ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହିତ ୮ ଦଫା ଦାବି ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାରେ ମରୁଡି ଯୋଗୁଁ ପ୍ରାୟ ୫୦ ହଜାର ହେକ୍ଟର ଜମି ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ପ୍ରାୟ ୩୦ ହଜାର ହେକ୍ଟର ଧାନ ଫସଲ ନଷ୍ଟ ହୋଇଯାଇଛି । ଏଣୁ କ୍ଷତିଗ୍ରସ୍ଥ ଚାଷୀଙ୍କୁ ଏକର ଜମି ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ, ରବି ଫସଲ କରିବା ପାଇଁ ପନିପରିବା ମୁଗ, ବିରି, ଚିନାବାଦାମ, କଂଚା ଲଙ୍କା ଆଦି ବିହନ ସାର ଔଷଧ ରିହାତି ଦରରେ ଦେବା ସଙ୍କେ ସଙ୍ଗେ ଏଲଆଇ ପଏଣ୍ଟ ବୋର ୱେଲ ଗୁଡିକ କାର୍ଯ୍ୟକ୍ଷମ କରି ଜଳସେଚନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ, ଜିଲ୍ଲାରେ ସବୁ ଚାଷ ଜମିକୁ ଜଳସେଚନ ସୁବିଧା କରିବା ପାଇଁ ଜଳସେଚନ ମିଶନ ଗଠନ କରାଯାଉ, ଭାଗଚାଷୀ ମାନେ ହେଉଛନ୍ତି ପ୍ରକୃତ ଚାଷି । ଏଣୁ ଚାଷୀର ମାନ୍ୟତା ଦେଇ ଫସଲର କ୍ଷତି ପୂରଣ ଦେବା ସଙ୍ଗେ ସଙ୍ଗେ ସେମାନେଙ୍କ ସମସ୍ତ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦିଆଯିବା ସମେତ ଅନ୍ୟାନ୍ୟ ଦାବି ଗୁଡିକ ସମ୍ବଦ୍ଧରେ ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ ଓ ଅନ୍ୟାନ୍ୟ ଚାଷୀ ମାନେ ଉପସ୍ଥିତ ଥିଲେ ।