ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା):ରବିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ଆଠଦଫା ଦାବିପତ୍ର ବାଲେଶ୍ୱର ଜିଲ୍ଲାପାଳ ଆଶୀଷ ଠାକ୍ରେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମଙ୍ଗଳବାର ଦିନ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଓ ସାଧାରଣ ସଂପାଦକ ଦାମୋଦର ନାୟକଙ୍କ ସ୍ୱାକ୍ଷର ସମ୍ବଳିତ ଦାବିପତ୍ରକୁ ଜିଲ୍ଲା କମିଟିର ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କେତେକ ଦାବି ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପାଇଁ ଅନ୍ୟ ଦାବିଗୁଡ଼ିକ ସଂପର୍କରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଅବଗତ କରାଯାଇଥିଲା ।୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଯେଉଁ ଯୋଗ୍ୟ ହିତାଧିକାରୀମାନେ ମାସିକ ଏକ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ସେମାନଙ୍କୁ ମାସିକ ୩ ହଜାର ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ଦାବିପତ୍ରରେ ଅନୁରୋଧ କରାଯାଇଛି । ୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କୁ ମାସିକ ୩ ହଜାର ୫ଶହ ଟଙ୍କା ପ୍ରଦାନ ସ୍ୱାଗତଯୋଗ୍ୟ ହେଲେବି, ବାର୍ଦ୍ଧକ୍ୟଭତ୍ତା ପାଉଥିବା ଶତକଡ଼ା ମାତ୍ର ଏକଭାଗ ବ୍ୟକ୍ତି ଏହି ସୁଯୋଗ ପାଇବେ । ପ୍ରାୟ ୯୯ ଭାଗ ଯୋଗ୍ୟ ହିତାଧିକାରୀ ବର୍ଦ୍ଧିତ ବାର୍ଦ୍ଧକ୍ୟଭତ୍ତାରୁ ବଞ୍ôଚତ ହେଉଛନ୍ତି ବୋଲି ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ନିର୍ବାଚନ ପ୍ରତିଶ୍ରୁତି ରକ୍ଷାକରି ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମାସିକ ବାର୍ଦ୍ଧକ୍ୟଭତ୍ତା ୩ହଜାର ପ୍ରଦାନ ପାଇଁ ମଞ୍ଚ ଦାବି କରିଛି । ରେଳଯାତ୍ରାରେ ବରିଷ୍ଠ ନାଗରିକମାନଙ୍କୁ ରିହାତିର ପୁନଃପ୍ରଚଳନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ବାଲେଶ୍ୱର ଜିଲ୍ଲାରେ ସମନ୍ୱିତ ବହୁମୁଖି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଆରମ୍ଭ କରିବା, ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ବରିଷ୍ଠ ନାଗରିକମାନଙ୍କ ପାଇଁ କମ୍ୟୁନିଟିସେଣ୍ଟର ନିର୍ମାଣ, ୬୦ବର୍ଷ ପରେ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ସରକାରୀ ସ୍ୱାସ୍ଥ୍ୟବୀମା, ନିୟମ ଅନୁଯାୟୀ ବରିଷ୍ଠ ନାଗରିକମାନଙ୍କୁ ପୋଲିସ୍ ବିଭାଗ ପକ୍ଷରୁ ପରିଚୟ ପତ୍ର ପ୍ରଦାନ, ଡାକ୍ତରଖାନା, ବ୍ୟାଙ୍କ୍ ପ୍ରଭୃତି ସ୍ଥାନରେ ବରିଷ୍ଠ ନାଗରିକମାନଙ୍କୁ ଅଗ୍ରାଧିକାର ପ୍ରଦାନ ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜରାରୋଗ ଚିକିତ୍ସାପାଇଁ ସ୍ୱତନ୍ତ୍ର ୱାର୍ଡ଼, ଜିଲ୍ଲା ମୁଖ୍ୟ ଦପ୍ତରକୁ ଆସୁଥିବା ବରିଷ୍ଠ ନାଗରିକମାନଙ୍କ ପାଇଁ ବିଶ୍ରାମଗୃହ ଓ ସବ୍ଡିଭିଜନ୍ ସ୍ତରରେ ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ପାଇଁ ଟ୍ରିବ୍ୟୁନାଲ୍କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲାସ୍ତରର ଦାବିଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନପାଇଁ ଶ୍ରୀଠାକ୍ରେ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଥିବାର ଜଣାଯାଇଛି ।ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଓ ସାକ୍ଷାତ ଆଲୋଚନାରେ ସର୍ବଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ରମେଶ ଚନ୍ଦ୍ର ଜେନା, ଲକ୍ଷ୍ମୀନାରାୟଣ ଘୋଷ, ସୀତାରାମ ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ତ୍ରିଦୀପ ନାୟକ, ବିଷ୍ଣୁପ୍ରସାଦ ମହାନ୍ତି, ସୁରେନ୍ଦ୍ର ପଣ୍ଡା, ଶରତ ଚନ୍ଦ୍ର ବିଶ୍ୱାଳ, ଦେବବ୍ରତ ପାଣିଗ୍ରାହୀ, ସରସ୍ୱତୀ ପଣ୍ଡା, ପ୍ରଦ୍ୟୁତ ମଣ୍ଡଳ, ଶ୍ୟାମସୁନ୍ଦର ଜେନା ଓ ବେଣୁଧର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


