ସରକାରୀ ଅନୁଦାନ ହଡପ ଘଟଣା…
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ସୁଲଣ ଓ ସୋସୋ ପଞ୍ଚାୟତରେ ସରକାରୀ ଅନୁଦାନ ହଡପ ଘଟଣାରେ ପିଇଓ ବ୍ୟାସଦେବ ନାଏକଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିବାପରେ ଉଭୟ ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କ ନାମରେ ଥାନାରେ ଏଫଆଇଆର କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ୨୦ଦିନ ବିତି ଯାଇଥିଲେବି ଆଜି ପର୍ଯ୍ୟନ୍ତ ବ୍ଲକ ପକ୍ଷରୁ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନଥିବା ଜଣାଯାଇଛି । ଫଳରେ କାହା ଚାପରେ ଏବେ ସୁଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ବ୍ଲକ କର୍ତ୍ତୁପକ୍ଷ ଅଣଦେଖା କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି । ନା ବିଡିଓ ନା ଜିପିଓ କେହି ଏନେଇ ମୁହଁ ଖୋଲୁ ନଥିବାରୁ କାର୍ଯ୍ୟାନୁଷ୍ଠାନକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଏଠାରେ ସୁଚନାଯୋଗ୍ୟ ଯେ ପିଇଓ ବ୍ୟାସଦେବ ନାଏକ ସୋସୋ ଓ ସୁଲଣ ପଞ୍ଚାୟତର ପିଇଓ ଭାବେ କାର୍ଯ୍ୟ କରୁଥିବାବେଳେ ଉଭୟ ପଞ୍ଚାୟତର ସରପଞ୍ଚ ମାନଙ୍କ ସହ ମିଶି ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସରକାରୀ ଅନୁଦାନକୁ ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା । ସୁଲଣ ପଞ୍ଚାୟତରେ ୨୦୧୭/୧୮ ରେ ପଞ୍ଚାୟତକୁ ମିଳିଥିବା ୨୩ଲକ୍ଷ ୩୨ହଜାର ଟଙ୍କାକୁ ଖର୍ଚ୍ଚ କରାଯାଇଥିବା ଦର୍ଶାଇଥିଲେବି ତାହାର କୌଣସି ହିସାବପତ୍ର ନଥିବାବେଳେ ୨୦୧୮/୧୯ରେ ଆସିଥିବା ୨୬ଲକ୍ଷ ୨୬ହଜାର ଟଙ୍କାର ଅନୁଦାନକୁ ହେରଫେର କରାଯାଇଥିଲା । ସେହିପରି ଗତ ଫେବୃୟାରୀ ମାସରେ ସ୍ୱତନ୍ତ୍ର ଅନୁଦାନରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ପଞ୍ଚାୟତକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ପିଇଓ ସରପଞ୍ଚଙ୍କ ସହ ମିଶି କଳ୍ୟାଣ ମଣ୍ଡପ ନିର୍ମାଣ ନକରି ସେହି ଟଙ୍କାକୁ ଉଠାଇ ନେଇଥିଲେ । ଏପରିକି ପଞ୍ଚାୟତକୁ ପୁରସ୍କାର ପାଇଁ ଆସିଥିବା ୩ଲକ୍ଷ ଟଙ୍କାର ମଧ୍ୟ କୌଣସି ହିସାବ ନାହିଁ ବୋଲି ୱାର୍ଡସଭ୍ୟସଭ୍ୟା ମାନେ ଅଭିଯୋଗ କରିଥିଲେ । ସେହିପରି ସୋସୋ ପଞ୍ଚାୟତରେ ୨୬ଲକ୍ଷରୁ ଉର୍ଦ୍ଧ ଟଙ୍କାର ହିସାବପତ୍ର ମିଳୁନଥିବାବେଳେ ଅଧିକାଶଂ କାର୍ଯ୍ୟର ପେମେଣ୍ଟ ହୋଇନଥିଲେ ମଧ୍ୟ ପଞ୍ଚାୟତରେ ଟଙ୍କା ଜମା ନାହିଁ । ୨୦୧୯/୨୦ପାଇଁ ଆସିଥିବା ଅନୁଦାନ ଟଙ୍କାରୁ ମଧ୍ୟ ବେନିୟମ ଭାବେ ଟଙ୍କା ଉଠାଣ କରିନେଇଥିଲେ । ଏହାକୁନେଇ ସୋସୋ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ମାନେ ମିଶି ଦୀର୍ଘଦିନ ଧରି ଧାରଣାରେ ବସିବା ସହିତ ସୁଲଣ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ମାନେ ବାରମ୍ବାର ବିଡିଓ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଲକ୍ଷଲକ୍ଷ ଟଙ୍କାର ଆର୍ôଥକ ଅନିୟମିତତାକୁ ନେଇ ପିଇଓଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଥିବାବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଚିଠିନଂ ୧୭୫୧ ତା ୨୯/୧୧/୨୦୧୯ରେ ସୁଲଣ ପଞ୍ଚାୟତର ସରପଞ୍ଚ ଓ ୧୭୫୩ ତା ୨୯/୧୧/୨୦୧୯ରେ ସୁଲଣ ପଞ୍ଚାୟତର ସରପଞ୍ଚ ଙ୍କ ସହିତ ପିଇଓ ବ୍ୟାସଦେବ ନାଏକଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିବାପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଚିଠି ଆସିବାର ୨୨ଦିନ ବିତିଯାଇଥିଲେବି ଆଜି ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବ୍ଲକ ପ୍ରଶାସନ କାହିଁକି ଅବମାନନା କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସୁଲଣ ଓ ସୋସୋ ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା ମାନେ ଦାବି କରିଛନ୍ତି ।