ଜଙ୍ଗଲରୁ ଆବିର୍ଭାବ ହେଲେ ପ୍ରଭୁ କେଦାରନାଥଙ୍କ ଶିବଲିଙ୍ଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ କରଡ଼ାସିଂ ପଞ୍ଚାୟତର ପଦ୍ମପୁର ଗ୍ରାମ ନିକଟସ୍ଥ ଗୁଡ଼ି ସାହିର କେତଙ୍ଗ ଜଙ୍ଗଲରେ ଏକ ଆଲୌକିକ ଘଟଣା ଦେଖିବାକୁ ମିଳିଛି। ସେହି ସ୍ଥାନରେ ପ୍ରଭୁ କେଦାରନାଥଙ୍କ ଏକ ଶିବ ଲିଙ୍ଗ ଆବିର୍ଭାବ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳବାସୀ ପୂଜାର୍ଚ୍ଚନା କରିବା ପାଇଁ ସେଠାରେ ପ୍ରବଳ ଭିଡ଼ ଜମିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆଜକୁ ପ୍ରାୟ କୋଡ଼ିଏ ବର୍ଷ ପୂର୍ବେ ପଦ୍ମପୁର ଗ୍ରାମର ଦମୟନ୍ତୀ ଶବର ନିଜ ଘରେ ଶୋଇଥିବା ବେଳେ ତାଙ୍କ ଉପରେ ଏକ ସାପ ଗଳି ପଡ଼ିଥିଲା। ପରିବାରଲୋକେ ଜାଣିବା ପରେ ସେ ସାପକୁ ନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ।ବର୍ତମାନ ଗ୍ରାମବାସୀ ସେଠାରୁ ଏକ ଶିବ ଲିଙ୍ଗ ଠାବ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି I ଏହାକୁ କେଦାରନାଥ ନାମରେ ନାମିତ କରାଯାଇଛି I ତେବେ ଆଶ୍ଚର୍ଯ୍ୟର ବିଷୟ ଏହାଯେ, ଶିବଲିଙ୍ଗ ଚିହ୍ନଟ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆକାର ବଢ଼ି ବଢ଼ି ଯାଉଥିବା ଗ୍ରାମବାସୀ କୁହନ୍ତି। ଉକ୍ତ ଖବର ପ୍ରଚାରିତ ହେବା ପରେ ସେଠାରେ ପ୍ରତ୍ୟେକ ସୋମବାର ଓ ସଂକ୍ରାନ୍ତିରେ ଭକ୍ତମାନେ ଆସି ପୂଜାର୍ଚ୍ଚନା କରିବା ସହ ନାମ ସଂକୀର୍ତ୍ତନ, ପଣା ଭୋଗ, ଅନ୍ନ ଭୋଗ କରିଥାନ୍ତି । ତେବେ ଏଠାରେ ରାସ୍ତା ସମସ୍ୟା, ପାନୀୟ ଜଳର ସମସ୍ୟା ରହିଥିବା ବେଳେ ପ୍ରଶାସନ ଦୃଷ୍ଟି ଦେଲେ ଭକ୍ତମାନେ ଉପକୃତ ହେବେ ବୋଲି ଅଞ୍ଚଳବାସୀ କହିଛନ୍ତି।


