ପୁରୁଣା ଭୁବନେଶ୍ୱର ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଭେମ୍ସ ଫେଷ୍ଟିଭସ୍କେପ୍’
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ପୁରୁଣା ଭୁବନେଶ୍ୱରର ବାର୍ଷିକ ଉତ୍ସବ ‘ଭେମ୍ସ ଫେଷ୍ଟିଭସ୍କେପ୍’ ଶୀତଳ ଷଷ୍ଠୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବଦ୍ୟାଳୟର ପରିଚାଳନା ପରିଷଦର ଉପସଭାପତି ଶଶାଙ୍କ ଶେଖର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ତ୍ରିପାଠୀ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ପରିବେଶବିତ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ କହିଲେ ଯେ, ଏହି ବିଦ୍ୟାଳୟରୁ ଉତ୍ତମ ଶିକ୍ଷାଲାଭ କରି ବହୁ ଛାତ୍ରଛାତ୍ରୀ ଦେଶର ବିଦେଶରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ହାସ୍ୟ ଅଭିନେତା ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଯୁବ ସମାଜସେବୀ ଶ୍ରୀ ରୁଷି ପଟ୍ଟନାୟକ ଏବଂ ୬୧ ନମ୍ବର ୱାର୍ଡ଼ର କର୍ପୋରେଟର ଶ୍ରୀ ଶିବ ରାୟ ଯୋଗଦାନ କରି କହିଲେ ଯେ, ଭେଙ୍କଟେଶ୍ୱର ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷାଦାନ କରିବା ସହିତ ସେମାନଙ୍କର ସୁପ୍ତ ପ୍ରତିଭାର ବିକାଶ ପାଇଁ ସର୍ବଦା ପ୍ରଚେଷ୍ଟା କରିଆସିଛି ।ଅନୁଷ୍ଠାନ ପରିଚାଳନା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟପ୍ରକାଶ ପତି ନିଜର ବକ୍ତବ୍ୟରେ କହିଥିଲେ, ଆମ ଅନୁଷ୍ଠାନର ପ୍ରତ୍ୟେକ ଶିକ୍ଷକ-କର୍ମଚାରୀ ମାନଙ୍କର ସମ୍ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କର ଉପଯୁକ୍ତ ସହଯୋଗ ଯୋଗୁଁ ପ୍ରତ୍ୟେକ ବର୍ଷ ପାସ୍ ହାର ଯଥେଷ୍ଟ ଉପରେ ରହିବା ସହିତ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତାକୁ ପ୍ରତିପାଦନ କରିଛନ୍ତି । ପରିଶେଷରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଜୀବାଲା ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଯୋଜନା କରିଥିଲେ ଅନୁଷ୍ଠାନର ପ୍ରଶାସକ ଶ୍ରୀଯୁକ୍ତ ହିମାଂଶୁ ଶେଖର ପତି ।


