ବାଲିଭଉଁରୀ-ଶିଖରଘାଟ ମୁଖ୍ୟ ରାସ୍ତାରେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ ଖୁଂଟ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ମୁଖ୍ୟ ସଂଯୋଗକାରୀ ରାସ୍ତା ହେଉଛି ଶିଖରଘାଟ-ବାଲିଭଉଁରୀ ରାସ୍ତା । ଏହି ରାସ୍ତାଟି ପୂର୍ତ ବିଭାଗ ଅଧୀନରେ ରହିଛି । ଏହି ରାସ୍ତା ପାଶ୍ୱର୍ରେ ବିଭିନ୍ନ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯିବା ପାଇଁ ବିଦ୍ୟୁତ ଖୁଂଟ ସବୁ ପୋତା ଯାଇଥିଲା । କାଳ କ୍ରମେ ରାସ୍ତାର ସଂପ୍ରସାରଣ ଓ ନିର୍ମାଣ ହେବା ଫଳରେ ରାସ୍ତା ପାଶ୍ୱର୍ରେ ଥିବା ଖୁଂଟ ଗୁଡିକ ବର୍ତମାନ ରାସ୍ତା ମଝିରେ ରହିଯାଇଛି । ଉକ୍ତ ଖୁଂଟ ଗୁଡିକ ଦୀର୍ଘ ଦିନ ହେବ ରହିଥିବାରୁ ଅନେକ ଲୁହା ଖୁଂଟରେ କଳଙ୍କି ଲାଗିଥିବା ବେଳେ କେତେକ ଖୁଂଟ ମୂଳ ଭାଗ ତାର ସାହାର୍ଯ୍ୟ ରେ ବନ୍ଧା ହୋଇରହିଛି । ଅପରପକ୍ଷେ ଦେଖିବାକୁ ଗଲେ ନାଉଗାଁ ବ୍ଳକଛକ ଠାରେ ବିପଦପୂର୍ଣ୍ଣ ଅବସ୍ଥାରେ ଖୁଂଟ ରହିଥିବା ବେଳେ ରାସ୍ତା ପାଶ୍ୱର୍ରେ ବିଭିନ୍ନ ଦୋକାନ ମଧ୍ୟ ରହିଛି । ଯଦି ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ବିଦ୍ୟୁତ ଖୁଂଟ ଭାଙ୍ଗେ ତେବେ ଦୋକାନ ଗୃହ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି । ରାସ୍ତା ନିର୍ମାଣ ସମୟରେ ବିଦ୍ୟୁତ ଖୁଂଟ ଉଠା ନଯିବାରୁ ଯାତ୍ରୀମାନଙ୍କ ପାଇଁ ଅସୁବିଧା ମଧ୍ୟ ସୃଷ୍ଟି ହେଉଛି । କେବଳ ସେତିକି ନୁହେଁ ଏହି ରାସ୍ତାଟି ବ୍ଳକର ମୁଖ୍ୟ ରାସ୍ତା ହୋଇଥିବା ବେଳେ ପୁରୀ, କେନ୍ଦ୍ରାପଡା, କଟକ ଆଦି ଜିଲ୍ଲାରୁ ଯାତ୍ରୀବାହୀ ଓ ମାଲବାହୀ ଗାଡି ଯିବା ଆସିବା କରୁଛି । ଅସାବଧାନତା ବଶତଃ ଯଦି କୌଣସି ଗାଡି ରାସ୍ତା ପାଶ୍ୱର୍କୁ ମାଡିଯାଏ ତେବେ ଦୁର୍ଘଟଣା ଘଟିବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଉକ୍ତ ରାସ୍ତାର ମଧ୍ୟ ଭାଗରେ ରହିଥିବା ସମସ୍ତ ବିଦ୍ୟୁତ ଖୁଂଟକୁ ସ୍ଥାନାନ୍ତର କରିବା ପାଇଁ ସାଧାରଣରେ ଦାବି ହୋଇଛି । ଏସଂକ୍ରାନ୍ତରେ ନାଉଗାଁ ଟାଟା ପାୱାରର ଲିଡ ମ୍ୟାନେଜର ଦୀପକ ଭୂଇଙ୍କୁ ପଚାରିବାରୁ ରାସ୍ତା ମଧ୍ୟରେ ଯେତେ ଗୁଡିଏ ବିଦ୍ୟୁତ ଖୁଂଟ ରହିଛି ଚିହ୍ନଟ କରାଯାଇ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।


