ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ବୁଦ୍ଧଖୋଲ ମହୋତ୍ସବର ପ୍ରସ୍ତୁତି କାର୍ଯ୍ୟ
ବୁଗୁଡା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ବୁଗୁଡା ନିକଟସ୍ଥ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ରର ପାଦଦେଶରେ ଆସନ୍ତା ନୂତନ ବର୍ଷର ଜାନୁଆରୀ ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ୪ ଦିନ ପାଇଁ ବୁଦ୍ଧଖୋଲ ମହୋତ୍ସବ ଅନୁଷ୍ଟିତ ହେବାକୁ ଯାଉଛି । ଏଥିରେ ବିଭିନ୍ନ ଅଞ୍ଚଳରୁ ବହୁ କଳାକାର ଯୋଗଦେବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏହି ମହୋତ୍ସବ ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ସ୍ତରରେ ପହଁଞ୍ଚୀ ସାରିଛି । ଏଥିପାଇଁ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ , ଉପସଭାପତି ଏ ଚନ୍ଦନ ଚର୍ଚ୍ଚିତ ପାତ୍ର, କୋଷାଧ୍ୟକ୍ଷ କେ ତ୍ରିଲୋଚନ ଦୋରା ପ୍ରମୁଖ କର୍ମକର୍ତ୍ତା ବୃନ୍ଦ ଦିବାରାତ୍ର ଏକାକାର କରି ପ୍ରସ୍ତୁତି କାର୍ଯ୍ୟ ଆଗେଇ ନେବାରେ ନିଜକୁ ସମର୍ପିତ କରିଦେବା ସହ ବିଭିନ୍ନ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ସର୍ବଦା ବିଧାୟକଙ୍କ ସହ ଯୋଗାଯୋଗ ରଖିଥିବା ଜଣାପଡିଛି ।


