କେନ୍ଦୁବାଡି ସମିତି ସଭ୍ୟଙ୍କୁ ଗୁଳି ମାଡ଼, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତରିତ

ପୋଲସରା, (ଅନିଲ କୁମାର ମହାରଣା) : ଗତ ମଧ୍ୟ ରାତିରେ ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତର ଗରେଇଝୁଳି ଗ୍ରାମରେ ଗୁଳିକାଣ୍ଡ ଘଟି ସମିତି ସଭ୍ୟଙ୍କ ସମେତ ତିନିଜଣ ଆହତ ହୋଇଛନ୍ତି। ଗରେଇଝୁଳି ହରିଜନ ସାହିର ଗୁରୁମୂର୍ତ୍ତି ନାହାକ, ରଞ୍ଜିତ ନାହାକ, ମନୋଜ ନାହାକ, ଅରୁଣ ନାହାକ ଓ ପିଣ୍ଟୁ ନାହାକ ପାଞ୍ଚ ଜଣ ଯୁବକ ବହୁଦିନ ଧରି ଅଞ୍ଚଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଗ୍ରାମଲୋକେ ପ୍ରକାଶ କରିଥିବା ଜଣାପଡିଛି। ଗତକାଲି ଦିନ ସାରା ଗ୍ରାମର ଗଳିକନ୍ଦିରେ ଉପରୋକ୍ତ ଯୁବକମାନେ ଦୃତ ଗତିରେ ବାରମ୍ବାର ବାଇକ୍ ଚଲାଉଥିଲେ। ଏହି କାର୍ଯ୍ୟ ପାଇଁ ଗ୍ରାମର କିଛି ଲୋକ ସେମାନଙ୍କୁ ବାରମ୍ବାର ବାରଣ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିଲେ। ଗତକାଲି ବିଳମ୍ୱିତ ରାତିରେ ପଞ୍ଚାୟତ ସମିତି ସଭ୍ୟ ନରେନ୍ଦ୍ର ସ୍ବାଇଁ ଘର କାମ କରିବା ଉଦ୍ଦେଶ୍ୟରେ କିଛି ଇଟା ପକାଇ ଭୋଜିଭାତର ଆୟୋଜନ କରିଥିଲେ। ରାତି ପ୍ରାୟ ୧୨ ଘଣ୍ଟା ସମୟରେ ସେହି ଯୁବକମାନେ ପୁଣି ବାଇକ ଆବାଜ କରି ଗ୍ରାମରେ ବୁଲାଇଥିଲେ।ଏହା ଶୁଣି ଇଟାଭାଟି ଠାରେ ଥିବା ଗ୍ରାମର ଯୁବକ ମାନେ ଆସି ବୁଝାସୁଝା କରିଥିଲେ। ସେମାନେ ନଶୁଣିବା ଦ୍ବାରା କିଛି ସମୟ ପରେ ସମିତି ସଭ୍ୟ ନରେନ୍ଦ୍ର ସେଠାରେ ପହଞ୍ଚି ବୁଝାଇବାକୁ ଚେଷ୍ଟା କରିବା ବେଳେ ଗୁରୁମୂର୍ତ୍ତି ନାହାକ ଏକ ଦେଶୀ ଛେରା ବନ୍ଧୁକରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସମିତି ସଭ୍ୟ ନରେନ୍ଦ୍ରଙ୍କ ଦୁଇ ଜଙ୍ଘରେ ଗୁଳି ବାଜିଥିଲା। ଏହା ଦେଖି ତାଙ୍କ ଭାଇ ରାଜେଶ୍ବର ସ୍ବାଇଁ ଉକ୍ତ ଯୁବକଠାରୁ ବନ୍ଧୁକ ଛଡ଼ାଇବା ସମୟରେ ରଞ୍ଜିତ ନାହାକ ଏକ ଖଣ୍ଡାରେ ଆକ୍ରମଣ କରିବାରୁ ତାଙ୍କର ବାମ ହାତର କହୁଣୀରେ ଆଘାତ ଲାଗିଥିଲା। ସେହି ସମୟରେ ଅନ୍ଯ ଏକ ଯୁବକକୁ ଠେଲିବା ଫଳରେ ସେବି ଆହତ ହୋଇଥିଲା। ଗ୍ରାମର ଲୋକଙ୍କ ସହଯୋଗରେ ସେମାନଙ୍କୁ ବୁଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ନରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁଇ ଆହତଙ୍କ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଥିବା ବେଳେ ଏବେ ବ୍ରହ୍ମପୁର ମେଡିକାଲରେ ନରେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛି। ଗୁରୁମୂର୍ତ୍ତି ନାହାକ ବ୍ଯବହାର କରିଥିବା ବନ୍ଧୁକଟି କଣଛାଇ ଗ୍ରାମର ଜଣେ ଯୁବକଙ୍କ ହୋଇଥିବା ବେଳେ ସେ ତାଙ୍କ ସହିତ ଲିପ୍ତ ରହିବା ସହିତ ସେହି ବନ୍ଧୁକରେ ବନ୍ୟଜନ୍ତୁ ଶିକାର କରୁଥିବା ଶୁଣିବାକୁ ମିଳିଛି। ଏହି ଘଟଣା ନେଇ ପୋଲସରା ପୋଲିସ ଥାନା କେଶ ନଂ ୩୨/୨୪ ପ୍ରକାରେ ଏକ ମାମଲା ରୁଜୁ ହୋଇ ଅନୁସନ୍ଧାନ ଜାରି ରହିଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ