ଖଦାଳ କୁଳ ମହାସମାବେଶରେ ଯୋଗୀ ଦେବଦତ୍ତ ମହାରାଜ
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ନୂଆ ବଉଳଝୋଳି ଗ୍ରାମ ସ୍ଥିତ ମା ଠାକୁରାଣୀ ମନ୍ଦିର ପରିସରରେ ସୋମବାର ମହୁରୀ ତାଲୁକା ଉତ୍ତର ମଣ୍ଡଳ ଖଦାଳ କୁଳ ସମାଜ ମହାସଂଘ ପକ୍ଷରୁ ନୂତନ କମିଟି ଗଠନ ନେଇ ଏକ ମହାସମାବେଶର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତଏହି ସମାବେଶରେ ଦିଗପହଣ୍ଡି ସ୍ଥିତ ଶ୍ରୀ ମାଁ ହରିପ୍ରିୟା ଆଶ୍ରମର ମୁଖ୍ୟ ଯୋଗୀ ଦେବଦତ୍ତ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଦାଳ କୁଳ ସମାଜର ପ୍ରତିଷ୍ଠିତ ସଂଗଠକ ଓ କର୍ମକର୍ତ୍ତାଙ୍କୁ ବ୍ୟକ୍ତି ବିଶେଷଙ୍କୁ ଆଶ୍ରମ ପକ୍ଷରୁ ଉପଢୌକନ ସହ ପୁରୀ ଜଗନ୍ନାଥ ମହାପ୍ରସାଦ ଦେଇ ନିଜର ବନ୍ଧୁ ଦର୍ଶନ ଯାତ୍ରାରେ ସାମିଲ କରାଇଥିଲେ । ଉତ୍ତର ଖଣ୍ଡୀୟ ଏହି ମହାସଭାରେ ଶ୍ରୀ ମହାରାଜ ଖଦାଳ ଜାତିର ସମାଜ ପ୍ରତି ରହିଥିବା ଅବଦାନ ଏବଂ ସନାତନ ଧର୍ମ ରକ୍ଷା, ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରି ହିନ୍ଦୁ ଭାଇଚାରା ସୃଷ୍ଟି କରିବା ଏବଂ ଗୋ ହତ୍ୟା ବନ୍ଦ କରି ଏକ ସୁସ୍ଥ ହିନ୍ଦୁ ରାଷ୍ଟ୍ରର ସେବକ ଭାବେ ଗୋ-ସୁରକ୍ଷା ଦିଗରେ ନିଜକୁ ସମର୍ପିତ କରିବା ପାଇଁ ସାବଲୀଳ ଉପଦେଶ ସହ ଅନୁପ୍ରେରନା ପ୍ରଦାନ କରିଥିଲେ । ଶ୍ରୀ ମହାରାଜଙ୍କ ଆଗମନରେ ଖଦାଳ ସମାଜ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ସହ ସମାବେସିତ ଘଣ୍ଟ କୀର୍ତ୍ତନ ବଜାଇ ବିଶାଳ ପଟୁଆରରେ ବଉଳଝୋଳି ଗ୍ରାମ ପରିକ୍ରମା କରାଇ ସଭାମଣ୍ଡପକୁ ପାଛୋଟି ନେଇଥିଲେ । ହଜାରରୁ ଉର୍ଦ୍ଧ୍ଵ ମହିଳା ଏବଂ ଜନସାଧାରଣଙ୍କ ସମାବେଶରେ ଆୟୋଜିତ ଏହି ଅଧିବେଶନରେ ଅରୂପ ଚୌଧୁରୀ, ମିଥୁନ ବିଷୋୟୀ, ଶ୍ୟାମ ରେଡ଼ୀ, ନୀଳାଞ୍ଚଳ ପାଢ଼ୀଙ୍କ ସମେତ ବହୁ ଯୁବ ନେତା ଯୋଗଦେଇଥିଲେ।ସମାଜ ପକ୍ଷରୁ ମହୁରୀ ତାଲୁକା ଉତ୍ତର ମଣ୍ଡଳ ଖଦାଳ କୁଳ ସମାଜର ସଭାପତି ସୀମାଞ୍ଚଳ ଦାସ, ଉପସଭାପତି କୃଷ୍ଣଚନ୍ଦ୍ର ଦାସ, ସମ୍ପାଦକ ଟୁନା ଦାସ, କୋଷାଧ୍ୟକ୍ଷ ବୁଡୁ ଦାସ, ସୁଦର୍ଶନ ଦାସଙ୍କ ସମେତ ସମାଜ ଅନ୍ତର୍ଗତ ୩୨ ମୁଠାର ସମସ୍ତ ଗ୍ରାମ କୁଳ ସମାଜର କମିଟି ବୃନ୍ଦଙ୍କ ସହ ସମାଜର ସମସ୍ତ ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରିଥିଲେ ।


