ତୁଳସୀକ୍ଷେତ୍ର ସଦଭାବନା ସମିତିର “ଶାନ୍ତି ପ୍ରତିଷ୍ଠାରେ ଧର୍ମ” ଶୀର୍ଷକ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମାନବ ସମାଜର କଲ୍ୟାଣ ସାଧନ ସବୁ ଧର୍ମର ମୂଳମନ୍ତ୍ର । ସମାଜରେ ସୁଖ ଶାନ୍ତି ପ୍ରତିଷ୍ଠା ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ ଧର୍ମର ଅନୁଗାମୀମାନଙ୍କର ଧର୍ମର ଅନ୍ତର୍ନିହିତ ଉଦ୍ଦେଶ୍ୟ ସମ୍ପର୍କରେ ସଠିକ୍ ଅବଧାରଣାର ଅଭାବ କାରଣରୁ ସମୟ ସମୟରେ କେତେକ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରି ସମାଜର ଅଶେଷ କ୍ଷତି ସାଧନ କରିଥାଏ । ମାତ୍ର ଭେଦଭାବ କୌଣସି ମଧ୍ୟରେ ନଥାଏ ବରଂ ଧର୍ମାନ୍ଧତା ଓ ରାଜନୀତି ଭେଦଭାବ ସୃଷ୍ଟି କରିଥାଏ । ତେଣୁ ସମସ୍ତେ ପ୍ରତି ଧର୍ମର ମୂଳତତ୍ତ୍ୱ ସମ୍ପର୍କରେ ଅବଗତ ହେଲେ ସମାଜରେ ଶାନ୍ତି ସ୍ଥାପନ ହୋଇପାରିବ ବୋଲି ତୁଳସୀକ୍ଷେତ୍ର ସଦ୍‌ଭାବନା ସମିତି ପକ୍ଷରୁ ବିଭିନ୍ନ ଧର୍ମର ପଣ୍ଡିତ ଓ ଧର୍ମଗୁରୁ ମାନଙ୍କୁ ନେଇ “ଶାନ୍ତି ପ୍ରତିଷ୍ଠାରେ ଧର୍ମର ଭୂମିକା” ଶୀର୍ଷକ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି । ଅଧ୍ୟାପକ ଅଜୟ ସାମଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉର୍ଦ୍ଦୁ ପାଠାଗାର ପରିସରରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଦିବ୍ୟଜୀବନ ସଂଘର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ଇସ୍‌ଲାମ ଧର୍ମର ତୁଳନାତ୍ମକ ଗବେଷକ ଓ ଲେଖକ ସକିଲ ଅହମ୍ମଦ, ଶୋଭନୀୟ ଶିକ୍ଷାଶ୍ରମ ଜିଲ୍ଲା ମୁଖ୍ୟ ଭଗିନୀ ବ୍ରହ୍ମକୁମାରୀ ସ୍ନେହା, ଉତ୍କଳ ସଂସ୍କୃତ ବିଦ୍ୱତ୍ ପରିଷଦର ଅଧ୍ୟକ୍ଷ ବିଦ୍ୟାଭୂଷଣ ଡଃ. କାଳୀ ପ୍ରସନ୍ନ ଶତପଥୀ, ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାର ଜୟକୃଷ୍ଣ ପ୍ରମୁଖ ନିଜ ନିଜ ଧର୍ମ ଓ ପନ୍ଥାର ମୂଳତତ୍ତ୍ୱ ସମ୍ପର୍କରେ ଆଲୋଚନା କରି ମାନବ ସମାଜର କଲ୍ୟାଣ କାମନା କରିଥିଲେ । ସମିତିର ସଭାପତି ମୁକ୍ତାର ଖାଁ ସ୍ୱାଗତ ଭାଷଣ ଦେଇଥିବା ସ୍ଥଳେ ମହମ୍ମଦ ତାହିର ଆଲୋଚନାଚକ୍ରର ଉଦ୍ଦେଶ୍ୟ ଜ୍ଞାପନ, କୁଦ୍‌ରତ ଅଲ୍ଲୀ କୁଦ୍‌ରତ ଧର୍ମଗୁରୁମାନଙ୍କ ପରିଚୟ ପ୍ରଦାନ, ସିମରାହ ବିନ୍ତ ଅଦ୍ଧ ସୁଭାନ ଗୀତା ଓ କୋରାନର ସୂକ୍ତ ପାଠ ଓ ସମ୍ପାଦକ ଉମେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆନ୍ତର୍ଜାତିକ ଶୋଭନୀୟ ସାଂସ୍କୃତିକ ବାହିନୀର ପରିଚାଳିକା ମମତା ମଲ୍ଲଙ୍କ ସଂଯୋଜନାରେ କଳାକାରମାନେ ସର୍ବଧର୍ମ ସମନ୍ୱୟ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମିତିର ସଭ୍ୟ ଆଦିକନ୍ଦ ରାଉଳ, ମହମ୍ମଦ ସେକ୍ ଇନାୟତ(ଚନ୍ଦନ), ସେକ୍ ଫୟାଜ, ମୀର ଅମୀର, ସେକ୍ ନସିମୁଦ୍ଦିନ ପ୍ରମୁଖ ଆୟୋଜନରେ ସହଯୋଗ କରିଥିବା ବେଳେ ଡା. ବିଶ୍ୱପ୍ରକାଶ କାନୁନ୍‌ଗୋ, ପ୍ରାଧ୍ୟାପକ ନନ୍ଦକିଶୋର ପରିଡା, ପ୍ରାଧ୍ୟାପକ ସେକ୍ ସମସୁର୍‌, ଆଇନଜୀବୀ ସରୋଜରାଜ ସିଂ, ଧ୍ରୁବ ଚରଣ ଜେନା, ରମଣୀରଞ୍ଜନ ରାଉତରାୟ, ଆଶିଷ ସେନାପତି, ଡା. ପରବେଜ ଅଖତର, ଫକୀର ଚରଣ ଖଟୁଆ, ଅଧ୍ୟାପକ ଚିତ୍ତ ରଞ୍ଜନ ପଣ୍ଡା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ