ଦାବି ପୂରଣ କରିବାକୁ ସାମ୍ବାଦିକ ସଂଘ ପକ୍ଷ ଗୋପ ରୁ ନବୀନ ନିବାସ ପଦଯାତ୍ରା
ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀ ଓ ବିଭିନ୍ନ ଲୋକ ମାନଙ୍କ ପାଇଁ ବିଭିନ୍ନ ଯୋଜନା, ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି। କିନ୍ତୁ ରାଜ୍ୟ ରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି କୌଣସି ସହାୟତା ଘୋଷଣା କରିନାହାନ୍ତି। ସମଗ୍ର ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶି ବୃଦ୍ଧି କରିବା ସହ ସାମ୍ବାଦିକ ମାନଙ୍କ ପିତା ମାତାଙ୍କୁ ଏଥିରେ ସାମିଲ କରିବା , କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ମାସିକ ପ୍ରୋତ୍ସାହନ ରାଶି ଘୋଷଣା କରିବା ,ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା , ରାଜ୍ୟ ରେ ମିଡ଼ିଆ ଏକାଡେମୀ ଗଠନ କରିବା, ଅବସର ଗ୍ରହଣ କରିଥିବା ସାମ୍ୱାଦିକ ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିବା ଦାବି ନେଇ ସାରା ରାଜ୍ୟ ରେ ସାମ୍ୱାଦିକ ମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିଥିଲେ। ଶୁକ୍ରବାର ଦିନ ଗୋପ ସାମ୍ବାଦିକ ସଂଘ ପକ୍ଷରୁ ଗୋପ ଠାରୁ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ରେ ବାହାରିଛନ୍ତି ଗୋପ ଅଞ୍ଚଳ ର ୧୫ ରୁ ଉର୍ଦ୍ଧ୍ବ ସାମ୍ୱାଦିକ। ସାମ୍ବାଦିକ ମାନେ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ସାମ୍ବାଦିକ ମାନେ ପ୍ରାୟ ୪୦ କିଲୋମିଟର ରାସ୍ତା ପଦଯାତ୍ରା କରି ପିପିଲି ଠାରେ ବିଶ୍ରାମ ନେଇଛନ୍ତି। ସେମାନେ ଆସନ୍ତାକାଲି ସକାଳୁ ନବୀନ ନିବାସ ଅଭିମୁଖେ ଯାତ୍ରା କରିବେ ବୋଲି ସଂଘ ପକ୍ଷରୁ ସୂଚିତ କରାଯାଇଛି । ଏହି ପଦଯାତ୍ରା ର ନେତୃତ୍ୱ ନେଇଛନ୍ତି ଗୋପ ସାମ୍ୱାଦିକ ସଂଘ ସଭାପତି ଭାରତୀ ଭୂଷଣ ଉପାଧ୍ୟାୟ। ତାଙ୍କ ସହିତ ମିଲନ ମହାନ୍ତି ,ସୁବାସ ସେନାପତି ,ସନ୍ତୋଷ ରାୟ, ପ୍ରଶାନ୍ତ, ରଶ୍ମି, ମଦନ, ସଞ୍ଜୟ, ଉଲ୍ଲାସ, ସଚ୍ଚିଦାନନ୍ଦ, ଶତ୍ରୁଘନ, ପ୍ରଦ୍ୟୁମ୍ନ, ରମାକାନ୍ତ, ଦୀପ୍ତି ପ୍ରମୁଖ ସାମ୍ୱାଦିକ ମାନେ ପଦଯାତ୍ରା ରେ ସାମିଲ ହୋଇଛନ୍ତି । ପଦଯାତ୍ରା ରେ ବାହାରିଥିବା ସାମ୍ୱାଦିକ ମାନଙ୍କୁ କୋଣାର୍କ ,ଗୋପ ,ନିମାପଡା, ପିପିଲି ଆଦି ସ୍ଥାନରେ ଥିବା ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ କରିବା ସହିତ ଉତ୍ସାହିତ କରି ସାଧୁବାଦ ଜ୍ଞାପନ କରାଯାଇଛି। ଏହି ଘଟଣା ସମଗ୍ର ରାଜ୍ୟ ରେ ଚର୍ଚ୍ଚା ର ବିଷୟ ପାଲଟିଛି।


