ରାଜନୀତିରେ ପରମ୍ପରା ହେବାକୁ ଯାଉଛି ଦଳଡିଆଁ
ବାଲେଶ୍ୱର, (ସରୋଜ ପଣ୍ଡା):ଚଳିତ ନିର୍ବାଚନରେ ମତଦାନକୁ ଆଉ ମାତ୍ର ସପ୍ତାହେ ବାକି ଥିବାବେଳେ ଏବେ ବି ଚାଲିଛି ଦଳ ପରିବର୍ତ୍ତନର ଧାରା। ପ୍ରଚାର କାର୍ଯ୍ୟ ସାଙ୍ଗକୁ ପ୍ରାର୍ଥୀମାନେ ବଳ ଗୋଟାଇବାକୁ ଅନ୍ୟାନ୍ୟ ଦଳରୁ କର୍ମୀଙ୍କୁ ଆଣି ମିଶ୍ରଣରେ ଲାଗିପଡ଼ିଛନ୍ତି। ଜିଲାର ପ୍ରାୟ ପ୍ରମୁଖ ତିନି ଦଳର ପ୍ରାର୍ଥୀ ଏବେ ଏହି ମିଶ୍ରଣ ପ୍ରକ୍ରିୟା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଇପ୍ସିତ ଦଳର ଟିକଟରୁ ବଞ୍ଚିତ ଆଶାୟୀମାନେ ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି। କିଛି ଆଶାୟୀ ଦଳୀୟ ଅନୁଶାସନ ପାଳନ ପୂର୍ବକ ନିରବ ମୁଦ୍ରାରେ ରହି ଆଗାମୀ ଗୋଟି ଚାଳନା ପାଇଁ ବ୍ଲୁ’ ପ୍ରିଣ୍ଟ ପ୍ରସ୍ତୁତିରେ ଲାଗି ପଡ଼ିଥିବାବେଳେ ଅନ୍ୟ କେତେକ ଆଶାୟୀ ଯୁଦ୍ଧଂଦେହି ଡାକରା ଦେଇ ନିଜର ସହଯୋଗୀ, ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ଅନ୍ୟଦଳକୁ ଡେଇଁ ଚାଲିଛନ୍ତି। ବିଧାନସଭା ଆସନରୁ ବଞ୍ଚିତ ହୋଇ ଶେଷ ପର୍ଯ୍ୟାୟରେ ନୀଳଗିରିର ବିଜେଡି ସଂଗଠକ ବିଜେପିକୁ ଲମ୍ଫ ମାରିବା ତା’ର ନିଚ୍ଛକ ଉଦାହରଣ ହୋଇଛି।କେବଳ ନୀଳଗିରି ନୁହେଁ, ବରଂ ବାଲେଶ୍ବର ଲୋକସଭା ଆସନ ସମେତ ଜିଲାର ବିଭିନ୍ନ ବିଧାନସଭା ଆସନେର ତିନି ଦଳରେ ଏହି ଦଳଡିଆଁ ସ୍ଥିତି ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ବାଦ ପଡ଼ି ନାହାନ୍ତି ବିଜେଡିର ଲୋକସଭା ପ୍ରାର୍ଥୀ ଡ. ଲେଖାଶ୍ରୀ ସାମନ୍ତ ସିଂହାର। ବିଜେପିର ଜଣେ ଟାଣୁଆ ନେତ୍ରୀ ଭାବେ ପରିଚିତ ଡ. ଲେଖାଶ୍ରୀ ଦଳୀୟ ଟିକଟରୁ ବଞ୍ଚିତ ହୋଇ ବିଜେଡିରେ ଯୋଗଦାନ କରିଥିଲେ। ବିଜେଡିରେ ସାମିଲ ହେବାର ୪ ଦିନ ମଧ୍ୟରେ ଦଳ ତାଙ୍କୁ ବାଲେଶ୍ବର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ସେହିଭଳି ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ ଦଳ ପରିତ୍ୟାଗ ସହ ବିଜେଡିରେ ମିଶିଥିଲେ। ଦୀର୍ଘ ସମୟ ଝୁଲାଇ ରଖିବା ପରେ ଦଳୀୟ ଶୀର୍ଷ ନେତୃତ୍ବ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ସେହିଭଳି ବିଜେଡି ସଂଗଠକ ସନ୍ତୋଷ ଖଟୁଆକୁ ଶେଷରେ କୋଳେଇ ନେଇ ବିଜେପି ଟିକଟ ଦେଲା। ତେବେ ଅନ୍ୟାନ୍ୟ ଆସନରେ ଦଳଡିଆଁଙ୍କୁ ବିଜେଡି ଏଥର ଟିକଟ ଦେଇ ନଥିଲେ ବି ଅଧିକାଂଶ ସ୍ଥାନରେ ନୂଆମୁହଁଙ୍କୁ ପ୍ରାର୍ଥୀ କରିଥିବା ଦେଖିବାକୁ ମିଳିଛି। ତେବେ ଦଳଡିଆଁଙ୍କୁ ଟିକଟ ଦେବାରେ ଜିଲାର ବିଜେପି ଆଗରେ ଥିବା ଲକ୍ଷ୍ୟ କରାଯାଇଛି। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ସିମୁଳିଆ ଆସନରେ, ନୀଳଗିରିର ସନ୍ତୋଷ ଖଟୁଆ, ବସ୍ତାର ରବୀନ୍ଦ୍ର ଅଣ୍ଡିଆ, ଜଳେଶ୍ବରର ବ୍ରଜକିଶୋର ପ୍ରଧାନ ଓ କଂଗ୍ରେସ ପରିତ୍ୟାଗ କରିଥିବା ଆଶିଷ ପାତ୍ରଙ୍କୁ ଭୋଗରାଇ ଆସନରେ ଏଥର ଦଳ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ଅଧିକାଂଶ ସ୍ଥାନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଛାଡ଼ି ଦଳରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କୁ ରେମୁଣା ବିଧାନସଭା ଆସନରେ ପ୍ରାର୍ଥୀ କରିଛି।ସାଂଗଠନିକ ଦକ୍ଷତା ଥାଇ ମୂଳ ଦଳରେ କୋଣଠେସା ହୋଇ ରହିବା ଅପେକ୍ଷା ଦଳ ପରିବର୍ତ୍ତନକୁ ଏବର ନେତାମାନେ ଅଧିକ ଗୁରୁତ୍ବ ଦେଇଛନ୍ତି। ସାମ୍ପ୍ରତିକ ରାଜନୀତିର ଦଳଡିଆଁ ଏକ ବୈଧ ପରମ୍ପରା ହେବାକୁ ଯାଉଥିବାବେଳେ ସେମାନଙ୍କ ପ୍ରତି ଦଳୀୟ କର୍ମୀ ଓ ଭୋଟରଙ୍କ ସମର୍ଥନ କେତେ ରହିବ, ତାହାକୁ ନେଇ ବୁଦ୍ଧଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୃଣମୂଳ ସ୍ତରରେ କର୍ମୀଙ୍କୁ ଏକଜୁଟ କରି ସଂଗଠନକୁ ଆଗକୁ ନେଉଥିବା ନେତାଙ୍କୁ ଦଳୀୟ ଶୀର୍ଷ ନେତୃତ୍ବଙ୍କ ଉପେକ୍ଷା, ଚଳିତ ନର୍ବାଚନରେ ଦଳଡିଆଁ ପରମ୍ପରାକୁ ପ୍ରୋତ୍ସାହିତ କରିଛି ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି। ତେବେ ନେତାଙ୍କ ସମେତ ମୂଳ ଦଳରୁ ଆସିଥିବା ସହଯୋଗୀ ଓ କର୍ମୀଙ୍କ ସହ ନୂଆ ଦଳର କର୍ମୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷାରେ ହିଁ ସଫଳତା ଅବଶ୍ୟମ୍ଭାବୀ ବୋଲି ସେମାନେ ପ୍ରକାଶ କରିଛନ୍ତି। ଦଳୀୟ ସଂଗଠକ, ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ଦଳ ପରିବର୍ତ୍ତନକାରୀ ନେତା ଏହି ନିର୍ବାଚନରେ ସମର୍ଥନ ଜୁଟାଇବାରେ କେତେ ସଫଳ ହେବେ, ତାହାକୁ ଅପେକ୍ଷା କରିଛନ୍ତି ଜିଲାବାସୀ।