ବ୍ଳକସ୍ତରୀୟ ନୂଆ-ଓ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ନୂଆ-ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଗୁରୁବାର ହିଞ୍ଜିଳିକାଟୁ ବ୍ଳକର ଦାରୁଭଦ୍ରା ଠାରେ ବ୍ଳକସ୍ତରୀୟ ନୂଆ-ଓ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ବିଡିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି ଯୋଗଦେଇ ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ, ଜିଲ୍ଲା ପରିଷଦ ସଭ୍ୟ ଏଳା. ସୁଦର୍ଶନ, ସଭ୍ୟା ପ୍ରିତି ସାହୁ, ଜିଲ୍ଲା ବିଜେଡି ଉପସଭାପତି ଡି. ବିଶ୍ବନାଥ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଆତ୍ମା ଅଧ୍ୟକ୍ଷ ଗନ୍ତାୟତ ଦଳାଇ, ସରପଞ୍ଚ ନିଳାଞ୍ଚଳ ସାହୁ, ମଦନ ମୋହନ ସେଠି, ବିକାଶ ସେଠି, ଯୁବ ବିଜେଡି ସଭାପତି ମନୋଜ ସାବତ ପ୍ରମୁଖ ମଞ୍ଚାସିନ ଥିଲେ । ୬ଟି ଗୋଷ୍ଠୀଗତ କ୍ରୀଡା ଯଥା କ୍ରିକେଟ, ହକି, ଭଲିବଲ, କବାଡି, ଖୋଖୋ ଓ ଫୁଟବଲ୍ ପାଇଁ ଅନଲାଇନ ଜରିଆରେ ହିଞ୍ଜିଳିକାଟୁ ବ୍ଳକର ୧୪୬ଟି ଦଳ ପଞ୍ଜିକରଣ କରିଥିଲେ । କ୍ରିକେଟ ପୁରୁଷ ବିଭାଗରେ ୫୪ଟି ଦଳ, ମହିଳା ବିଭାଗରେ୨ଟି, ଫୁଟବଲ୍ ପୁରୁଷ ବିଭାଗରେ ୪ଟି, ମହିଳା ବିଭାଗରେ ୩ଟି, କବାଡି ପ୍ରତିଯୋଗିତାରେ ପୁରଷ ବିଭାଗରେ୨୯ଟି, ମହିଳା ବିଭାଗରେ ୫ଟି, ଖୋଖୋ ପ୍ରତିଯୋଗିତାରେ ପୁରୁଷ ବିଭାଗରୁ ୧୪ଟି, ମହିଳା ବିଭାଗରୁ ୨ଟି, ଭଲିବଲ ପ୍ରତିଯୋଗିତାରେ ପୁରୁଷ ବିଭାଗରୁ ୨୬ଟି, ମହିଳା ବିଭାଗ ପକ୍ଷରୁ ୨ଟି ଏବଂ ହକି କ୍ରୀଡା ପ୍ରତିଯୋଗିତା ସକାଶେ ଉଭୟ ପୁରୁଷ ଓ ମହିଳା ବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ଦଳ ପଞ୍ଜିକରଣ କରିଥିବା ସୂଚନା ମିଳିଛି । ହକି ପ୍ରତିଯୋଗିତା ସକାଶେ ଉଭୟ ପୁରୁଷ ଓ ମହିଳା ବିଭାଗରୁ ଗୋଟିଏ ଲେଖାଏଁ ଦଳ ପଞ୍ଜିକରଣ କରିଥିବା ଯୋଗୁଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ମୁତାବକ ହକି ପ୍ରତିଯୋଗିତାରେ ପଞ୍ଜିକରଣ କରିଥିବା ଉଭୟ ଦଳ ଜିଲ୍ଲାର ଅନ୍ୟ ବ୍ଳକର ହକି ପ୍ରତିଯୋଗତାରେ ଅଂଶ ଗ୍ରହଣ କରିବେ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଉକ୍ତ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉକ୍ତ କ୍ରୀଡା ଉତ୍ସବ ହିଞ୍ଜିଳିକାଟୁ ବ୍ଳକ ଦାରୁଭଦ୍ରା ମିନି ଷ୍ଟାଡିୟମ ସମେତ ସମରଝୋଳ, ଗଣ୍ଡଳା ଓ ଆଲପୁର ଖେଳ ପଡିଆରେ ଆୟୋଜନ କରାଯାଇଛି । ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ କ୍ରୀଡା ଉତ୍ସବର ସୁପରିଚାଳନା ସକାଶେ ୨୮ଜଣ କ୍ରୀଡା ପ୍ରଶିକ୍ଷକଙ୍କ ସମେତ ପ୍ରାକ୍ତନ ଖେଳାଳୀ ଓ ବହୁ ସ୍ୱେଚ୍ଛାସେବକଙ୍କୁ ନିୟୋଜନ କରାଯାଇଛି । ପିଇଓ ସୁଶାନ୍ତ ପାତ୍ର, ବିଏଫଟି ବୃନ୍ଦାବନ ଗୌଡଙ୍କ ସମେତ ସ୍ଥାନୀୟ ବ୍ଳକର ବହୁ ସରପଞ୍ଚ ଓ ସମିତିସଭ୍ୟ, ପିଇଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


