ଚନ୍ଦ୍ରଭାଗାରେ ମାଘ ସପ୍ତମୀ ମେଳା
ପ୍ରତିବର୍ଷ ମାଘ ମାସ ଶୁକ୍ଳ ସପ୍ତମୀ ତିଥି ରେ ଚେଇଁଉଠେ କୋଣାର୍କ। ଜନସମୁଦ୍ର ପାଲଟେ ନିର୍ଜନ ଚନ୍ଦ୍ରଭାଗା। ସାପ କାତି ପରି ଦିଶୁଥିବା
ପୁରାଣ ଓ ଇତିହାସ ପ୍ରସିଦ୍ଧ ଚନ୍ଦ୍ରଭାଗା ( ଚିତ୍ରୋତ୍ପଳା) ନଈ ଟି ସୁନାହାର ପରି ଝଟକି ଉଠେ ସେ ଦିନ। ଶୀର୍ଣ୍ଣସ୍ରୋତା ଚନ୍ଦ୍ରଭାଗା ରେ
ସୂର୍ଯ୍ୟନାରାୟଣ ପୂର୍ବ ଆକାଶ ରେ ଉଇଁବା ପୂର୍ବରୁ ବୁଡ଼ ପକାଇଥାନ୍ତି ଦେଶ ବିଦେଶ ର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ।
ଚନ୍ଦ୍ରଭାଗା ରେ ସେ ଦିନ ର ସୂର୍ଯ୍ୟୋଦୟ ଅଭୁଲା ଓ ଅବିସ୍ମରଣୀୟ। ଲୋକମୁଖ ରେ ବିଶ୍ୱାସ ରହିଛି ଯେ, ମାଘ ସପ୍ତମୀ ପ୍ରତ୍ୟୁଷ ରୁ ଚନ୍ଦ୍ରଭାଗା ରେ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣ ଙ୍କୁ ଦର୍ଶନ କଲେ ଅଶେଷ ପାପ ଓ ଅଜସ୍ର ବ୍ୟାଧି
ର ବନ୍ଧନ ରୁ ମୁକ୍ତି ମିଳିଥାଏ ଏବଂ ମଣିଷ ଜନ୍ମ ରୁ ମୁକ୍ତି ମିଳି ମୋକ୍ଷ ପ୍ରାପ୍ତ ହୋଇଥାଏ ବୋଲି ପ୍ରାଚୀ ମାହାତ୍ମ୍ୟ ରେ ବର୍ଣ୍ଣିତ ହୋଇଛି। ପୁରାଣ ର ବର୍ଣ୍ଣନା ଅନୁସାରେ ଭଗବାନ ଶ୍ରୀ କୃଷ୍ଣ ଙ୍କ ପୁତ୍ର ଶାମ୍ବ ପିତୃ ଅଭିଶାପ ପାଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ଏହି ଦୁଃସାଧ୍ୟ ବ୍ୟାଧି ରୁ କିପରି ମୁକ୍ତ ହୋଇ ପାଇବେ ସେ ସଂପର୍କରେ ତ୍ରିକାଳଦର୍ଶି ଦେବର୍ଷି ନାରଦ ଙ୍କୁ ପଚାରିବାରେ ନାରଦ ମୁନି କହିଥିଲେ ଯେ, ପୁଣ୍ୟତୋୟା ପ୍ରାଚୀ ନଦୀ ର ମୁଖ୍ୟ ଶାଖା ନଦୀ ଚନ୍ଦ୍ରଭାଗା (ଚିତ୍ରୋତ୍ପଳା) ରେ ମାଘ ମାସ ସପ୍ତମୀ ତିଥି ରେ ପ୍ରାତଃ ରୁ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣ ଙ୍କୁ ଦର୍ଶନ କଲେ ଏହି ରୋଗ ରୁ ମୁକ୍ତି ମିଳିଥାଏ। ତଦନୁସାରେ ଶାମ୍ବ ଏଠାକୁ ଆସି ଚନ୍ଦ୍ରଭାଗା ଠାରେ ସୂର୍ଯ୍ୟ ନାରାୟଣ ଙ୍କୁ ତପସ୍ୟା କରିଥିଲେ। ମାଘ ମାସ ସପ୍ତମୀ ତିଥି ର ପ୍ରାତଃ ରେ ଏଠାରେ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣ ଙ୍କୁ ଦର୍ଶନ କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ଶାମ୍ବ ଏଠାରେ ବୁଡ଼ ପକାଇବା ସମୟ ରେ ଏକ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ସୂର୍ଯ୍ୟ ନାରାୟଣ ଙ୍କ
ମୂର୍ତ୍ତି ପାଇଥିଲେ। ସେହି ମୂର୍ତ୍ତି କୁ
ଶାମ୍ବ ସେଠାରେ ପ୍ରତିଷ୍ଠା କରି ପୂଜା
କରିଥିଲେ। ସେହି ଦିନ ଠାରୁ କୋଣାର୍କ ସୂର୍ଯ୍ୟକ୍ଷେତ୍ର, ଅର୍କ କ୍ଷେତ୍ର, ପଦ୍ମ କ୍ଷେତ୍ର, ମୈତ୍ରୟ ବନ ନାମ ରେ ପ୍ରସିଦ୍ଧି ଲାଭ କଲା। କୋଣାର୍କ ରେ ସୂର୍ଯ୍ୟ ଉପାସନା ଆରମ୍ଭ ହୋଇଥିଲା।
ମହାମୁନି ଶୁକଦେବ ଙ୍କ ତପସ୍ୟା ସ୍ଥଳୀ କୋଣାର୍କ ଥିଲା। କପିଳ ସଂହିତା ରେ ବର୍ଣ୍ଣିତ ହୋଇଛି ଯେ,
ଚନ୍ଦ୍ରଭାଗା (ଚିତ୍ରୋତ୍ପଳା) ନଦୀ ରେ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣ ଙ୍କୁ ଦର୍ଶନ କରି ପ୍ରଭୁ ନାଟେଶ୍ୱର ଙ୍କୁ ଦର୍ଶନ କଲେ ସର୍ବ ବ୍ୟାଧି, ରୋଗ ରୁ ମୁକ୍ତି ମିଳିଥାଏ। କୋଣାର୍କ ସ୍ଥାନ ର ପବିତ୍ରତା ଓ ଭୌଗଳିକ ସ୍ଥିତି କୁ ଲକ୍ଷ
କରି ଉତ୍କଳ ର ମହାରାଜା ଲାଙ୍ଗୁଡ଼ା
ନରସିଂହ ଦେବ ଦ୍ୱାଦଶ ଶତାବ୍ଦୀ ରେ
୧୨ ବର୍ଷ ର ରାଜସ୍ବ କୁ ବ୍ୟୟ କରି
୧୨ ଶହ ବଢ଼େଇ ( ଶିଳ୍ପୀ) ଙ୍କୁ ଲଗାଇ ଚନ୍ଦ୍ରଭାଗା (ଚିତ୍ରୋତ୍ପଳା) ନଦୀ ର ପଦ୍ମତୋଳା ଗଣ୍ଡ ରେ ନିର୍ମାଣ କରିଥିଲେ ପୃଥିବୀ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର। ଯାହା ଏବେ ବ୍ଲାକ ପାଗୋଡା
ନାମ ରେ ସାରା ପୃଥିବୀ ରେ ପ୍ରସିଦ୍ଧି ଲାଭ କରିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ର ନିର୍ମାଣ ଶୈଳୀ ଓ ସୂକ୍ଷ୍ମ କାରୁକାର୍ଯ୍ୟ କୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ଯାତ୍ରୀ, ପର୍ଯ୍ୟଟକ ଏଠାକୁ ଛୁଟି ଆସୁଛନ୍ତି। ଯଦିଓ କୋଣାର୍କ ସୂର୍ଯ୍ୟ ମନ୍ଦିର ର ମୁଖ୍ୟ ମନ୍ଦିର ଟି କାଳ ର କରାଳ ଗତି ରେ ଧ୍ଵଂସ ପାଇଯାଇଛି କିନ୍ତୁ ମନ୍ଦିର ର ମୁଖଶାଳା କୁ ଦେଖି ଯାତ୍ରୀ ଓ ପର୍ଯ୍ୟଟକ ମାନେ ବିଭୋର ହୋଇ ଉଠୁଛନ୍ତି। କୋଣାର୍କ ମନ୍ଦିର ର ଚକ୍ର ଦେଖି କିପରି ସମୟ ଜାଣିହେବ ସେ ସମ୍ପର୍କ ରେ ତଥ୍ୟ ପାଇ ଯାତ୍ରୀ ଓ ପର୍ଯ୍ୟଟକ ମାନେ ଆନନ୍ଦିତ ହେଉଛନ୍ତି।ମନ୍ଦିର ନିର୍ମାଣ କରିଥିବା ତତ୍କାଳୀନ ଉତ୍କଳୀୟ ଶିଳ୍ପୀକୂଳକୁ
ମିଳୁଛି ଶତ ଶତ ପ୍ରଶଂସା। ପ୍ରାଚୀ ମାହାତ୍ମ୍ୟ ପୁରାଣ ଅନୁସାରେ ଅର୍କକ୍ଷେତ୍ର କୋଣାର୍କ ରେ ରହିଛି
ପଞ୍ଚତୀର୍ଥ। ତନ୍ମଧ୍ୟରୁ ଚନ୍ଦ୍ରଭାଗା ତୀର୍ଥ ଅନ୍ୟତମ। ଚଣ୍ଡୀପୁରାଣ ରେ ଚନ୍ଦ୍ରଭାଗା କୁ ଗୁପ୍ତ ଗଙ୍ଗା ଭାବେ ଅବିହିତ କରାଯାଇଛି। ଏଠାରେ ବୁଡ଼ ପକାଇଲେ ସର୍ବ ଚର୍ମ ରୋଗ ରୁ ମୁକ୍ତି ମିଳି ଚନ୍ଦ୍ର ଙ୍କ ପରି ରୂପ ଲାବଣ୍ୟ ମିଳି ଥାଏ ବୋଲି ଦର୍ଶାଯାଇଛି। କୋଣାର୍କ ଓ ଚନ୍ଦ୍ରଭାଗା ସ୍ଥାନ ର ଭୌଗଳିକ ସ୍ଥିତି ମଧ୍ୟ ଆଶ୍ଚର୍ଯ୍ୟଜନକ ଲାଗିଥାଏ।
ପ୍ରାତଃ ରେ ସୂର୍ଯ୍ୟ ପୂର୍ବ ଆକାଶ ରେ ଉଦୟ ହେବାକ୍ଷଣି ପ୍ରଥମ କିରଣ ଏଠାରେ ପଡ଼ିଥାଏ ଓ ସଂଧ୍ୟା ରେ ଅସ୍ତ
ସମୟ ରେ ତାଙ୍କ ଶେଷ କିରଣ ମଧ୍ୟ ଏହିଠାରେ ପଡ଼ିଥାଏ। ଯାହା ଅତ୍ୟନ୍ତ
ଆଶ୍ଚର୍ଯ୍ୟଜନକ ଲାଗିଥାଏ। କୋଣାର୍କ ସହିତ ସୂର୍ଯ୍ୟ ଙ୍କ ଉଦୟ ଓ ଅସ୍ତ ଓ ଗତି ର ସମ୍ପର୍କ ରହିଥିବାରୁ ଏଠାରେ
ପୂଜା ଓ ଦର୍ଶନ କଲେ ସୂର୍ଯ୍ୟ ନାରାୟଣ ସନ୍ତୁଷ୍ଟ ହୋଇଥାନ୍ତି ବୋଲି
ବିଶ୍ୱାସ ରହିଆସିଛି। ମାଘ ମାସ ଶୁକ୍ଳ ସପ୍ତମୀ ତିଥି ରେ ଉତ୍ତରାୟଣ ସୂର୍ଯ୍ୟ ଙ୍କୁ ଦର୍ଶନ କରିବାପାଇଁ ଧର୍ମପରାୟଣ
ଓ ଶରଳ ବିଶ୍ୱାସୀ ଓଡ଼ିଆ ଙ୍କ ମଧ୍ୟରେ ଯେଉଁ ଉତ୍କଣ୍ଠା ଓ ଆଗ୍ରହ ପ୍ରକାଶ ପାଇଥାଏ ତାହା ଅବର୍ଣ୍ଣନୀୟ। ରାତି ସାରା ବେଳାଭୂମୀ
ବାଲି ରେ ଉଜାଗର ରହି ସମସ୍ତ ଶାରୀରିକ କଷ୍ଟ ଭୁଲିଯାଇ ସମସ୍ତେ
ଚାତକ ପରି ଚାହିଁ ରହିଥାନ୍ତି ପୂର୍ବ ଆକାଶ ର ଦିଗବଳୟ କୁ। କେତେ ବେଳେ ଲାଲ ସୂର୍ଯ୍ୟ ଉଦୟ ହୋଇ
ପୂର୍ବ ଆକାଶ ସହିତ ସମୁଦ୍ର ପାଣି କୁ ଲାଲ କରିଦେବେ। ସାମାଜିକ ସଂହତି
ଓ ଧାର୍ମିକ ବିଶ୍ୱାସ ର ଅପୂର୍ବ ନିଦର୍ଶନ ସହ ଦୋକାନ,ବଜାର, ମେଳା ର ସମାହାର, କୋଣାର୍କ ଚନ୍ଦ୍ରଭାଗା ମାଘ ସପ୍ତମୀ ମେଳା କୁ ଓଡ଼ିଶାର ମେଳା ଇତିହାସ ରେ ଏକ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରିଛି ଏହା ନିଃସନ୍ଦେହ।
ଓଡ଼ିଶା ସରକାର କୋଣାର୍କ ସୂର୍ଯ୍ୟ ମନ୍ଦିର ର ଚକ୍ର କୁ ନିଜର ସ୍ମାରକୀ ଭାବେ ଗ୍ରହଣ କରିଥିବାବେଳେ କେନ୍ଦ୍ର ସରକାର ଆମ ଦେଶ ର କାଗଜ ମୁଦ୍ରା ରେ କୋଣାର୍କ ଚକ୍ର କୁ ସ୍ଥାନ ଦେବା ଓ ଗତ ଏସୀୟ ସମ୍ମୀଳନୀ ରେ ଯୋଗ ଦେବାକୁ ବିଭିନ୍ନ ବିଦେଶ ରୁ ଆସିଥିବା ଦେଶ ମୁଖ୍ୟ ମାନଙ୍କୁ ଆମ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ର ର ଫଟୋ ସମ୍ମୁଖ ରେ ଛିଡ଼ା କରାଇ ଚକ୍ର
ସମ୍ପର୍କ ରେ ସବିଶେଷ ବିବରଣୀ ପ୍ରଦାନ କରିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ଜୟ ଶ୍ରୀ ସୂର୍ଯ୍ୟ ନାରାୟଣ ନମଃ।
ସନ୍ତୋଷ ଦାଶ। ତୁଳସୀପୁର, ପୁରୀ।
୯୪୩୯୩୬୧୮୮୮।
santosh.kakpress @gmail.com