ଚିକେନ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ
ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ହିଞ୍ଜିଳି ଥାନା ନନ୍ଦିକ ଗ୍ରାମରେ ଜଣେ ଚିକେନ ବ୍ୟବସାୟୀଙ୍କ ଉପରେ କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରି ମୋବାଇଲ ଓ ୧୦ ହଜାର ରୁ ଉର୍ଦ୍ଧ୍ୱ ଟଙ୍କା ଜୋର ଜବରଦସ୍ତି ନେଇଯାଇଥିବା ବେଳେ ବାଇକକୁ ଲୁହା ରଡରେ ପିଟି ଭାଙ୍ଗି ଦେଇଛନ୍ତି। ଏଥି ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ନନ୍ଦିକ ଦାସ ସାହିର ଚିକେନ ବ୍ୟବସାୟୀ ଜଗା ଦାସ।
ଅଭିଯୋଗ ରୁ ପ୍ରକାଶ ଯେ, ରବିବାର ରାତିରେ ନନ୍ଦିକ ଛକରେ ଚିକେନ ଦୋକାନ କରିଥିବା ଜଗା ଚିକେନ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ, ପୁଟିଆପଦର ଗାଁ ର ପ୍ରାୟ ୮ ଜଣ ଯୁବକ ରାତି ପ୍ରାୟ ସାଢେ଼ ୧୦ରେ ଆସି ଚିକେନ ମାଗିଥିଲେ। ଜଗା ରାତିରେ ଚିକେନ ଦେବାକୁ ମନା କରିବାରୁ ଉତ୍ତ୍ୟକ୍ତ ହୋଇ ସେମାନେ ଜଗା ଙ୍କୁ ଗାଳି ଗୁଲଜ କରିବା ସହ ମୁଥ ଓ ଚାପୁଡ଼ା ମାରିଥିଲେ। ଜଗା ଙ୍କ ଦୋକାନ ଭିତରେ ପଶି ୧୦ ରୁ ୧୨ ହଜାର ଟଙ୍କା ଓ ମୋବାଇଲ କୁ ଜୋର୍ ଜବରଦସ୍ତି ନେଇଗଲେ। ଜଗା ଙ୍କ ବାଇକକୁ ଲୁହା ରଡ଼ ରେ ପିଟି ଭାଙ୍ଗି ଚୁରମାର କରିଛନ୍ତି । ଏଥି ନେଇ ଜଗା ଦାସ ଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ ପରେ ନଂ ୩୯୫/୨୪ରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ଅଞ୍ଚଳରେ ବଢୁଥିବା ହିଂସାକାଣ୍ଡ ନେଇ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହୋଇଛି।


