କାନ୍ଦୁଛି ଥୁଣ୍ଟା ବରଗଛ ଧିମେଇଛି ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଛତାବର ଠାରୁ ପଡୋଶୀ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ବୈତରଣୀ ନଦୀ ଵଳିଘାଇ ପୋଲ ଯାଏଁ ଦୀର୍ଘ ମାସ ହେବ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇ ପାରୁନାହିଁ।ଛତାବର-ଵଳିଘାଇ ନାମରେ ନାମିତ ଉକ୍ତ ରାସ୍ତାର ଦୈର୍ଘ୍ୟ ପ୍ରାୟ ଆଠ କିଲୋମିଟର ହେବ। ପୂର୍ବରୁ ଏହା ଦୁଇ ଥାକିଆ ଥିବା ବେଳେ ଗତ ବର୍ଷ ରାସ୍ତାଟିର ଚାରି ଥାକିଆ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। ପ୍ରାୟ ଚାଳିଶ କୋଟି ଟଙ୍କାରେ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଜୈନିକ ପଶ୍ଚିମବଙ୍ଗ ଠିକାଦାରଙ୍କୁ କାର୍ଯାଦେଶ ପ୍ରଦାନ କରାଯାଇଛି। ଠିକା ସଂସ୍ଥା ବର୍ଷେ ପୂର୍ବରୁ ରାସ୍ତା ଦୁଇ ପାର୍ଶ୍ଵରେ ଥିବା ଅନେକ ଛୋଟ ବଡ଼ ଵୃକ୍ଷ କାଟି ସଫା କରି ଦେଇଥିବା ବେଳେ ନିର୍ମାଣ କାର୍ଯ୍ୟ କିନ୍ତୁ ମନ୍ଥର ଗତିରେ ଚାଲିଛି। ରାସ୍ତାର ମଞ୍ଜୁରୀ ନିକଟରେ କେଇ ମିଟର କଂକ୍ରିଟ ୱାଲ କରି ଦେଇ ଠିକା ସଂସ୍ଥା ବର୍ଷେ ହେବ ଉଭାନ ହୋଇ ଯାଇଛି।ଏଵେ ଦୁଇ ତିନୋଟି ଛୋଟ ପୋଲ ନିର୍ମାଣ ପାଇଁ ରଡ ବନ୍ଧା ହେଉଛି। ଏତିକିରେ ରାସ୍ତା ନଵୀ କରଣ କାର୍ଯ୍ୟ ସୀମିତ ରହିଛି।ଏପଟେ ରାସ୍ତା ପାର୍ଶ୍ବରେ ଥିବା ବଡ଼ ବଡ଼ ଥୁଣ୍ଟା ବରଗଛ ସତେ ଯେମିତି ଲୁହ ଗଡାଉଛନ୍ତି। ମୋ ଜୀବନ ପଛେ ନର୍କେ ପଡି ଥାଉ ଜଗତ ଉଦ୍ଧାର ହେଉ ନ୍ୟାୟରେ ଗଛ ଗୁଡିକ କିଛି ଦିନ ବଞ୍ଚି ପାରିଲେ ନା ରାସ୍ତା ନବୀକରଣ କାର୍ଯ୍ୟ ଠିକ୍ ସମୟରେ ହୋଇ ପାରିଲା। ଭଦ୍ରକ ଜିଲ୍ଲା ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ଅପାରଗତା ଯୋଗୁ ବେଙ୍ଗଲି ଠିକାଦାର କାମ କରୁନଥିବା ଅଞ୍ଚଳବାସୀ ଜଣାଇଛନ୍ତି। ଏପଟେ ରାସ୍ତାର ଅବସ୍ଥା ଦିନକୁ ଦିନ କଦର୍ଯ୍ୟ ହୋଇ ଯାଉଥିବା ବେଳେ ଯାନ ବାହାନ ଚଳାଚଳରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। ଏପରିକି ଖରାପ ରାସ୍ତା ପାଇଁ ଛୋଟ ମୋଟ ଦୁର୍ଘଟଣା ମାନ ମଧ୍ୟ ଘଟୁଛି। ଏହାଛଡା ମଞ୍ଜୁରୀ, ମହାମାଲ୍ୟା, ପର୍ବତୀ, ଭୁତିଆ, ଛତାବର, କୋରକରା ପ୍ରମୁଖ ଗ୍ରାମର ଲୋକେ ଦୈନିକ ଜରାଜୀର୍ଣ୍ଣ ରାସ୍ତାରୁ ଉଡ଼ୁଥିବା ଧୂଳିରେ ଅତିଷ୍ଠ ହେଲେଣି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୃଦ୍ଧିଜୀବୀ ମହଲରେ ଦାବି ଜଣାଯାଇଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ