ ୧୧ ଘଟିକା ସମୟରେ ରେମୁଣା କିଷାନ୍ କଂଗ୍ରେସ୍ ପକ୍ଷରୁ ବ୍ଲକ୍ ଅଫିସ୍ ସମ୍ମୁଖରେ ପ୍ରତୀକାତ୍ମକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଆର.ଡି.ସି. ରେମୁଣା ବ୍ଲକ୍ ପରିସରରେ ଉପସ୍ଥିତ ଥାଇ ରେମୁଣା ବି.ଡି.ଓ ଓ ତହସିଲଦାରଙ୍କ ସହ ଚଳିତ ବାତ୍ୟା କ୍ଷୟକ୍ଷତିର ଆକଳନ ଆଦି ସଂପର୍କରେ ଆଲୋଚନା କରୁଥିବାବେଳେ ବ୍ଲକ୍ ଅଫିସ୍ ପରିସରରେ ବାଲେଶ୍ୱର ‘ଜିଲ୍ଲା କିଷାନ୍ କଂଗ୍ରେସ୍‌’ ପକ୍ଷରୁ ଚାଷୀମେଳି କରାଯାଇଥିଲା । ବାହାରେ ଚାଷୀମାନଙ୍କର ସ୍ଳୋଗାନ୍ ଓ ବିକ୍ଷୋଭ ଶବ୍ଦ ଶୁଣି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ପଦାକୁ ବାହାରି ଆସିବା ସଙ୍ଗେସଙ୍ଗେ ତାଙ୍କ ଗାଡ଼ିରେ ବସିବା ପୂର୍ବରୁ ତହସିଲଦାର ଅନୁପ କୁମାର ବେହେରା ଓ ବିଡିଓ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ଚାଷୀଙ୍କ ସମସ୍ୟା ସଂପର୍କରେ ବୁଝିବାକୁ ମୌଖିକ ନିର୍ଦ୍ଦେଶ ଦେଇଥିଲେ । କିଷାନ୍ କଂଗ୍ରେସ ପକ୍ଷରୁ ରେମୁଣା ବି.ଡି.ଓ ଓ ତହସିଲଦାରଙ୍କୁ ଚାଷୀ ମେଳି ସଂପର୍କରେ ଅବଗତ କରାଯାଇ ବି.ଡି.ଓଙ୍କ ମାଧ୍ୟମରେ ଓଡ଼ିଶାର ମହାମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଚାଷୀମାନେ ଦାବିପତ୍ର ପ୍ରଦାନ କରିଥିଲେ ।କିଷାନ୍ କଂଗ୍ରେସ୍ ବ୍ଲକ୍ ସଭାପତି କହ୍ନେଇଚରଣ ବେହେରା, ବର୍ଷୀୟାନ୍ କଂଗ୍ରେସ୍ ନେତା ତଥା କିଷାନ୍ କଂଗ୍ରେସ୍ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଧାନ ଚନ୍ଦ୍ର ରାୟ ଏବଂ କିଷାନ୍ କଂଗ୍ରେସ୍ ରାଜ୍ୟ ସାଧାରଣ ସଂପାଦକ ସଂଗ୍ରାମୀ ନେତା ଅରୁଣ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଚାଷୀ ମେଳିରେ ବ୍ଲକ୍ କଂଗ୍ରେସ୍ ସଭାପତି ତରୁଣ କୁମାର ଦାସ, ଜିଲ୍ଲା କିଷାନ୍ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ବେହେରା, ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ପତି, ଜିଲ୍ଲା ଅଣସଂଗଠିତ ଶ୍ରମିକ କୃଷକ ସେଲ୍‌ର ସଭାପତି ବିକାଶ ଦାସ, ଯୁବକଂଗ୍ରେସ୍ ଜିଲ୍ଲା ସଭାପତି ରଞ୍ଜନ ଦାସ, ମହିଳା କଂଗ୍ରେସ୍ ବ୍ଲକ୍ ସଭାପତି କୁମୁଦିନୀ ଦାସ, ପ୍ରାକ୍ତନ ସରପଞ୍ଚ କହ୍ନେଇ ଚରଣ ପ୍ରଧାନ, ଅଚ୍ୟୁତ ନନ୍ଦ, ଚାଷୀ ନେତା ଲମ୍ବୋଦର ମହାନ୍ତି, ସୁଶାନ୍ତ ପଣ୍ଡା, ପ୍ରଦୀପ ଦାସ, ମନୋରଞ୍ଜନ ସିଂହ, ସୁରଜିତ୍ ପୋଥାଳ, ପର୍ଶୁରାମ ମହାପାତ୍ର, ଆଶୀଷ ମହାନ୍ତି, ସୁବ୍ରତ ରାଉଳ, ଦେବାଶିଷ ଜେନା, ସତ୍ୟରଞ୍ଜନ ପରିଡ଼ା, ଅଜୟ ଜେନା ଓ ସମାଜସେବୀ ସୁକାନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ଏହି ଚାଷୀ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ସତ୍ୟନାରାୟଣ ରଣା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ