କେନ୍ଦ୍ର ସରକାରଙ୍କ ଅବିଚାର ବିରୋଧରେ ଇପିଏଫ୍ ପେନ୍ସନର୍ସ ଆସୋସିଏସନ୍ର ରାଜ୍ୟ କମିଟି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ର ରାଜ୍ୟ କାର୍ଯ୍ୟକାରୀ କମିଟିର ପରିବର୍ଦ୍ଧିତ ବୈଠକ ଶୁକ୍ରବାର ଦିନ ପୂର୍ବାହ୍ନରେ ପ୍ରଥମଥର ପାଇଁ ବାଲେଶ୍ୱର ସହରର ମା’ ଇଣ୍ଟରନେସ୍ନାଲ୍ ହୋଟେଲ୍ର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଇଂ. ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ ତଥା ଜାତୀୟ କମିଟିର ଉପସଭାପତି ଭାଗ୍ୟଧର ବ୍ରହ୍ମା ଆଲୋଚନାର ବିଷୟ ଆଗତ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇପିଏଫ୍ ସଂସ୍ଥାରୁ ମାସିକ ସର୍ବନିମ୍ନ ଏକହଜାର ଟଙ୍କା ଓ ତହିଁରୁ କମ୍ ଟଙ୍କା ପେନସନ୍ଭୋଗୀଙ୍କ ଆର୍ଥିକ ଦୁରାବସ୍ଥା ସଂପର୍କରେ ଜଣାଇଥିଲେ । ଚାକିରିକାଳରେ ଅଧିକ ବେତନ ପାଇଥିôବା କର୍ମଚାରୀମାନଙ୍କୁ ଅଧିକ ପେନ୍ସନ୍ ପ୍ରଦାନ ପାଇଁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଦେଇଥିôବା ଆଦେଶକୁ ଏବଂ ସର୍ବନିମ୍ନ ପେନସନ୍ ବୃଦ୍ଧି ସହ ମହଙ୍ଗାଭତ୍ତା ପ୍ରଦାନ ପାଇଁ ସଂସଦର ସବ୍କମିଟିର ରିପୋର୍ଟକୁ କେନ୍ଦ୍ର ସରକାର ଗ୍ରହଣ କରୁନଥିବାରୁ ଦେଶବ୍ୟାପୀ ଏହି ବର୍ଗର ପେନସନ୍ଭୋଗୀମାନେ ଆର୍ଥିକ ଦୁର୍ଗତୀରେ କାଳାତିପାତ କରୁଥିବାର ପ୍ରକାଶ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବରିଷ୍ଠ ନାଗରିକମାନଙ୍କ ପ୍ରତି ଅବିଚାରକୁ ବୈଠକରେ ଦୃଢ଼ ନିନ୍ଦା କରାଯାଇଥିଲା । ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ର ସରକାରରେ ଥିବା ରାଜନୈତିକ ଦଳ ଓ ସେମାନଙ୍କ ସହଯୋଗୀ ଦଳମାନଙ୍କୁ ଭୋଟ ନଦେବା ପାଇଁ ଜାତୀୟ କମିଟିର ଆହ୍ୱାନକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ଶ୍ରୀ ବ୍ରହ୍ମା ଉପସ୍ଥିତ ମାନଙ୍କୁ ଅବଗତ କରାଇଥିଲେ । ମାସିକ ସର୍ବନିମ୍ନ ପେନସନ୍ ୧ହଜାର ଟଙ୍କାକୁ ବୃଦ୍ଧିକରି ୯ ହଜାର ଟଙ୍କା ପ୍ରଦାନ ସହ ମହଙ୍ଗା ଭତ୍ତା ପ୍ରଦାନ ପାଇଁ ଓଡ଼ିଶା ହାଇକୋର୍ଟରେ ଆଗତ ମୋକଦ୍ଦମାକୁ ମାନ୍ୟବର ଅଦାଲତ ଗ୍ରହଣ କରି ଇପିଏପ୍ ସଂସ୍ଥା ଓ କେନ୍ଦ୍ର ସରକାରଙ୍କର ସଂପୃକ୍ତ ବିଭାଗକୁ ପକ୍ଷଭୁକ୍ତ କରିଛନ୍ତି ବୋଲି ଶ୍ରୀ ବ୍ରହ୍ମା ଜଣାଇଥିଲେ । କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ ଆୟବ୍ୟୟର ବିବରଣୀ ପାଠ କରିବା ପରେ ତାହା ଗୃହୀତ ହୋଇଥିଲେ ।
ଆଗାମୀ କାର୍ଯ୍ୟପନ୍ଥା ଏବଂ ରାଜ୍ୟର ସାଂଗଠନିକ ସମସ୍ୟା ଓ ସମାଧାନ ସହ ସଭ୍ୟସଂଖ୍ୟା ବୃଦ୍ଧି ସଂପର୍କିତ ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ କମିଟି ଓ ବିଭିନ୍ନ ଜିଲ୍ଲା କମିଟି ପକ୍ଷରୁ ଇଂ. ଅନାଦିଚରଣ ବେହେରା, ପ୍ରଫୁଲ୍ଲ କୁମାର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ବିଷ୍ଣୁପ୍ରସାଦ ମହାନ୍ତି, ନଟବର ଆଚାର୍ଯ୍ୟ, ମୁକ୍ତିକାନ୍ତ ମହାପାତ୍ର, ପ୍ରକାଶ କୁମାର ପଟ୍ଟନାୟକ, ମାୟାଧର ନାୟକ, କୁଞ୍ଜ ବିହାରୀ ନାୟକ, ଭାବଗ୍ରାହୀ ରାଉତ, କୃଷ୍ଣଚନ୍ଦ୍ର ମହାନ୍ତି, ବିନୋଦ ବେହେରା, ଉର୍ବଶୀ ମିଶ୍ର, ଗୀତାଞ୍ଜଳି ପାତ୍ର, ମଦନମୋହନ ଜେନା ଓ ନିରଞ୍ଜନ ସାହୁ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଆସନ୍ତା ସାଧାରଣ ନିର୍ବାଚନ ପରେ ଦାବିପୂରଣ ନିମିତ୍ତ ଲଗାତର ଆନ୍ଦୋଳନ ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । ଆସନ୍ତା ରାଜ୍ୟ ସମ୍ମିଳନୀର ତାରିଖ ଓ ସ୍ଥାନ ଅଗାମୀ ବୈଠକରେ ସ୍ଥିର କରାଯିବ । ସମସ୍ତ ଜିଲ୍ଲା କମିଟିର ବୈଠକ ପ୍ରତି ଦୁଇମାସରେ ଅନୁଷ୍ଠିତ ହେବ ଓ ଏହାର ବିବରଣୀ ଜିଲ୍ଲାମାନେ ରାଜ୍ୟ କମିଟିକୁ ପଠାଇବାକୁ ଅନୁରୋଧ କରାଯାଇଛି । ବୈଠକ ଆରମ୍ଭରେ ବିଭିନ୍ନ ଜରାରୋଗରେ ଅସୁସ୍ଥ ଥିବା କେତେକ କର୍ମକର୍ତ୍ତାଙ୍କ ଆରୋଗ୍ୟ କାମନା କରି ଓ ଦିବଂଗତ କର୍ମକର୍ତ୍ତାଙ୍କ ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ ନିଗମ ମହାସଂଘର ମହାସଚିବ ସରୋଜକାନ୍ତ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


