ବିଦ୍ୟାଧରପୁର ସାଳନ୍ଦୀ ବ୍ୟାରେଜର ପୁନଃରୁଦ୍ଧାର ନାହିଁ ବୈତରଣୀ ଜଳ ରହିବ କେଉଁଠି
ହାଟଡ଼ିହି, (ବିକାଶ ବିଶ୍ୱାଳ):କୋଟି କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନା କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ବୈତରଣୀ ନଦୀର ବ୍ୟାରେଜ କାମ ସରିଯିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଉଦଘାଟିତ ହୋଇଯାଇଛି । ଏପରିକି ଗତ କିଛିଦିନ ପୁର୍ବେ ବୈତରଣୀ ବ୍ୟାରେଜରୁ ପରୀକ୍ଷା ମୁଳକ ଭାବେ ପ୍ରଥମ ପାଣି ଛଡାଯାଇ ଥିଲା । ଏହି ନଦୀ ସଂଯୋଗୀ କରଣ ଯୋଜନା ଦ୍ୱାରା ବୈତରଣୀ ନଦୀର ଉଦବୁଦ ଜଳକୁ କେନାଲ ଦ୍ୱାରା ଅଣାଯାଇ ଶାଳନ୍ଦୀ ନଦୀର ବିଦ୍ୟାଧରପୁର ବ୍ୟାରେଜରେ ପକା ଯିବାର ବ୍ୟବସ୍ଥା କରାଯାଇଛି । ଏଠାରେ କେନାଲ ଦ୍ୱାରା ବିଭିନ୍ନ ଅଞ୍ଚଳକୁ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ବିଦ୍ୟାଧରପୁର ବ୍ୟାରେଜର ପୁନଃରୁଦ୍ଧାର ହେଉ ନଥିବାରୁ ଏହା ପ୍ରାୟତ ପୋତି ହୋଇଗଲାଣି । ଫଳରେ ଏହି ଜଳ ରହିବ କେଉଁଠି ଓ କିପରି ପରିଚାଳଳିତ କରାଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦୁଝର ଜିଲ୍ଲା ବିଦ୍ୟାଧରପୁର ଠାରେ ୧୯୭୪ମସିହାରେ ସାଳନ୍ଦୀ ବ୍ୟାରେଜ ନିର୍ମାଣ କରାଯାଇଥିଲା । ଏହି ବ୍ୟାରେଜର ଲମ୍ବ୨୦୪.୨୨ମିଟର ହୋଇଥିବାବେଳେ ଏଥିରେ ୧୦ଟି ଗେଟ ଲଗାଯାଇଛି । ହଦଗଡ ଡ୍ୟାମରୁ ଆସୁଥିବା ଜଳକୁ ଏହି ବ୍ୟାରେଜ ଦେଇ ନଦୀ ଓ ଦୁଇଟି କେନାଲ ମାଧ୍ୟମରେ ୩୨୫୬କୁ୍ୟବିକ ମିଟର ପାଣି ନିଷ୍କାସନ ହେବାର ବ୍ୟବସ୍ଥା କରାଯାଇଥିଲା । ଗେଟ ନିକଟରେ ବଟମ ଲେବୁଲ ୩୨.୦୦ମିଟର ଥିବାବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ୪୦.୨୩ମିଟର ରହିଛି । ଏହି ବ୍ୟାରେଜରେ ଜଳ ସଂରକ୍ଷଣ କରାଯାଇ ଏହାକୁ କେନାଲ ମାଧ୍ୟମରେ ଜଳସେଚନ କରାଯାଉଥିଲା । ଲେପ୍ଟ କେନାଲ ମାଧ୍ୟମରେ ହାଟଡିହି ବ୍ଲକର ସୋସୋ, ଢ଼େଙ୍କା, ସଢ଼ା, ପନ୍ଦାଡୋ, ଜମ୍ଭୀରା, ହାଟଡିହି, ମରୈଗାଁ, ବଡରମ୍ପାସ, ଇଞ୍ଚୋଳ, ସୁଲଣ, ଆମ୍ବୋ, ସମଣା, ହାବଳେଶ୍ୱର, ଗେଡମା, ଓରାଳି, ଶାଳଣିଆଁ ଆଦି ପଞ୍ଚାୟତର ହଜାର ହଜାର ହେକ୍ଟର ଜମି ସହିତ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଶତାଧିକ ଗ୍ରାମର ଚାଷଜମି ଜଳସେଚିତ ହୋଇଥାଏ । ସେହିପରି ରାଇଟ କେନାଲ ଦ୍ୱାରା ହାଟଡିହି ବ୍ଲକର ପଢ଼ିଆରିପଲ୍ଲୀ, ବାଙ୍ଗୋର ପଞ୍ଚାୟତର ଅଳ୍ପକିଛି ଗ୍ରାମ ସହିତ ଭଦ୍ରକ ଓ ବାଳେଶ୍ୱର ଜିଲ୍ଲାର ହଜାର ହଜାର ହେକ୍ଟର ଜମି ଜଳସେଚିତ ହୋଇଥାଏ । କିନ୍ତୁ ଏବେ ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନାରେ ଆନନ୍ଦପୁର ବ୍ୟାରେଜ ନିକଟରୁ କେନାଲ ମାଧ୍ୟମରେ ଏହି ବିଦ୍ୟାଧରପୁର ବ୍ୟାରେଜକୁ ସଂଯୋଗ କରାଯାଇ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରାକି ବୈତରଣୀନଦୀରୁ ଯେଉଁ ଜଳ ଆସିବ ତାହା କେଉଁଠି ସଂରକ୍ଷିତ କରାଯିବ ଓ କିପରି ତାହାକୁ କେନାଲ ମାଧ୍ୟମରେ ଜଳଯୋଗାଣ କରାଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି । ବ୍ୟାରେଜଟି ୧୯୭୪ ମସିହାରୁ ନିର୍ମାଣ କରାଯାଇଥିବାବେଳେ ଏବେ ଏହା ୫ରୁ ୬ମିଟର ପୋତି ହୋଇ ଗଲାଣି । ସାଳନ୍ଦୀ ନଦୀର ଜଳଧାରଣ କ୍ଷମତା ମଧ୍ୟ ରଖିନାହିଁ । ଫଳରେ ବୈତରଣୀନଦୀ ଓ ସାଳନ୍ଦୀ ନଦୀର ଜଳ ଏକାଠି ହେଲେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇ ଏହି ବ୍ୟାରେଜ ସନ୍ନିକଟ ଗ୍ରାମ ଗୁଡିକ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି । ସେହିପରି ବ୍ୟାରେଜର ପୁରୁଣା ଗେଟ ଗୁଡିକ ଦେଇ କେବଳ ସାଳନ୍ଦୀ ନଦୀର ଜଳ ପ୍ରବାହିତ ହେବାକୁ ଥିବାବେଳେ ବୈତରଣୀ ନଦୀର ଜଳ ମିଶିବା ପରେ କିପରି ଜଳ ନିସ୍କାସନ ହେବ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନା କାମ ସରିବା ପୁର୍ବରୁ ବିଦ୍ୟାଧରପୁର ବ୍ୟାରେଜର ପୁନଃରୁଦ୍ଧାର କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ନିହାତି ଆବଶ୍ୟକ ବୋଲି ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ, ଗୋପାଳ ପଟ୍ଟନାୟକ, ଶତୃଘ୍ନ ପାତ୍ର, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ ପ୍ରମୁଖ ଦାବି କରିଛନ୍ତି ।


