ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପୂର୍ବାହ୍ନର ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଜ଼ିଲ୍ଲା ପରିଷଦ ମାନ୍ୟବର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ଅଧ୍ୟକ୍ଷତା କରି ଆମ ଜୀବନ ପାଇଁ ଆମେ ସବୁବେଳେ ଜଣେ ମହିଳା ଅର୍ଥାତ ଆମ ମା’ଙ୍କ ପାଖରେ ଋଣୀ ବୋଲି କହିଥିଲେ । ମହିଳାମାନେ ଜନସଂଖ୍ୟାର ୫୦ ପ୍ରତିଶତ ହୋଇଥିବା ବେଳେ ସେମାନଙ୍କ ଉନ୍ନତି ବିନା ଦେଶର ପ୍ରଗତି ସମ୍ଭବ ନୁହେଁ ବୋଲି ଶ୍ରୀ ନାୟକ ଦର୍ଶାଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଯୋଗ ଦେଇ ମହିଳାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଭବିଷ୍ୟତ ଗଠନ ଦିଗରେ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା କହିବା ସହ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀ ସୃଷ୍ଟି କରାଯାଇ ସେମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ଏବଂ ସଚେତନତା ମାଧ୍ୟମରେ ଜନମାନସକୁ ସେବା ଯୋଗାଇ ପାରିବେ ସେ ଦିଗରେ ଦୃଷ୍ଟି ଦେବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଏଫ.ଏମ ଜୁନିଅର କଲେଜର ପୂର୍ବତନ ଅଧ୍ୟକ୍ଷା ଡ଼. ସାନ୍ତ୍ୱନା ହାଲଦାର ଯୋଗ ଦେଇ ମା’ ଓ ଭଉଣୀମାନଙ୍କ ପାଖରେ ଯେଉଁ ପ୍ରତିଭା, ଦକ୍ଷତା ଓ ସାହସିକତା ରହିଛି ତାହାକୁ ଆଗକୁ ଆଣିବା ଏବଂ ସବୁ କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହନ ଦେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ । ଆଜି ମହିଳାମାନେ ମହାକାଶକୁ ଯାତ୍ରା କରିବା ପାଇଁ ସକ୍ଷମ ହୋଇଥିବା ବେଳେ ମାତୃଶକ୍ତିକୁ ସମସ୍ତ ଶକ୍ତିର କେନ୍ଦ୍ରସ୍ଥଳୀ ଭାବେ ସେ ବର୍ଣ୍ଣନା କରିଥିଲେ । ମହିଳାମାନଙ୍କର ଯେଉଁ ତ୍ୟାଗ ଓ ସେବା ମନୋଭାବ ରହିଛି ତାହାର ସେ ପ୍ରଶଂସା କରିବା ସହିତ ପରିବାରରେ ଶାନ୍ତି ପ୍ରତିଷ୍ଠା ପାଇଁ ସେମାନଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସ ଯୋଗ ଦେଇ ମହିଳାମାନେ ପୁରୁଷମାନଙ୍କ ଠାରୁ ଅଧିକ ଦାୟିତ୍ୱବାନ ଓ କର୍ତବ୍ୟପରାୟଣ ହୋଇଥିବା ବେଳେ ମହିଳାମାନେ ନିଜ ଅଧିକାର ପାଇଁ ସ୍ୱତଃ ପ୍ରବୃତ ଭାବେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ଯେଉଁ ଅବଦାନ ରହିଛି, ଯେଉଁ ସବୁ କ୍ଷେତ୍ରରେ ମହିଳାମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି ସେ ସବୁ ଉପରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଅଙ୍ଗନବାଡି କର୍ମୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାାମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଶିଖା ରାଣୀ ପୋଦ୍ଦାର ପ୍ରାରମ୍ଭିକ ଅଭିଭାଷଣ, କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ