ଯେ.ଏନ୍.ୟୁ. ପ୍ରଫେସର୍ ଉଦୟନାଥ ସାହୁ ‘ହୃଦୟଲୋକ ସମ୍ମାନ-୨0୨୪’ରେ ସମ୍ମାନିତ

ବ୍ରହ୍ମପୁର,(ଅନିଲ କୁମାର): ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଆଦିକବି ସାରଳା ଦାସ ଚେୟାର୍ ପ୍ରଫେସର୍ ଡ. ଉଦୟନାଥ ସାହୁଙ୍କୁ ଚଳିତ ବର୍ଷ ପାଇଁ ପ୍ରଫେସର୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସ୍ମୃତିରେ ‘ହୃଦୟଲୋକ ସମ୍ମାନ-୨0୨୪’ ପ୍ରଦାନ କରାଯାଇଛି l ଆଜି ସନ୍ଧ୍ୟାରେ ଐତିହାସିକ ଉତ୍କଳ ଆଶ୍ରମ ସଭାଗୃହରେ ଆୟୋଜିତ ପ୍ରଫେସର୍ ଦେବୀପ୍ରସନ୍ନ ପଟ୍ଟନାୟକ ସ୍ମାରକୀ ବକ୍ତୃତା ଓ ଜୟନ୍ତୀ ସମାରୋହରେ ମୁଖ୍ୟ ଆଲୋଚକ ରୂପେ ଯୋଗଦେଇ ଜେ.ଏନ୍.ୟୁ. ପ୍ରଫେସର୍ ଡ. ସାହୁ ‘ପୂର୍ବ ଭାରତୀୟ ମହାଭାରତ ପରମ୍ପରା’ ପ୍ରସଙ୍ଗରେ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ l ସାରଳା ଦାସ ଏକକ ଭାବରେ ସଂପୂର୍ଣ୍ଣ ମହାଭାରତ ରଚନା କରିଥିଲେ l ଓଡ଼ିଆ ମହାଭାରତର ମୂଳ ମହାଭାରତର ତିନିଟି ପର୍ବ ବାଦ୍ ଦେବା ସହ ତିନିଟି ନୂଆ ପର୍ବ ସୃଷ୍ଟି କରି ସ୍ୱକୀୟ ମୌଳିକତା ପ୍ରଦର୍ଶନ କରିଥିଲେ ବୋଲି ପ୍ରଫେସର୍ ସାହୁ ଉଲ୍ଲେଖ କରିବା ସଂଗେ ସଂଗେ ଓଡ଼ିଆ, ବଙ୍ଗଳା ଓ ଅହମିଆ ମହାଭାରତର ତୁଳନାତ୍ମକ ବ୍ୟାଖ୍ୟା କରିଥିଲେ l
ପ୍ରଫେସର୍ ଦେବୀପ୍ରସନ୍ନ ପଟ୍ଟନାୟକ ଫାଉଣ୍ଡେସନ୍ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପ୍ରାକ୍ତନ ମୁଖ୍ୟ ଡ. ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଚଉଷଠିତମ ଜୟନ୍ତୀ ଅବସରରେ ଆୟୋଜିତ ଏହି ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ପୌରୋହିତ୍ୟ କରିଥିଲେ l ଏହି ଜୟନ୍ତୀ ସମାରୋହରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ, ସୁଖ୍ୟାତ ନାଟ୍ୟକାର ମେଜର୍ ରମାରମଣ ପାଢ଼ୀ ଓ ପ୍ରାକ୍ତନ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରଫେସର୍ ଲକ୍ଷ୍ମୀକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପ୍ରଫେସର୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସାରସ୍ୱତ ଓ ସାଂସ୍କୃତିକ ପ୍ରତିଭା ସଂପର୍କରେ ଆଲୋକପାତ କରିବା ସଂଗେ ସଂଗେ ସ୍ମୃତିଅର୍ଘ୍ୟ ଅର୍ପଣ କରିଥିଲେ l
ଫାଉଣ୍ଡେସନର ସଂପାଦକ ଡ. ଶରତ କୁମାର ଜେନା ପ୍ରାଗ୍-ଭାଷରେ ଦେବୀପ୍ରସନ୍ନଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଏବଂ ସ୍ମାରକୀ ବକ୍ତୃତା ଆୟୋଜନର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ l
ଡ. କୁଳମଣି ଓଝାଙ୍କ ସଂଯୋଜନାରେ ସଂଚାଳିତ ଏହି ଜୟନ୍ତୀ ସମାରୋହରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଆଞ୍ଚଳିକ ଉପ-ନିର୍ଦ୍ଦେଶକ ସୁଶାନ୍ତ ଦାସ, ସୁଚେତା ପାଣିଗ୍ରାହୀ, ରବି ନାରାୟଣ ବେହେରା, ଡ. ଅଜୟ କୁମାର ତ୍ରିପାଠୀ, ଡ. ରମେଶ ପ୍ରଧାନ, ଡ. ରାଧାଗୋବିନ୍ଦ ପାଢ଼ୀ, ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଡ. ରାଜେନ୍ଦ୍ର କୁମାର ତ୍ରିପାଠୀ, ସୁବୋଧ ପଟ୍ଟନାୟକ, ଅଭୟେନ୍ଦୁ ପଟ୍ଟନାୟକ, କପିଳ ଚନ୍ଦ୍ର ମହାନ୍ତି, ପ୍ରମୋଦ କୁମାର ପଣ୍ଡା, ଡ. ପିନାକୀ ମହାନ୍ତି, ଡ. ବିଶ୍ୱନାଥ ପାଣିଗ୍ରାହୀ, ଡ. କାହ୍ନୁଚରଣ ସାହୁ, ଡ. ସଞ୍ଜୟ କୁମାର ପଣ୍ଡା, ଡ. ଅଶୋକ କୁମାର ପଣ୍ଡା, ଡ. ଲକ୍ଷ୍ମୀ ନାରାୟଣ ଦାଶ ପ୍ରମୁଖ ଡ. ସ୍ବର୍ଗତ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ବହୁ ସତୀର୍ଥ ଅଧ୍ୟାପକ, ଛାତ୍ର ଓ ଗବେଷକମାନେ ଯୋଗଦେଇ ସ୍ମୃତିଚାରଣ କରିଥିଲେ l ପ୍ରଫେସର୍ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସୁକନ୍ୟା ଆକାଂକ୍ଷା ପଟ୍ଟନାୟକ ଓ ଐଶ୍ୱର୍ଯ୍ୟା ପଟ୍ଟନାୟକ ଆରାଧ୍ୟ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନ କରିଥିଲେ l ପ୍ରାରମ୍ଭରେ ଏକ ଭାକ୍ତିକ ବାତାବରଣ ଓ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ମୁଖ୍ୟ ଆଲୋଚକ ପ୍ରଫେସର୍ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସ୍ମାରକୀ ବକ୍ତୃତାର ଶୁଭାରମ୍ଭ କରିଥିଲେ l ଜୟନ୍ତୀ ସମାରୋହ ଅବକାଶରେ ଜେ.ଏନ୍.ୟୁ. ଆଦିକବି ସାରଳା ଦାସ ଚେୟାର୍ ପ୍ରଫେସର୍ ଉଦୟନାଥ ସାହୁଙ୍କୁ ଫାଉଣ୍ଡେସନର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଉପଢୌକନ, ପ୍ରଶସ୍ତିପତ୍ର ଓ ପୁଷ୍ପସ୍ତବକ ପ୍ରଦାନ ପୂର୍ବକ ‘ହୃଦୟଲୋକ ସମ୍ମାନ-୨0୨୪’ରେ ସମ୍ମାନିତ କରିଥିଲେ l ଡ. ମନୋରଞ୍ଜନ ବିଷୋୟୀ ପ୍ରଶସ୍ତିପତ୍ର ପାଠ କରିଥିଲେ l
ଡ. ହୃଷୀକେଶ ପଣ୍ଡା ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ, ଡ. କୃଷ୍ଣପ୍ରସାଦ ମହାପାତ୍ର ପ୍ରାକ୍-ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ଡ. ବନମାଳୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l ସମାରୋହ ପରିଚାଳନାରେ ଅନୁପ କୁମାର ମିଶ୍ର, ଡ. ସଞ୍ଜୟ କୁମାର ପଣ୍ଡା, ଡ. ଅଶୋକ କୁମାର ପଣ୍ଡା, ଦେବାଶିଷ ମହାପାତ୍ର, ଦୀନବନ୍ଧୁ ଶ୍ରୀପଲ୍ଲବ, ନଳିନୀକାନ୍ତ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ