ରକ୍ତରେ ଜାତି ନଥାଏ, ସମ୍ପର୍କରେ ଜାତି ଥାଏ

ଦିପ୍ତିମୟୀ ନାୟକ
ଯେତେବେଳେ ସମ୍ପର୍କକୁ ଦେଖିଛି ସେତେବେଳେ ଜାତିକୁ ପାଇଛି | ଆଉ ଯେତେବେଳେ ରକ୍ତକୁ ଦେଖିଛି ସେତେବେଳେ ଏହି ରକ୍ତରେ କେଉଁଠି ଜାତି ନଥାଏ ବୋଲି ଶୁଣିଛି | ଏକଥା ଏଠି କହିବାର ମାନେ ହେଲେ ଆଜିର ମଣିଷ ସମ୍ପର୍କରେ ଜାତି ଦେଖୁଛି ଆଉ ଯେତେବେଳେ ନିଜେ କୌଣସି ଦୁର୍ଘଟଣା ହେଉ କିମ୍ବା କିଛି ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡୁଛି ସେତେବେଳେ ରକ୍ତରେ ଜାତି ନଥାଏ ବୋଲି ଭାରି ନିରୀହ ଭାବରେ କହୁଛି | ସେଥିପାଇଁ ତ ଏ ମଣିଷ ଭାରି ଚତୁର ନିଜ ଚତୁରାମୀରେ ଅନ୍ୟକୁ କାବୁ କରି ନିଜ ସୁବିଧା ପାଇଁ କେତେବେଳେ ଏହି ମଣିଷକୁ ଉଚ୍ଚ କରିଦେଉଛି ତ ଆଉ କେତେବେଳେ ନୀଚ୍ଚ କରିଦେଉଛି | କଥାରେ ଅଛି ସ୍ଵାର୍ଥ ଥିଲେ ମଣିଷର ଚିକିଣିଆ କଥା ଶୁଣିବାକୁ ମିଳିଥାଏ | ଆଉ ସ୍ଵାର୍ଥ ସରିଲେ ଜଣେ ଜଣକୁ ଗୋଇଠା ମାରିବାକୁ ବି ପଛାଇନଥାଏ | ସେଥିପାଇଁ ସେ ତା ଇଚ୍ଛା ଅନୁଯାୟୀ କେତେବେଳେ ଏହି ମଣିଷକୁ ପ୍ରଶଂସାରେ ପୋତି ପକାଏ ତ ଆଉ କେତେବେଳେ ଅନ୍ୟର ନିନ୍ଦା କରି କରି ଅନ୍ୟ ମାନଙ୍କୁ ପ୍ରତି ମୁହୂର୍ତ୍ତରେ ଆଘାତ ଦେଉଥାଏ | ଅନେକ ଦିନ ତଳର କଥା ଗୋଟେ ଗାଁରେ ରାମ ବାବୁ ନାମକ ଜଣେ ଉଚ୍ଚ ଜାତିର ଲୋକ ବାସ କରନ୍ତି | ତାଙ୍କ ମନରେ ଛୁଆଁ ଅଛୁଆଁ ଭେଦଭାବ ରହିଥାଏ | ସେ ଯେତେବେଳେ ନୀଚ୍ଚ ଜାତିର ଲୋକଙ୍କୁ ଦେଖନ୍ତି ତାଙ୍କ ପାଦର ଆଙ୍ଗୁଠି ଯେମିତି ମାଟି ଉପରେ ଟିପରେ ଚାଲେ | କିଏ ପାଦରେ ବାଟ ଚାଲନ୍ତି ତ ଆଉ କିଏ ଏପରି ମାଟିରେ ଆଙ୍ଗୁଠି ରଖି ଟିପରେ ଚାଲନ୍ତି | ତେବେ ଗୋଟେ କଥା ମନେ ରଖିବା ଉଚିତ ଯେ ପ୍ରତ୍ୟେକ ଲୋକ ନିଜ ଜାତିକୁ ନେଇ ଗର୍ବ କରନ୍ତି | ଗର୍ବ କରିବା ମଧ୍ୟ ଉଚିତ କିନ୍ତୁ କାହାକୁ ନୀଚ୍ଚ ଦେଖେଇବା ପାଇଁ କାହା ଆଗରେ ଗର୍ବ ରଖିବା ନାହିଁ କାରଣ ସୃଷ୍ଟିର ସ୍ରଷ୍ଟା ଯଦି ଜନ୍ମ ଦେଇଛନ୍ତି କର୍ମ ମଣିଷ ନିଜେ କରୁଛି ଆଉ ଏହି ଜାତିଭେଦ ଏହି ମଣିଷ ମଧ୍ୟ ତିଆରି କରିଛି | ଯଦି ଆମେ ମଣିଷ ହୋଇ ଅମଣିଷ ଭଳି ହେବା ତାହେଲେ ଆମେ କେମିତି ଏ ସମାଜରେ ଜଣେ ଉତ୍ତମ ବ୍ୟକ୍ତି ହେବା | ଉତ୍ତମ ବ୍ୟକ୍ତି ହେବାପାଇଁ ମନରେ ଯଦି ସୁଵିଚାର ନରୁହେ ତାହେଲେ ଏହି କୁବିଚାର ଭେଦଭାବ ମଣିଷ ସମାଜକୁ କେବେ ଆଗକୁ ନେଇ ପାରିବନି | ଏକଥା ଏଥିପାଇଁ ଏଠି କହିଲି ରାମ ବାବୁ ଉଚ୍ଚ ଜାତିରେ ଜନ୍ମ ହୋଇ ଅନ୍ୟ ନୀଚ୍ଚ ଜାତିକୁ ପ୍ରାୟ ସମୟରେ କଟାକ୍ଷ କରି କୁହନ୍ତି | ଦିନେ ସେମିତି ରାମ ବାବୁଙ୍କର କୌଣସି ଶୁଭ କାର୍ଯ୍ୟ ଚାଲିଥାଏ | ଆଉ ସେ ତାଙ୍କ ଗାଁରେ ଥିବା ଗୋଟେ ପାଖ ଦୋକାନକୁ ଯାଇଥାନ୍ତି କିଛି ପୂଜା ସାମଗ୍ରୀ ଆଣିବାପାଇଁ ଆଉ ତାପରେ ସେହି ଗାଁର ନୀଚ୍ଚ ଜାତିରେ ଜନ୍ମ ହୋଇଥିବା ରଘୁ ସେହି ଦୋକାନକୁ ମଧ୍ୟ ଯାଇଥାଏ ତା ଘର ପାଇଁ କିଛି ରାସନ ସାମଗ୍ରୀ ଆଣିବାପାଇଁ ରାସନ ସାମଗ୍ରୀ ମାଗୁ ମାଗୁ ହଠାତ ରାମ ବାବୁଙ୍କ ପୂଜା ସାମଗ୍ରୀରେ ରଘୁର ହାତ ବାଜିଗଲା ଆଉ ତାପରେ ହେବ କଣ ରାମ ବାବୁ ରାଗି ଯାଇ ରଘୁକୁ ଅନେକ କଥା କହିଲେ | ସେହି ଦୋକାନ ପାଖରେ ଠିଆ ହୋଇଥିବା ଲୋକ ରାମ ବାବୁଙ୍କୁ ଦେଖୁଥାନ୍ତି ଆଉ ରଘୁର ନୀରବତାର ଲୁହକୁ ମଧ୍ୟ ଦେଖୁଥାନ୍ତି କିନ୍ତୁ କେହି କିଛି କହୁନଥାଆନ୍ତି | କିନ୍ତୁ ରଘୁ କାନ୍ଦି କାନ୍ଦି ଘରକୁ ଚାଲିଆସେ | ମନେ ମନେ ଭଗବାନଙ୍କୁ ଗାଳି କରେ ହେ ଭଗବାନ ଏ ଜାତି ଯଦି ଏତେ ଛୋଟ ତାହେଲେ ତୁ ମୋତେ ଏ ଜାତିରେ କାହିଁକି ଜନ୍ମ ଦେଲୁ | ଜାଣିକି ମୋତେ କୁକୁର କି ବିଲୁଆ କରିଦେଇଥାନ୍ତୁ କିନ୍ତୁ ଏହି ଜାତିରେ ଜନ୍ମ ଦେଇନଥାନ୍ତୁ କି ଆଜି ମୁଁ ନୀଚ୍ଚ ଜାତିର ଲୋକ ହେଇନଥାନ୍ତି | ଏମିତି କହି ରଘୁ ବହୁତ କାନ୍ଦୁଥାଏ | ଆଉ ସେହି ଉଚ୍ଚ ଜାତିର ଲୋକ ରାମ ବାବୁ ନିଜକୁ ଯିଏ ସବୁବେଳେ କୁହନ୍ତି ମୁଁ ବଡ଼ ଜାତିର ସେ ଦିନେ ସଡ଼କ ଦୁର୍ଘଟଣାର ଶିକାର ହେଲେ | ତାଙ୍କର ରକ୍ତର ଆବଶ୍ୟକତା ପଡିଲା କିନ୍ତୁ ରକ୍ତ କେଉଁଠି ବି ମିଳୁନଥିଲା | ଆଉ ରଘୁ ସେହି ମେଡିକାଲରେ କାମ କରୁଥିଲା ଯେତେବେଳେ ଜାଣିଲା ତାଙ୍କ ଗାଁ ଲୋକର ଦୁର୍ଘଟଣା ହୋଇଛି ସେ ସେତେବେଳେ ଦୁଃଖୀ ହୋଇଗଲା ଏବଂ ଡାକ୍ତରଙ୍କ ପାଖକୁ ଯାଇ କହିଲା ଆଜ୍ଞା ଆପଣ ମୋ ରକ୍ତ ନିଅନ୍ତୁ ଆଉ ତାଙ୍କ ଜୀବନ ବଞ୍ଚାଇ ଦିଅନ୍ତୁ | ଡାକ୍ତର କହିଲେ ଏମିତି କେମିତି ହେବ ଆଗ ବ୍ଲଡ଼ ଟେଷ୍ଟ ହେଉ ତାପରେ ଯଦି ତାଙ୍କ ବ୍ଲଡ଼ ଗ୍ରୁପ ତମ ବଡ଼ ଗ୍ରୁପ ସମାନ ହୋଇଥାଏ ତେବେ ତମ ରକ୍ତ ତାଙ୍କ ଦେହରେ ଦିଆଯିବ ଆଉ ସେ ଖୁବଶୀଘ୍ର ଆରୋଗ୍ୟ ଲାଭ କରିପାରିବେ | ରଘୁ କହିଲା ହଉ ଡାକ୍ତର ବାବୁ ଆପଣ ଜଲଦି ଟେଷ୍ଟ କରନ୍ତୁ ଆଉ ସତକୁ ସତ ରାମ ବ୍ଲଡ଼ ଗ୍ରୁପ ସହ ରଘୁର ବ୍ଲଡ଼ ଗ୍ରୁପ ମିଶିଗଲା | ରଘୁର ରକ୍ତ ରାମ ବାବୁଙ୍କ ଦେହରେ ଲାଗିଲା | ଆଉ ଯେତେବେଳେ ରାମ ବାବୁ ସୁସ୍ଥ ହୋଇ ଡାକ୍ତରଙ୍କୁ ପଚାରିଲେ ମୋ ପାଇଁ କିଏ ରକ୍ତ ଦେଲେ ସେତେବେଳେ ଡାକ୍ତର ରଘୁ ଆଡେ ଆଙ୍ଗୁଠି ଇସାରାରେ କହିଲେ ରଘୁ ପାଇଁ ଆପଣ ଆଜି ନୂଆ ଜୀବନ ପାଇଲେ | ଏହା ଶୁଣି ରାମ ବାବୁ କାନ୍ଦି ପକେଇଲେ ରଘୁ ପାଖକୁ ଯାଇ କହିଲେ ଦେଖେ ତୋତେ ସେଦିନ ମୁଁ ଏତେ କଥା କହିଥିଲି ଆଉ ତୁ ଆଜି ମୋ ଜୀବନ ବଞ୍ଚେଇ ଦେଲୁ |ସତ କହିବାକୁ ଗଲେ ତୁ ଆଜି ପ୍ରମାଣ କରିଦେଲୁ ରକ୍ତରେ ଜାତି ନଥାଏ | ଆଉ ସମ୍ପର୍କରେ ଯେଉଁମାନେ ଜାତି ଖୋଜନ୍ତି ସେମାନଙ୍କ ହୀନ ଚିନ୍ତାଧାରା ପାଇଁ ଆଜିବି ତୋ ଭଳି ଅନେକ ଲୋକ ଦୁଃଖରେ ଜୀବନ ବିତାଉଛନ୍ତି | କିନ୍ତୁ ଆଉ ନୁହେଁ ଆଉ ଆମ ଭିତରେ ଭେଦଭାବ ରହିବନି ତୁ ହେଉଛୁ ମୋ ଭାଇ ମୋ ଦେହର ଛାଇ କାହିଁକି ନା ଆମେ ଆମ ସମାଜରେ ଯେମିତି ଚଳିବା ଆମ ସମାଜ ସେମିତି ଚଳିବ | ଆମେ ଭେଦଭାବ ରଖୁଛୁ ବୋଲି ଆଗାମୀ ପିଢ଼ି ସେହି ଭେଦଭାବରେ ନଚଳିବେ ବୋଲି କେହି କହିପାରିବେନି କିନ୍ତୁ ଆମେ ଭେଦଭାବକୁ ଦୂରେଇ ଦେବା | ଭାଇଚାରା ଭାବ ରଖିବା | କେବଳ ସୁବିଧା ବେଳରେ ନୁହେଁ ଅନ୍ୟର ଅସୁବିଧା ବେଳରେ ମଧ୍ୟ ସେମିତି ଠିଆ ହେବା | ତେବେ ଯେତେବେଳେ ପ୍ରତ୍ୟେକ କଥାରେ ଜାତି ଖୋଜନ୍ତି ସେମାନଙ୍କ ପାଇଁ ଏହି ସାମାଜିକ ବାର୍ତ୍ତା କାହିଁକି ନା ଆପଣ ଅନେକ ସମୟରେ ଜାତିକୁ ନେଇ ଲହୁ ଲୁହାଣ ହେବାର କିନ୍ତୁ ଯେତେବେଳେ ସେହି ଲହୁଲୁହାଣ ବେଳେ ଦେହରେ ଯେତେବେଳେ ରକ୍ତର ଆବଶ୍ୟକ ପଡେ ସେତେବେଳେ କେହି ରକ୍ତ ନେଲାବେଳେ ଡାକ୍ତରଙ୍କୁ ପଚାରନ୍ତିନି ଆଜ୍ଞା ଏଟା କେଉଁ ଜାତିର ରକ୍ତ |ଯଦି ଏହି ରକ୍ତ ମୋ ଜାତିର ଦେଵେ ମୋତେ ଦିଅନ୍ତୁ ନହଲେ ଏଇଠି ମୋତେ ଛଟପଟ ହେବାକୁ ଦିଅନ୍ତୁ | ତେଣୁ ରକ୍ତ ନେଲାବେଳେ ଯେମିତି ଜାତି ଖୋଜୁନ ଠିକ ସେମିତି ସମ୍ପର୍କରେ ଜାତି ଖୋଜି ଅନ୍ୟକୁ କେବେ ଛୋଟ ଭାବନା | ସବୁ ମଣିଷ ସମାନ | ହୁଏତ ଜାତି ଅଲଗା ଅଲଗା କିନ୍ତୁ ସମ୍ପର୍କ ଗୋଟିଏ |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ