ସୃଷ୍ଟି ହେଲା କୃତ୍ରିମ ନାଳ, ଭାସିଗଲା ଏକର ଏକର କାଜୁ ଗଛ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତ ମିଞ୍ଜିର ଗ୍ରାମ ନିକଟସ୍ଥ କିନ୍ତରସିଂ ପାହାଡ଼ରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏହାଦ୍ୱାରା ଏକ କୃତ୍ରିମ ନାଳ ସୃଷ୍ଟି ହେବା ସହ ଏକର ଏକର କାଜୁ ଗଛ ଭାସି ଯାଇ ସମ୍ପୂର୍ଣ ନଷ୍ଟ ହୋଇଯାଇଛି. ଏଥିସହ ଏହି ଅଞ୍ଚଳର ପାଣି ଟ୍ୟାଙ୍କ ଓ ଚେକ ଡ୍ୟାମ ମଧ୍ୟ ଭାଙ୍ଗି ଯାଇଛି. ଘଟଣାରୁ ପ୍ରକାଶ, ଭୋର ୩ଟାରୁ ୪ଟା ସମୟରେ ପାହାଡ଼ ଉପରୁ ତଳକୁ ଝରଣା ପାଣି ସହ ପଥର ଓ ମାଟି ଖୁବ୍ ଜୋରରେ ମାଡ଼ି ଆସିଥିଲା। ଏଥିଯୋଗୁଁ ଗାଁର ଏକ ଚେକ୍ଡ୍ୟାମ ଭାଙ୍ଗିଯିବା ସହ ଏକର ଏକର କାଜୁ ଗଛ ନଷ୍ଟ ହେବା ସହ ପାଣି ଟାଙ୍କି ନଷ୍ଟ ହୋଇଯାଇଛି | ପାନୀୟ ଜଳ ପାଇଁ ଗମାଙ୍ଗ, ରୋଇତ, ଶବର ଓ କିନ୍ତରସିଂ ସାହିର ବାସିନ୍ଦା ପିଇବା ପାଣି ପାଇଁ ଏହି ପାଣି ଟାଙ୍କି ଉପରେ ନିର୍ଭର କରି ଚଳୁଥିଲେ. ପାହାଡ଼ରୁ ଭୂସ୍ଖଳନ ମାଟି, ପଥର ଚେକ୍ ଡ୍ୟାମ ନିକଟରେ ଅଟକିବା ଫଳରେ ଏକ ବଡ଼ ବିପର୍ଯ୍ୟୟ ଟଳିଯାଇଛି। ତେବେ ଜଳସ୍ରୋତରେ କାଜୁଗଛ ଉପୁଡିଯାଇ ନଷ୍ଟ ହୋଇଛି | ବର୍ଷା ଲାଗି ରହିଲେ ପରିସ୍ଥିତି ଅଧିକ ଜଟିଳ ହେବା ସମ୍ଭାବନା ରହିଛି। ଏନେଇ ବିଡ଼ିଓ ଆକାଶ କୁମାର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସ୍ଥିତି ଅନୁଧ୍ୟାନ କରି ବିପଦପୂର୍ଣ୍ଣ ସ୍ଥାନରେ ବସବାସ କରୁଥିବା ପରିବାରର ଲୋକଙ୍କୁ ସ୍ଥାନାନ୍ତର କରିବା ସହ କ୍ଷୟକ୍ଷତି ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି | ଭୂସ୍ଖଳନ ଖବର ଜାଣିବା ପରେ ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ରେଗେଡ଼ି ପଞ୍ଚାୟତର ସରପଞ୍ଚ ଅମିଏଲ ମଣ୍ଡଳ, ଉଖୁରା ସରପଞ୍ଚ ଜିସି ଗମାଙ୍ଗ, ଏଭିଜନ ମଣ୍ଡଳ, ନୋହର ଗମାଙ୍ଗ ଓ ଲିମନ ଗମାଙ୍ଗ ପ୍ରମୁଖ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି I ଉଲ୍ଲେଖଯୋଗ୍ୟ, ୨୦୦୬ ମସିହାରେ ଉକ୍ତ ପାହାଡ଼ରୁ ଭୂସ୍ଖଳନ ହୋଇ ଚାରିଜଣଙ୍କ ଜୀବନ ଯାଇଥିବା ଉଖୁରା ସରପଞ୍ଚ ଜିସି ଗମାଙ୍ଗ, ଲିମନ ଗମାଙ୍ଗ, ଆସୀନ ଗମାଙ୍ଗ, ଏବଲ କାର୍ଜି, ନୋହର ଗମାଙ୍ଗ ଓ ସନ୍ତାଶୀ ରଇତ କହିଛନ୍ତି I ପୋଡ଼ୁ ଚାଷ ଓ ଜଙ୍ଗଲ ନଷ୍ଟ ଫଳରେ ପାହାଡ଼ର ଆର୍ଦ୍ରତା ଦିନକୁ ଦିନ ଦୁର୍ବଳ ହେଉଛି। ମୂଲ୍ୟବାନ ଆମ୍ବ, ତେନ୍ତୁଳି, କରଞ୍ଜ, ଶାଳ, ଟିଙ୍କ ଓ ସାଗୁଆନ ଗଛ ସଂଖ୍ୟା ହ୍ରାସ ପାଇବାରୁ ଭୂସ୍ଖଳନ ହେଉଥିବା କୁହାଯାଇଛି।