ପୂଜ୍ୟପୂଜାର ମହାନ କାଣ୍ଡାରି ଥିଲେ ୰ହଟ୍ଟନାଥ ମଙ୍ଗରାଜ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାନ ଶତାୟୁ ସ୍ୱାଧୀନତା ସଂଗ୍ରାମୀ, କଳିଙ୍ଗ ପାଇକ ସଂଗଠନର ପ୍ରତିଷ୍ଠାତା ମହାନ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ତଥା ବୀର ମାଟି ଖୋର୍ଦ୍ଧାର ସୁଯୋଗ୍ୟ ସନ୍ତାନ ବିପ୍ଳବୀ ହଟ୍ଟନାଥ ମଙ୍ଗରାଜଙ୍କ ୧୦୪ ବର୍ଷ ବୟସରେ ଖୋର୍ଦ୍ଧା ସିକୋ ସ୍ଥିତ ବାସଭବନରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପିଡ଼ିତ ଥିଲେ । ଉକ୍ତ ଦୁଃଖଦ ଖବର ପାଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଶୋକବ୍ୟକ୍ତ କରି କହିଥିଲେ ଯେ, ୰ ମଙ୍ଗରାଜ ଥିଲେ ଜଣେ ମହାନ ବିପ୍ଳବୀ, ପୂଜ୍ୟପୂଜା ସଂସ୍କୃତିର ମହାନ ବ୍ୟକ୍ତିତ୍ୱ, ପ୍ରଚଣ୍ଡ ସ୍ୱାଭିମାନୀ ଏପରିକି ସ୍ୱାଧୀନତା ସଂଗ୍ରାମୀ ଭତା ନେବାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ତଥା ଭାରତ ବର୍ଷର ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ ଚିରଦିନ ଲାଗି ଲିଭିଗଲେ ବୋଲି ଅଭିଯାନ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା । ୧୮୧୭ ମସିହା ପାଇକ ସଂଗ୍ରାମ ହିଁ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ବୋଲି ସେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରାକ୍ତନ ରାଷ୍ଟ୍ରପତି ୰ ପ୍ରଣବ ମୁଖାର୍ଜୀଙ୍କୁ କହିବା ସହିତ ଏ ସଂପର୍କରେ ସମସ୍ତ ନଥିପତ୍ର ପ୍ରଦାନ କରିଥିଲେ । ଜଣେ ସରଳ, ମେଳାପୀ, ମିଷ୍ଠଭାଷୀ ତଥା ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଥିଲେ ବୋଲି ଶ୍ରୀଯୁକ୍ତ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ । ୰ ମଙ୍ଗରାଜଙ୍କ ଶେଷ ଦର୍ଶନ ଲାଗି ଡ. ପ୍ରଦୀପ ବିଶ୍ୱାଳ, ପୂଜ୍ୟପୂଜା ପ୍ରାଣ ଅମରେନ୍ଦ୍ର ମହାପାତ୍ର, ସତ୍ୟବାଦୀ ବଳିଆରସିଂହ, ଯନ୍ତ୍ରୀ ଶିଶିର ନାୟକ, ସଂଯୋଜକ ନାରାୟଣ ଓଝା, ସୁରଥ ବିଶ୍ୱାଳ, ଭୀମସେନ ପ୍ରଧାନ, ମୋହନ ଦଳସିଂହରାୟ, ଲଗ୍ନଦୀପା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


