ମଶାଣିରେ କଣ ଶାନ୍ତି ଥାଏ

ଦିପ୍ତିମୟୀ ନାୟକ
ପ୍ରତ୍ୟେକ ଦିନ ମଣିଷ ଏଠାରେ ଜଳି ଜଳି ମରେ | କେତେବେଳେ ପାରିବାରିକ ସୁଖ ପାଇଁ ତ ଆଉ କେତେବେଳେ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ | ଏମିତି ଅନେକ କାରଣ ଅଛି ଯେଉଁଥି ପାଇଁ ଏହି ମଣିଷ ପ୍ରତି ମୁହୂର୍ତ୍ତରେ ଜଳି ଜଳି ଶେଷରେ ମଶାଣିରେ ଜଳିବାପାଇଁ ଚାହେଁ | ଆଉ ସେ ଏକଥା ମଧ୍ୟ କୁହେ ପ୍ରତ୍ୟେକ ଦିନ ଜଳିବା ଅପେକ୍ଷା ଥରେ ମଶାଣି ନିଆଁରେ ପାଉଁଶ ହୋଇଗଲେ ଆଉ ଏହି ଦୁଃଖ, ଯନ୍ତ୍ରଣା ଭୋଗିବାକୁ ପଡିବନି | କାରଣ ଏହି ମଣିଷ ଯାହା ଚାହେଁ ତାହା ପାଏନି | ଆଉ ଯଦି ସେ ପାଏ | ସେ ତାକୁ ଉପଭୋଗ କରିପାରେନି |ଠିକ ସେମିତି ଜଣେ ଦୁଃଖିନୀ ମା’କୁ ତା ପିଲା ପଚାରିଲା ମା’ ତୁ ସବୁବେଳେ କଣ କହୁଛୁ ମଶାଣି ନିଆଁରେ ପାଉଁଶ ହୋଇଯିବା ଭଲ | ଏହି ମଶାଣି ନିଆଁରେ କଣ ଶାନ୍ତି ଥାଏ | ସେଇଠୁ ସେହି ମା’ ଜଣକ କହିଲେ ଆରେ ବାବୁ ଯେତେବେଳେ ସବୁ ଦୁଃଖ କଷ୍ଟକୁ ସହି ତମ ମାନଙ୍କୁ ଛୋଟଟିରୁ ବଡ଼ କରିଲି | ତମକୁ ଶିକ୍ଷିତ କରିବା ପାଇଁ ମୁଁ ମୋ ଖାଇବା ଆଧାର ଗଣ୍ଡାକ ସଞ୍ଚି ତମ ପାଇଁ ପଇସା ସଂଚୟ କଲି | ବେଳେବେଳେ ଭଲ ମନ୍ଦ କିଛି ଖାଇବାକୁ ଇଚ୍ଛା ହେଉଥିବ | ହେଲେ ସେହି ଭଲ ମନ୍ଦ ଖାଦ୍ୟ ନଖାଇ ମୁଁ କୁହେ ମୋ ପିଲା ବଡ଼ ହେଲେ ମୁଁ ଖାଇବି | ଆଗ ମୋ ପିଲା ବଡ଼ ହେଉ ସେ ନିଜେ ଖାଉ ନିଜେ ବଢୁ | ହେଲେ ତମେମାନେ ଏବେ କଣ କରୁଛ ବଡ଼ ମଣିଷ ହୋଇଯାଇଛ ହେଲେ ବଡ଼ ଚିନ୍ତାଧାରା ରଖିନ | କାହିଁକି ନା ଆମ ସମୟରେ ନଥିଲା ବାଦବିବାଦ | କି ଭାଇ ଭଗାରୀ ସାଜିବା କିନ୍ତୁ ଏ କାଳରେ ଦେଖୁଛି ଭାଇ ଭଗାରୀ ସାଜିବା | କି ବୃଦ୍ଧାବସ୍ଥାରେ ବାପା ମା’ଙ୍କୁ ଅଣଦେଖା କରିବା | ତେବେ କହ ପୁଅ ଏସବୁ ଦେଖି ପ୍ରତ୍ୟେକ ଦିନ ନିଜ ଭିତରେ ନିଜେ ଜଳିବା ଅପେକ୍ଷା ମଶାଣି ନିଆଁରେ ଜଳି ଯିବା ଭଲ କାରଣ ପ୍ରତ୍ୟେକ ଦିନ ଆଉ ଜଳିବାକୁ ପଡିବନି ଥରେ ଜଳିବ ସବୁ ମୋହମାୟାରୁ ମୁକ୍ତ ହୋଇଯିବ |ଏହା ଶୁଣି ପୁଅଟି କହିଲା ସତରେ ମା’ ତୁ ସିନା ଏକଥା ମୋତେ ବୁଝେଇଦେଲୁ ହେଲେ ମୁଁ ତୋତେ ବୁଝଉଛି ଶୁଣ | ପ୍ରତ୍ୟେକ ଦୁଃଖ ଦୁଃଖ ହୋଇନଥାଏ କାରଣ ଦୁଃଖ ପରେ ସୁଖ ଆସିଥାଏ | ଆମର ପାଞ୍ଚଟା ଆଙ୍ଗୁଠି ଯେମିତି ସମାନ ନୁହେଁ ତୋର ସବୁ ପିଲା କେମିତି ସମାନ ହେବେ | ଯଦି ତୋତେ ଜଣେ ଭଲ ଦେଖୁନି ବାକି ସବୁ ଅଛନ୍ତି | ତେଣୁ ତୁ କୌଣସି କଥାକୁ ନେଇ ଏତେ ଚିନ୍ତିତ ରହନି | ମା’ଟି ହସିଦେଇ କହିଲା ପୁଅରେ ତୁ ସିନା ଆଜି ମୋତେ ଏହିକଥା କହୁଛୁ ହେଲେ ସମୟ ଆସିଲେ ତୁ ନିଜେ କହିବୁ ମୋ ମା’ କାହିଁକି ଏମିତି କହୁଥିଲା |
ତେବେ ପ୍ରତ୍ୟେକ ପିଲାଙ୍କର କର୍ତ୍ତବ୍ୟ ନିଜ ବାପା-ମା’ଙ୍କୁ ଖୁସିରେ ରଖିବା | ହେଲେ ବର୍ତ୍ତମାନର କିଛି ପିଲା କଣ ସେତିକି ଖୁସିରେ ରଖୁଛନ୍ତି ଯେତିକି ଖୁସିରେ ବାପା-ମା’ମାନେ ନିଜ ପିଲାଙ୍କୁ ରଖନ୍ତି | କେବଳ ସୋସିଆଲ ମିଡିଆରେ ଲଭ ୟୁ ବାପା, ଲଭ ୟୁ ମା କହିଦେଲେ ହେବନି ବାସ୍ତବ ଜୀବନରେ ବି ଭଲପାଇବା ଦରକାର | କାରଣ ପ୍ରତ୍ୟେକ ବାପା-ମା’ ଚାହାଁନ୍ତି ନିଜ ପିଲାର ଖୁସି ଦେଖିବାକୁ | ଯଦି ସେହି ପିଲାମାନେ ନିଜ ବାପା-ମା’ଙ୍କୁ ଖୁସି ଦେବା ବଦଳରେ ଦୁଃଖ ଦେଵେ ତେବେ ସେହି ପିଲାଙ୍କର ମା’-ବାପା କହିବାକୁ ବାଧ୍ୟ ହେବେ ମଶାଣି ନିଆଁରେ ଶାନ୍ତି ଅଛି |ବେଳେବେଳେ ମନକୁ ଅନେକ ପ୍ରଶ୍ନ ଆସେ | ସଂସାରକୁ ଦେଖି ଦେଖି ସାଂସାରିକ ମଣିଷଟା କିଭଳି ଭାବରେ ନିଜ କଷ୍ଟକୁ ସହି ନପାରି ଲୁଚି ଲୁଚି କାନ୍ଦେ | ନିଜ ମନର ଗୋପନକୁ ସେ କାହା ଆଗରେ କହିବ ବା କେମିତି କାରଣ ଘରର ଇଜ୍ଜତ ବାହାରେ ପଡିଲେ ଲୋକେ ଛି ଛାକର କରିବେ ଆଉ କହିବାକୁ ଲାଗିବେ ବାପ-ମା ଯେମିତି ପିଲାବି ଠିକ ସେମିତି |କଥାରେ ଅଛି ଯେଉଁ ବାପ-ମା ଯେତେ ଭଲ ତାଙ୍କ ପିଲା ସେତେ ଭଲ ହୋଇନଥାନ୍ତି ହୁଏତ ଏକଥା ଆପଣ ମାନଙ୍କୁ ଆଘାତ ଦେଇପାରେ କିନ୍ତୁ ଅନେକ ଥର ଅନେକ କଥା ଶୁଣିବାକୁ ପାଏ ଯେଉଁ ବାପ-ମା ନିଜ ସନ୍ତାନର ମଙ୍ଗଳ ଚିନ୍ତା କରି ନିଜ ପିଲାମାନଙ୍କୁ ଆକଟ ଶାସନ କରନ୍ତିନି ସେମାନଙ୍କ ପିଲା ହିଁ ବଡ଼ ହେଲେ ବାପ-ମାଙ୍କୁ ଆକଟ କରନ୍ତି | ବାପ-ମା’ଙ୍କୁ ଯେଉଁମାନେ ଶାନ୍ତିରେ ରଖନ୍ତିନି ସେମାନେ କିଭଳି ଶାନ୍ତିରେ ରହିବେ |ସେଥିପାଇଁ କହୁଛି ସୁଯୋଗ୍ୟ ସନ୍ତାନ ହୁଅ | ଅଯୋଗ୍ୟ ନୁହେଁ | ତମେ ଯେମିତି କର୍ମ କରିବ ଫଳ ସେମିତି ପାଇବ | ତେବେ ଜୀବନରେ କେବେ ଭୁଲ ନିଷ୍ପତି ନିଅନ୍ତୁନି କି ଭୁଲ କଥା କେବେ ଭବନ୍ତୁନି | ଦୁଃଖ ଯଦି ଆସୁଛି ହସି ହସି ଆଲିଙ୍ଗନ କର ଯେମିତି ଦୁଃଖ ଦୂରେଇ ସୁଖକୁ ପାଖରେ ଛାଡି ଚାଲିଯିବ | ଆଉ ଏହି ହୃଦୟରେ ନିଆଁ ଲାଗିବା ପୂର୍ବରୁ ଯେମିତି ଏ ନିଆଁ ପେଟର ଭୋକ ସାଜି କିଛି ଖାଦ୍ୟ ପାଇ ଯେମିତି ଏ ପେଟ ଶାନ୍ତି ପଡ଼ିଯିବ | ଆଉ ସେହି ମଶାଣି ନିଆଁ ଯେମିତି ବାଟରେ ଯାଉଥିବା ପଥିକଟିକୁ ଯେମିତି ଅଜଣା ରାସ୍ତାକୁ ଚିହ୍ନେଇ ଦେଇ ଠିକ ରାସ୍ତା ଦେଖେଇବ |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ