ରାମ ମନ୍ଦିରଠାରେ ଜଳିଲା ୫୦୦୦ ଘୃତଦୀପ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ଦେବ ଦୀପାବଳୀ ଉପଲକ୍ଷେ ବୁଧବାର ଭୁବନେଶ୍ୱର ଶ୍ରୀରାମ ମନ୍ଦିରଠାରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଓ ବିଶ୍ୱଶାନ୍ତି ପାଇଁ ପାଞ୍ଚହଜାର ଘିଅଦୀପ ପ୍ରଜ୍ଜ୍ୱଳିତ କରାଯାଇଛି । ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ର୍ରମକୁ ରାଜ୍ୟ ପରିବହନ ନିଗମର ଅଧ୍ୟକ୍ଷ ଶ୍ରୀ ଅମିତାଭ ଠାକୁର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ଆମ ସଂସ୍କୃତି ଓ ପରମ୍ପରାରେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥଙ୍କୁ ସମସ୍ତ କାର୍ଯ୍ୟରେ ସମ୍ପୃକ୍ତ କରାଯାଇଛି । ଦେବ ଦୀପାବଳୀ ଉତ୍ସବ ୩ ଦିନ ଧରି ଶ୍ରୀମନ୍ଦିରରେ ପାଳନ କରାଯାଇଥାଏ । ମାର୍ଗଶିର ମାସ କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିନିଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରାଦ୍ଧ ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଚତୁର୍ଦ୍ଦଶୀ ଦିନ ମା, ଅଦିତି ଓ କଶ୍ୟପଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯାଉଥିବା ବେଳେ ଆଜି ଅମାବାସ୍ୟାରେ ଦଶରଥ, କୌଶଲ୍ୟା ଓ ଶୁକ୍ଳ, ପ୍ରତିପଦାରେ ନନ୍ଦ, ଯଶୋଦା, ଦେବକୀ, ବାସୁଦେବ ଓ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚା ମା’ଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯିବାର ପରମ୍ପରା ଚଳି ଆସୁଛି । ଅନୁଷ୍ଠାନର ଅଧ୍ୟକ୍ଷ ଡଃ ମନୋଜ ଲେଙ୍କା ସ୍ୱାଗତ ଭାଷଣରେ କହିଲେ ଯେ, ଏହି ପବିତ୍ର କାର୍ଯ୍ୟକ୍ରମକୁ ସ୍ମରଣ କରି ଗତ ୬ ବର୍ଷ ହେବ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ପାଇଁ ତଥା ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଦୀପ ଦାନ କରାଯାଇ ଆସୁଅଛି । ଏହି କାର୍ଯ୍ୟକ୍ରମରେ ମାଳିକା ପ୍ରବଚକ ଦିବାକର ଦାସ ମହାରାଜ, ଶିଶୁ ପ୍ରବଚକ କେଶବ ଦାସ, ଚଳଚ୍ଚିତ୍ର ଅଭିନେତା ବବି ମିଶ୍ର, ପ୍ରତିଭା ପଣ୍ଡା, ଅଶ୍ରୁମୋଚନ ମହାନ୍ତି, ଆଡ଼ଭୋକେଟ ବନ ମହାନ୍ତି, ଏବଂ ଲୋପାମୁଦ୍ରା ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । କାର୍ଯ୍ୟକ୍ରମକୁ ବିଶିଷ୍ଟ ସମାଜସେବୀ ଶ୍ରୀ ମନୋଜ ପାଳ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ